ବ୍ରହ୍ମପୁର : ଟାଟା ମୋର୍ଟସ ଠକେଇ ଘଟଣା ଛନ୍ଦି ହୋଇ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ଜେଲ୍ ଯିବା ପରେ କେବଳ ଗୋପାଳପୁର ନିର୍ବାଚନମଣ୍ଡଳୀ ନୁହେଁ, ଗଞ୍ଜାମର ରାଜନୈତିକ ଚିତ୍ର ପ୍ରତିଦିନ ବଦଳିବାରେ ଲାଗିଛି। ନେତୃତ୍ବବିହୀନ ଗୋପାଳପୁର ନିର୍ବାଚନମଣ୍ଡଳୀ ମୁରବି ଖୋଜୁଛି। ଏଠାକାର ରାଜନୈତିକ ପାଣିପାଗ ଘଡ଼ିକୁ ଘଡ଼ି ବଦଳିବାରେ ଲାଗିଛି। ଶାସକ ଦଳର ମୁଣ୍ଡିଆଳ ସାଜିବାକୁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ବିଧାନସଭା ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ର ପ୍ରତିନିଧିତ୍ବ କରୁଥିବା ପଡ଼ୋଶୀ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ନୂଆ କଥା ଦେଖିବାକୁ ମିଳିଛି। ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ.ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ବାପାଙ୍କ ସହ ଦିଗପହଣ୍ଡି ଓ କୁକୁଡ଼ାଖଣ୍ଡି ଅଞ୍ଚଳକୁ ଆସି ମନ୍ଦିର ଦର୍ଶନ, ପହିଲି ଭୋଗ କାର୍ଯ୍ୟକ୍ରମରେ ଯୋଗଦାନ କରି ଲୋକସମ୍ପର୍କ ବଢ଼ାଉଛନ୍ତି, ଯାହା ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ମଧ୍ୟ ନୂଆ ସମୀକରଣର ସୂଚନା ଦେଉଛି। ଆଗାମୀ ସାଧାରଣ ନିର୍ବାଚନରେ ସୂର୍ଯ୍ୟ ତାଙ୍କ ପୁଅ ଲାଗି କ୍ଷେତ୍ର ପ୍ରସ୍ତୁତ କରୁଥିବା ଏବେ ଚର୍ଚ୍ଚା ଧରିଛି।
ରଙ୍ଗେଇଲୁଣ୍ଡା ବ୍ଲକ୍ର ୩୨ ପଞ୍ଚାୟତ, କୁକୁଡ଼ାଖଣ୍ଡି ବ୍ଲକର ୫ ପଞ୍ଚାୟତ, ବ୍ରହ୍ମପୁର ମହାନଗର ନିଗମର ୫ଟି ୱାର୍ଡ଼ ଓ ଗୋପାଳପୁର ଏନ୍ଏସିକୁ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀ। ଏଠାରୁ ତୃତୀୟ ଥର ଲାଗି ବିଧାୟକ ଭାବେ ଡ.ପ୍ରଦୀପ ପାଣିଗ୍ରାହୀ ପ୍ରତିନିଧିତ୍ବ କରୁଛନ୍ତି। ଗତ ସାଧାରଣ ନିର୍ବାଚନ ପର ଠାରୁ ବିଧାୟକ ପ୍ରଦୀପ ଦଳରେ କୋଣଠେସା ହୋଇ ରହିଥିଲେ। ମନ୍ତ୍ରୀପଦ ହରାଇବା ସହ ପରବର୍ତ୍ତୀ ସମୟରେ ଜିଲ୍ଲା ସଭାପତି ଦାୟିତ୍ବ ମଧ୍ୟ ତାଙ୍କ ହାତରୁ କାଢ଼ି ନିଆଗଲା। ଏହି ନିର୍ବାଚନମଣ୍ଡଳୀର ୬୮ଜଣ ଯୁବକଙ୍କୁ ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଏବଂ ତାଙ୍କ ଭାବି ଜ୍ବାଇଁ ଆକାଶ ପାଠକ୍ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଥିଲା। ଏହାପରେ ଜନବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଧାୟକ ଶ୍ରୀପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରା ଯାଇଥିଲା। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ୍ ଦ୍ବାରା ଗିରଫ ହୋଇ ବିଧାୟକ ଏବେ ଜେଲ୍ରେ। ଏହା ପରଠାରୁ ଗୋପାଳପୁର ନିର୍ବାଚନମଣ୍ଡଳୀ ନେତୃତ୍ବବିହୀନ ଓ ମୁରବିଶୂନ୍ୟ ହୋଇପଡ଼ିଛି ଶାସକ ଦଳ। ଗତ ଡିସେମ୍ବର ୧୯ ତାରିଖରେ ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ବରେ ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡିର ସାଂଗଠନିକ ବୈଠକ ହୋଇଥିଲା। ବୈଠକରେ ଗୋପାଳପୁର ଦାୟିତ୍ବ ନେବାକୁ ଆଗ୍ରହୀ ଏକାଧିକ ଆଶାୟୀଙ୍କୁ ଦେଖିବାକୁ ମିଳିଥିଲା। ସମସ୍ତେ ଗୋପାଳପୁର ବିଧାୟକଙ୍କ ବିରୋଧରେ ବର୍ଷିଥିଲେ। ପରବର୍ତ୍ତୀ ସମୟରେ ଗତ ଡିସେମ୍ବର ୩୦ରେ ବ୍ରହ୍ମପୁର ସହରର ଜଣେ ବିଜେଡି ନେତ୍ରୀ ରଙ୍ଗେଇଲୁଣ୍ଡା ଅଞ୍ଚଳର କିଛି ଲୋକ ପ୍ରତିନିଧିଙ୍କୁ ନେଇ ଭୁବନେଶ୍ବର ଯାଇ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ବବି ଦାସଙ୍କୁ ସାକ୍ଷତ କରିଥିଲେ। ପୁଣି ଗତ ୫ତାରିଖରେ ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେଡିର ପଞ୍ଚାୟତ ଜନପ୍ରତିନିଧି ଓ ଶତାଧିକ ନେତା ୩୦ଟି କାର୍ ଯୋଗେ ଭୁବନେଶ୍ବର ଯାଇ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ଦାସଙ୍କୁ ଭେଟିଥିଲେ। ନିର୍ବାଚନମଣ୍ଡଳୀ ମୁରବିଶୂନ୍ୟ ହୋଇ ପଡ଼ିଥିବା ବେଳେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇ ଯାଇଥିବା ସେମାନେ ଅଭିଯୋଗ କରିଥିଲେ। ଉନ୍ନୟନ କାର୍ଯ୍ୟ କୌଣସି ପରିସ୍ଥିତିରେ ପ୍ରଭାବିତ ହେବ ନାହିଁ ବୋଲି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ମୁଣ୍ଡ ଉପରେ ପୌର ଓ ପଞ୍ଚାୟତ ନିର୍ବାଚନ ଥିବା କାରଣରୁ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଦଳର ନେତୃତ୍ବ କିଏ ନେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଗୋପାଳପୁର ନିର୍ବାଚନମଣ୍ଡଳୀର ଅନ୍ୟତମ ପଡ଼ୋଶୀ ନିର୍ବାଚନମଣ୍ଡଳୀ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଦିଗପହଣ୍ଡି ବ୍ଲକ, ଦିଗପହଣ୍ଡି ଏନ୍ଏସି, କୁକୁଡ଼ାଖଣ୍ଡି ବ୍ଲକ୍ର ୧୭ଟି ପଞ୍ଚାୟତକୁ ନେଇ ଗଠିତ। କୁକୁଡ଼ାଖଣ୍ଡି ବ୍ଲକ୍ର ବାକି ୫ଟି ପଞ୍ଚାୟତ ଗୋପାଳପୁର ନିର୍ବାଚନମଣ୍ଡଳୀରେ। ଦୁଇ ନିର୍ବାଚନମଣ୍ଡଳୀ ଗଠନ ସଂରଚନାକୁ ଦେଖିଲେ ଉଭୟ ବିଧାୟକଙ୍କ ମଧ୍ୟରେ ସୁ-ସମ୍ପର୍କ ରହିବା କଥା। କିନ୍ତୁ ଦୁଇ ବିଧାୟକଙ୍କ ମଧ୍ୟରେ କେବେ ବି ଭଲ ସମ୍ପର୍କ ନ ଥିଲା। ଗୋପାଳପୁର ନିର୍ବାଚନମଣ୍ଡଳୀ ମୁରବିଶୂନ୍ୟ ହେବା ପରେ କୁକୁଡ଼ାଖଣ୍ଡି ବ୍ଲକ୍ର ଉକ୍ତ ୫ଟି ପଞ୍ଚାୟତରେ ମଧ୍ୟ ଦଳର ସାଂଗଠନିକ ସ୍ଥିତି ଉପରେ ଏହାର ପ୍ରଭାବ ପଡ଼ିଛି। ଗତକାଲି କୁକୁଡ଼ାଖଣ୍ଡି ବ୍ଲକ୍ରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମାରଥନ୍ ଉଦ୍ଘାଟନ, ଶିଳାନ୍ୟାସ କରିଥିଲେ। ବାଚସ୍ପତି ୧୭ଟି ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ଓ ପଟ୍ଟା ବାଣ୍ଟିଥିଲେ ହେଁ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଆସୁଥିବା ୫ ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା ଓ ପଟ୍ଟା ବାଣ୍ଟି ନ ଥିଲେ। ଉକ୍ତ ୫ ପଞ୍ଚାୟତର ହିତାଧିକାରୀଙ୍କୁ କେବେ ଭତ୍ତା ଓ ପଟ୍ଟା ବଣ୍ଟାହେବ ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ ସଭାରେ କହିଥିଲେ। ଏ ଘଟରାରେ ବାଚସ୍ପତିଙ୍କ ଭଳି ଏକ ସାମ୍ବିଧନିକ ପଦବିରେ ଥାଇ ଦଳୀୟ ରାଜନୀତି ମୋହ ଛାଡ଼ି ପାରୁ ନ ଥିବା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଇଲକାରେ ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପକ୍ଷରେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଗଠନ ପର ଠାରୁ ଶ୍ରୀ ପାତ୍ର ଲଗାତାର ତୃତୀୟ ଥର ଏଠାରୁ ପ୍ରତିନିଧିତ୍ବ କରୁଛନ୍ତି। ଦଳରେ ବି ତାଙ୍କର ଦବ୍ଦବା ରହିଛି। ମନ୍ତ୍ରିମଣ୍ଡଳ ଖୁବ୍ଶୀଘ୍ର ଅଦଳବଦଳ ହେଉଥିବା ଅଭାସ ମିଳୁଥିବା ବେଳେ ସୂର୍ଯ୍ୟଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ବୟସାଧିକ କାରଣରୁ ସୂର୍ଯ୍ୟ ଆଉ ବେଶିଦିନ ସକ୍ରିୟ ରାଜନୀତିରେ ରହିବାକୁ ଚାହୁଁ ନଥିବା ମଧ୍ୟ ଆଲୋଚନା ହେଉଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ପୁଅ ବିପ୍ଲବଙ୍କ ଲାଗି ଶ୍ରୀ ପାତ୍ର କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଥିବା ଏବେ ନିର୍ବାଚନମଣ୍ଡଳୀ ସାରା ଚର୍ଚ୍ଚା। ଗତ ୩ ତାରିଖରେ ବାଚସ୍ପତି ତାଙ୍କ ପୁଅ ବିପ୍ଲବଙ୍କ ସହ ଆସି କୁକୁଡ଼ାଖଣ୍ଡି ବ୍ଲକ୍ର କଙ୍କିଆ ସରପଞ୍ଚଙ୍କ ପିତୃ ବିୟୋଗ କାର୍ଯ୍ୟରେ ଯୋଗ ଦେଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଏହାପରେ ଘଟକେଶ୍ବର ମନ୍ଦିର ଯାଇ ପହିଲି ଭୋଗ ଓ ବନ୍ଧୁ ମିଳିନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ କୁକୁଡ଼ାଖଣ୍ଡି ବ୍ଲକ୍ର ଜନପ୍ରତିନିଧିଙ୍କ ସହ ବାଚସ୍ପତି ଏବଂ ତାଙ୍କ ପୁଅ ଆଲୋଚନା କରିଥିଲେ। ଏପରିକି କିଛି ଦିନ ହେଲା ବିଭିନ୍ନ ସମୟରେ ବିପ୍ଲବ ଦିଗପହଣ୍ଡି ଆସି ସ୍ଥାନୀୟ ଲୋକ ପ୍ରତିନିଧି ଓ ନେତୃମଣ୍ଡଳୀ ସହ ଆଲୋଚନା କରି ଯାଉଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ଲାଗି ମଧ୍ୟ ବାଚସ୍ପତି ଏବେ ଠାରୁ ରଣନୀତି ଆରମ୍ଭ କରି ଦେଇଥିବା ଜଣାପଡ଼ିଛି।