ରାସ୍ତାକଡ଼ ଆର୍ବଜନା ଉଠାଇବା ପାଇଁ ନିଅଣ୍ଟ ପଡୁଛି ଗାଡ଼ି

ଭଞ୍ଜନଗର: ସ୍ବଚ୍ଛ ପରିବେଶ ସୁସ୍ଥ ପରିବେଶ। ସ୍ବଚ୍ଛ ଭାରତ ଅଭିଯାନରେ ସହରାଞ୍ଚଳ ଗୁଡ଼ିକରେ ହୋଇଥିବା ବିପର୍ଯ୍ୟସ୍ତ ପରିମଳରେ ସୁଧାର ଆଣିବା ପାଇଁ ସରକାର ଯୋଜନା ପରେ ଯୋଜନା ଗ୍ରହଣ କରୁଛନ୍ତି। ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ପ୍ରତି ଘରକୁ ଡଷ୍ଟବିନ୍ ବଣ୍ଟନ କରାଯିବା ସହ ଘରକୁ ଘର ଗାଡ଼ି ବୁଲି ଡାକବାଜି ଯନ୍ତ୍ର ଦ୍ବାରା ସଚେତନତା କରି ଆର୍ବଜନା ସଂଗ୍ରହ ମଧ୍ୟ କରାଯାଉଛି। ଗଞ୍ଜାମ ଜିଲ୍ଲାର ସବୁ ଏନ୍ଏସି ଓ ପୌରପାଳିକାରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବାବେଳେ ଭଞ୍ଜନଗର ସହରରେ ମଧ୍ୟ ଗାଡ଼ି ବୁଲୁଛି ଅଳିଆ ସଂଗ୍ରହ କରୁଛି। ତଥାପି ମଧ୍ୟ ରାସ୍ତାକଡ଼ରେ ଅଳିଆ ଆର୍ବଜନା ଜମା ହୋଇ ରହୁଛି। ସହରରେ ପ୍ରତିଦିନ ବର୍ଯ୍ୟବସ୍ତୁର ପରିମାଣ ବଢୁଥିବାବେଳେ ଆଜି ପର୍ଯ୍ୟନ୍ତ ଏହାକୁ ପରିଚାଳନା କରିବା ନିମନ୍ତେ ମାଇକ୍ରୋ କମ୍ପୋଷ୍ଟ କେନ୍ଦ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ପ୍ରତିଦିନ ଦୁଇଟି ଟ୍ରାକ୍ଟର ଏବଂ ଦୁଇଟି ଟାଟା ଏସିଇ ଗାଡ଼ିରେ ପ୍ରତିଘରୁ ଅଳିଆ ସଂଗ୍ରହ କରାଯାଉଥିଲେ ମଧ୍ୟ ଲୋକମାନେ ପୂର୍ବ ଭଳି ରାସ୍ତାକଡରେ ଅଳିଆ ଆବର୍ଜନା ପକାଉଥିବାରୁ ସ୍ବଚ୍ଛ ଭାରତ ଅଭିଯାନ ତୃଣମୂଳ ସ୍ତରରେ ବାସ୍ତବିକ ରୂପ ନେଇ ପାରୁନାହିଁ।

ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଛି ୧୫ ଗୋଟି ୱାର୍ଡ। ଜନସଂଖ୍ୟା ଦୃ୍ଷ୍ଟିରେ ରଖି ପୂର୍ବରୁ ସହରର ବିଭିନ୍ନ ୱାର୍ଡରେ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ୪୫ଟି ଡଷ୍ଟବିନ ରଖାଯାଇଥିଲା। ଏଥିସହ ସହରର ନାରାୟଣ ମନ୍ଦିର ସାହି, ଭେଜିପୁଟ କେନାଲ ସାହି,ପୁରୁଣା ଜେଲ୍ ସମ୍ମୁଖ ଓ ଥାନା ଛକ ଠାରେ ବଡ ଡମ୍ପରବିନ ରଖାଯାଇଥିଲା। ସେଠାରେ ଲୋକ ମାନେ ଅଳିଆ ଆର୍ବଜନା ପକାଇବା ପରେ ସେଠାରୁ ଏନ୍ଏସି ପକ୍ଷରୁ ଅଳିଆ ନେଇ ଡମ୍ପିଂୟାର୍ଡରେ ପକାଯାଉଥିଲା। କିନ୍ତୁ ରାଜ୍ୟ ସରକାର ସହର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଅଳିଆ ପକାଇବା ପାଇଁ ମିଡ୍ ପଏଣ୍ଟ୍ ହଟାଇବା ସହ ସିଧାସଳଖ ଲୋକମାନଙ୍କ ଘରୁ ଏବଂ ବ୍ୟବସାୟିକ ଅନୁଷ୍ଠାନରୁ ଆର୍ବଜନା ସଂଗ୍ରହ କରି ସହର ବାହାରେ ଡମ୍ପିଂୟାର୍ଡ କିମ୍ବା ଏମ୍ସିସିରେ ପକାଇବା ବ୍ୟବସ୍ଥା ପାଇଁ ନୀତି କରି ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି ନିୟମ ଅନୁଯାୟୀ ବିଭିନ୍ନ ଛକ ଓ ଅଳିଆ ପଡୁଥିବା ସ୍ଥାନରୁ ଡଷ୍ଟବିନ୍ ହଟାଯାଇଥିଲେ ମଧ୍ୟ ସେହି ସ୍ଥାନରେ କୁଢ କୁଢ ହୋଇ ଅଳିଆ ଆବର୍ଜନା ଜମା ହେଉଛି। ବାଧ୍ୟ ହୋଇ ଏନ୍ଏସି କର୍ତ୍ତୁପକ୍ଷ ଟ୍ରାକ୍ଟର ଲଗାଇ ପ୍ରତ୍ୟେକ ଦିନ ଅଳିଆ ଉଠାଉଛନ୍ତି। ଏମ୍ସିସି ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ରହିଥିବାବେଳେ ଅଳିଆ ପକାଇବା ପାଇଁ ଏନ୍ଏସି କର୍ତ୍ତୁପକ୍ଷଙ୍କୁ ଜାଗାର ଅଭାବ ଦେଖାଦେଇଛି। ଯେଉଁଠି ଅଳିଆ ପକାଇବାକୁ ନେଇ ସବୁବେଳେ ସ୍ଥାନୀୟ ଲୋକମାନଙ୍କ ରୋଶର ଶିକାର ହେବାକୁ ପଡୁଛି।

ରାସ୍ତାକଡ଼ ଉଠାଦୋକାନୀ ନିକଟରେ ଅଧିକା ଅଳିଆ ଆର୍ବଜନା ପଡୁଥିବାରୁ କିଛିଦିନ ତଳେ ଜିଲ୍ଲାପାଳ ଭଞ୍ଜନଗର ଗସ୍ତରେ ଆସିଥିବା ସମୟରେ ବିରକ୍ତି ପ୍ରକାଶ କରିବା ସହ ସବୁ ଦୋକାନୀଙ୍କୁ ବାଧ୍ୟତାମୂଳକ ଡଷ୍ଟବିନ୍ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଭଞ୍ଜନଗର ଏନଏସିରେ ପାଖାପାଖି ୫୧ ଜଣ ଠିକାରେ ଦୈନିକ ଝାଡୁଦାର ରହିଥିବା ବେଳେ ନିୟମିତ ଥିବା ୧୪ ଜଣଙ୍କ ସଫେଇ କର୍ମଚାରୀଙ୍କ ମଧ୍ୟରୁ ଚଳିତ ବର୍ଷ ତିନି ଜଣ ଅବସର ନେଇଥିବାବେଳେ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ମାତ୍ର ୧୦ ଜଣ ନିୟମିତ ସଫେଇ କର୍ମଚାରୀ ରହିଛନ୍ତି। ପ୍ରତ୍ୟେକ ଦିନ ବିଭିନ୍ନ ୱାର୍ଡ ସଫେଇ କରି ଅସ୍ଥାୟୀ ଡମ୍ପିୟାର୍ଡ ପାଖରେ ରଖାଯାଉଥିବା ବେଳେ ଦୁଇଟି ଟ୍ରାକ୍ଟରେ ଅଳିଆ ନେଇ ଡିଏଭି ସ୍କୁଲ ସମ୍ମୁଖ ଡମ୍ପିୟାର୍ଡରେ ପକାଯାଉଛି। ଏସଂର୍ପକରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହି ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ କହିଛନ୍ତି ଯେ,ଏମ୍ସିସି କାର୍ଯ୍ୟକ୍ଷମ ହୋଇଗଲେ ଏହି ସମସ୍ୟା ବହୁ ପରିମାଣରେ ପ୍ରଶମିତ ହୋଇଯିବ। ରାସ୍ତାକଡ଼ରେ ପଡୁଥିବା ଅଳିଆକୁ ଦିନକୁ ଦୁଇଥର ଉଠାଯାଉଛି।

ବ୍ୟବସାୟୀମାନଙ୍କୁ ବଡ ବଡ ୨ ଟି ଡଷ୍ଟବିନ୍ ରଖିବା ପାଇଁ ବାରମ୍ବାର କୁହାଯାଉଥିବାବେଳେ କିଛି ବ୍ୟବସାୟୀ ଡଷ୍ଟବିନ୍ ବ୍ୟବହାର କରୁଛନ୍ତି। ରାସ୍ତାକଡ଼ରେ ଅଳିଆ ନପକାଇବା ପାଇଁ ତାଗିଦ କଲେ ମଧ୍ୟ ଲୋକମାନେ ଅଳିଆ ପକାଉଥିବାରୁ ଟ୍ରାକ୍ଟରରେ ଲାଗୁଥିବା ଟ୍ରଲି କିଣାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକତାକୁ ଦେଖି ଏହାକୁ ସହରର ଦୁଇଟି ଗୁରୁତ୍ବପୁର୍ଣ୍ଣ ସ୍ଥାନରେ ରଖାଯିବ। ଅନ୍ୟପକ୍ଷରେ ଏନ୍ଏସି ଇଲାକାରେ ପ୍ରାୟ ୫ହଜାରରୁ ଉର୍ଦ୍ଧ୍ବ ଘର ରହିଥିବାବେଳେ ୨ ଟି ଟାଟା ଏସିଇରେ ଆର୍ବଜନା ସଂଗ୍ରହ ସମ୍ଭବ ପର ହେଉନାହିଁ। ତେଣୁ ୨ ଟି ବ୍ୟାଟେରୀ ଚାଳିତ ଗାଡ଼ି ମଧ୍ୟ କିଣାଯିବା ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ୧୫ ଦିନ ମଧ୍ୟରେ ଗାଡ଼ି ଦୁଇଟି ଆସିବ ବୋଲି ସେ କହିଛନ୍ତି। ଲୋକମାନେ ଯଦି ରାସ୍ତାକଡରେ ଅଳିଆ ନପକାଇ ଦୋକାନ ଓ ଘରେ ଡଷ୍ଟବିନ୍ ବ୍ୟବହାର କରନ୍ତେ ତେବେ ଏନ୍ଏସି ପକ୍ଷରୁ ସବୁ ଅଳିଆ ସଂଗ୍ରହ କରାଯାଇପାରନ୍ତା। ରାସ୍ତାକଡ଼ରେ ଆଉ ଅଳିଆ ଆର୍ବଜନା ଦେଖିବାକୁ ମିଳନ୍ତା ନାହିଁ |

 

ସମ୍ବନ୍ଧିତ ଖବର