ଭଂଜନଗର : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ନେଇ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହେଉଥିବା ବେଳେ ଗଂଜାମ ଜିଲ୍ଲା ଭଂଜନଗର ଥାନା ଇଲାକା ଏକ ଗ୍ରାମର ଜଣେ ସ୍କୁଲଛାତ୍ରୀଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ଚାଞ୍ଚଲ୍ୟ ସୃଷ୍ଟି କରିଛି। ୨୨ ତାରିଖରୁ ଅପହୃତ ନାବାଳିକାଙ୍କୁ ଭଂଜନଗର ଥାନା ପୁଲିସ ଶୁକ୍ରବାର ଭୁବନେଶ୍ୱରରୁ ଉଦ୍ଧାର କରିଥିଲା। ସେଠାରୁ ଅଭିଯୁକ୍ତ ସୁଶାନ୍ତ ପ୍ରଧାନକୁ ମଧ୍ୟ ଧରିଛି। ଅଟକ ରଖି ପଚରାଉଚରା ଚଳାଇଛି। ସୁଶାନ୍ତ ମଧ୍ୟ ନାବାଳିକାଙ୍କ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ନାବାଳିକାଙ୍କୁ ଗଣଦୁଷ୍କର୍ମ ସନ୍ଦେହ କରା ଯାଉଥିବାରୁ ଏଥିରେ ଅନ୍ୟ କେଉଁ ମାନଙ୍କ ସଂପୃକ୍ତି ରହିଛି ଏହାକୁ ବି ତଦନ୍ତ ପରିସରଭୁକ୍ତ କରାଯାଇଛି। ପୀଡ଼ିତାଙ୍କ ଆଜି ବ୍ରହ୍ମପୁର ବଡ଼ ମେଡିକାଲରେ ଡାକ୍ତରୀ ମାଇନା ହୋଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଛି। ପକ୍ସୋ କୋର୍ଟରେ ତାଙ୍କର ବୟାନ ରେକର୍ଡ ପରେ ସୁଶାନ୍ତକୁ ଗିରଫ କରାଯିବ। ଏ ନେଇ ଭଂଜନଗର ଥାନାରେ କେସ୍ (ନମ୍ବର ୩୨/୨୦୧୮) ରୁଜୁ ହୋଇଥିବା ନେଇ ତଦନ୍ତକାରୀ ଅଧିକାରୀ ତଥା ଭଂଜନଗର ଥାନା ଭାରପ୍ରାପ୍ତ ଡିଏସ୍ପି ଅଶ୍ୱିନୀ କୁମାର ସାହୁ ସୂଚନା ନେଇଛନ୍ତି।
ଅଭିଯୋଗ ଅନୁସାରେ, ଗତ ୨୨ ତାରିଖରେ ଛାତ୍ରୀଜଣକ ସରସ୍ୱତୀ ପୂଜାରେ ଯୋଗ ଦେବାକୁ ନିକଟସ୍ଥ ଗାଁରେ ଥିବା ତାଙ୍କ ଟ୍ୟୁସନ୍କୁ ଯାଇଥିଲେ। ଏହି ସମୟରେ ସୁଶାନ୍ତ ସେଠାରେ ପହଞ୍ଚି ତାଙ୍କୁ ଡାକିଥିଲା। ଛାତ୍ରୀ ଜଣକ ତା’ ପାଖକୁ ଯିବା ପରେ ସୁଶାନ୍ତ ତାଙ୍କ ମୁହଁରେ କିଛି ସ୍ପ୍ରେ ପକାଇ ଦେଇଥିଲା। ସୁଶାନ୍ତ ସହ ଆଉ କିଛି ଯୁବକ ମଧ୍ୟ ଥିଲେ। ଏହାପରେ ସେମାନେ ଛାତ୍ରୀ ଜଣଙ୍କୁ ଅପହରଣ କରି ନେଇଥିଲେ। ଭୁବନେଶ୍ୱର, କଟକରେ ସୁଶାନ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା। ଏନେଇ ଛାତ୍ରୀଙ୍କ ପରିବାର ଲୋକେ ଭଂଜନଗର ଥାନାରେ ଏତଲା ଦେବା ପରେ ଗତକାଲି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଯାଇ ତାଙ୍କୁ ଉଦ୍ଧାର କରିଥିଲା। ଆଉ ସୁଶାନ୍ତକୁ ବି କାବୁ କରି ନେଇଥିଲା। ମାମଲା ରୁଜୁ ପରେ ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସୁଶାନ୍ତକୁ ଅଟକ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/sexual-harassment1.jpg)