ଚିଟ୍‌ଫଣ୍ଡ୍ ଠକେଇ : ବନ୍ଧା ହେଲେ ଗ୍ରିନ୍ ଇଣ୍ଡିଆ ଏମ୍‌ଡି

ବ୍ରହ୍ମପୁର : ଚିଟ୍‌ଫଣ୍ଡ ସଂସ୍ଥା ଗ୍ରିନ୍ ଇଣ୍ଡିଆର ମୁଖ୍ୟ ତଥା ଏମ୍‌ଡି ପ୍ରଦୀପ ସିଂଙ୍କୁ ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚିଟ୍‌ଫଣ୍ଡ କୋର୍ଟରେ ତାଙ୍କୁ ହାଜର ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଟାଉନ୍ ଥାନା ଇଲାକାର ପ୍ରାୟ ୩୬ଜଣ ଜମାକାରୀ ଏହି ସଂସ୍ଥାରେ ୨କୋଟି ୧୯ଲକ୍ଷ ୧୫ହଜାର ଟଙ୍କା ଜମା କରି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।

ଟାଉନ୍ ଥାନାରେ ପ୍ରଦୀପଙ୍କ ନାଁରେ ମୋଟ ୫ଟି ମାମଲା ରହିଥିବା ବେଳେ ଗୋଟିଏ ମାମଲା କ୍ରାଇମ୍‌ବ୍ରାଞ୍ଚ ନିଜ ହାତକୁ ନେଇଛି। ସେହି ମାମଲାରେ ପ୍ରଦୀପ ଗିରଫ ହୋଇ ଗତ ୨୦୧୪ ଅଗଷ୍ଟ ୭ତାରିଖରୁ ୨୦୧୮ଜୁନ୍ ୧୩ତାରିଖ ପର୍ଯ୍ୟନ୍ତ ଜେଲ୍‌ରେ ଥିଲେ। ଏହାପରେ ସେ ଜାମିନ୍‌ରେ ଆସିଥିଲେ। ଅନ୍ୟ ୪ଟି ମାମଲା ସମ୍ପର୍କରେ ଜେରା କରିବା ପାଇଁ ଟାଉନ୍ ଥାନା ପୁଲିସ ଗତକାଲି ପ୍ରଦୀପଙ୍କୁ ଅଟକ ରଖିଥିଲା। ଆଜି ଏହି ମାମଲାରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଟାଉନ୍ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ଗ୍ରିନ୍ ଇଣ୍ଡିଆ ଚିଟ୍‌ଫଣ୍ଡ ସଂସ୍ଥା ଲୋକଙ୍କୁ ଅଧିକ ହାରରେ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଆଦାୟ କରିଥିଲା। କିନ୍ତୁ ପରେ ହଠାତ୍ କମ୍ପାନି ବନ୍ଦ ହୋଇଯାଇଥିଲା। ଜମାକାରୀ ସେମାନଙ୍କ ଟଙ୍କା ଫେରି ପାଇ ନଥିଲେ। ଶହ ଶହ ଜମାକାରୀ ଥାନାରେ ଅଭିଯୋଗ କରିଥିଲେ। ଟାଉନ୍ ଥାନାରେ ମଧ୍ୟ ୫ଟି ମାମଲା ରହିଥିବା ବେଳେ ତନ୍ମଧ୍ୟରୁ ଗୋଟିଏ ମାମଲା କ୍ରାଇମ୍‌ବ୍ରାଞ୍ଚ ନେଇଛି। ଅନ୍ୟ ୪ଟି ମାମଲାରେ ପଚରାଉଚରା କରିବା ପାଇଁ ଗତକାଲି ଟାଉନ୍ ଥାନା ପୁଲିସ ପ୍ରଦୀପଙ୍କୁ ତାଙ୍କ ଘର ନିକଟରୁ ଉଠାଇ ଆଣିଥିଲା। ଆଜି କେସ୍ ନମ୍ବର ୯୮/୧୬ରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୩ଟି ମାମଲାରେ ରିମାଣ୍ଡ ଦିଆଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର