ବେଆଇନ ବାଲିଘାଟକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ : ପୂର୍ବତନ ସରପଞ୍ଚଙ୍କୁ ଅପହରଣ

ପାଟପୁର/ଦିଗପହଣ୍ଡି : ଦିଗପହଣ୍ଡି ଅଞ୍ଚଳରେ ବେଆଇନ ମୋରମ୍‌, ବାଲି ଚାଲାଣ ବେଧଡ଼କ ଚାଲିଛି। ଗତ ମାର୍ଚ୍ଚ ମାସରେ ବେଆଇନ ମୋରମ୍‌ ଚାଲାଣ ଧରପଗଡ଼ ବେଳେ ସ୍ଥାନୀୟ ଅତିରିକ୍ତ ତହସିଲଦାର ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ। ବର୍ତ୍ତମାନ ପୁଣି ବେଆଇନ ବାଲି ଖାଦାନକୁ କେନ୍ଦ୍ର କରି ମଳାଭଞ୍ଜା ଗାଁର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଅଶ୍ୱିନୀ ରଥଙ୍କୁ ଅପହରଣ ପରେ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ପରସ୍ପର ବିରୋଧରେ ଦିଆଯାଇଥିବା ଏତଲାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀର ୬ଜଣଙ୍କୁ ଦିଗପହଣ୍ଡି ପୁଲିସ୍‌ ଗିରଫ କରିଛି।

ସୂଚନାନୁସାରେ, ଲକ୍ଷ୍ମୀ ସେଠୀ ଫାସିଗୁଡ଼ା ଗାଁର ବାଲିଘାଟକୁ ଲିଜ୍‌ ସୂତ୍ରରେ ନେଇଥିଲେ। କିନ୍ତୁ ମଳାଭଞ୍ଜା ନିକଟସ୍ଥ ଘୋଡ଼ାହାଡ଼ ନଦୀର ବାଲିଘାଟ ରାସ୍ତାକୁ ଜବରଦଖଲ କରି ସେଠାରୁ ବେଆଇନ ବାଲି ଉତ୍ତୋଳନ କରିଚାଲିଥିଲେ। ଏହାକୁ ନେଇ ମଳାଭଞ୍ଜା ଗାଁର ପୂର୍ବତନ ସରପଞ୍ଚଙ୍କ ସହ ଗାଁର ଅନ୍ୟମାନେ ବିରୋଧ କରୁଥିଲେ। ଏହାକୁ ନେଇ ଗତକିଛି ଦିନ ଧରି ବାଲି ଲିଜ୍‌ଧାରୀଙ୍କ ସ୍ୱାମୀ ବିଶ୍ୱାନାଥ ଓ ପୂର୍ବତନ ସରପଞ୍ଚଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଶୁକ୍ରବାର ସକାଳ ପ୍ରାୟ ୯ଟାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଅପରାହ୍‌ଣ ୪ଟାରେ ବାଲି ଲିଜ୍‌ଧାରୀଙ୍କ କିଛି ବ୍ୟକ୍ତି ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରିନେଇଥିଲେ। ମୋବାଇଲ୍‌ ଟ୍ରାକିଂ ଓ ଅନ୍ୟ ସୂଚନା ଆଧାରରେ ତାଙ୍କୁ ଉଦ୍ଧାର କରାଯାଇଥିଲା।

ଏନେଇ ଅଶ୍ୱିନୀଙ୍କ ପତ୍ନୀ ସନ୍ତୋଷିନୀ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ଅପହରଣ ଓ ଆକ୍ରମଣ କରିଥିବା ୭ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହିଭଳି ବାଲି ଲିଜ୍‌ଧାରୀ ଲକ୍ଷ୍ମୀ ସେଠୀ ମଳାଭଞ୍ଜା ଗାଁର ବାଲି ବ୍ୟବସାୟୀ କାଳୁ ଚରଣ ବେହେରା ଓ ପୂର୍ବତନ ସରପଞ୍ଚ ଅଶ୍ୱିନୀ ରଥ ଏବଂ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ୍‌ ଏତଲା ଭିତ୍ତିରେ ଆଜି କାଳୁ ଚରଣ ବେହେରା ଓ ଶଙ୍କର ରଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହାକୁ କେନ୍ଦ୍ର କରି ମଳାଭଞ୍ଜା ଗାଁରେ ଚାପା ଉତ୍ତେଜନା ଲାଗିରହିଛି।

ସମ୍ବନ୍ଧିତ ଖବର