ଭିନ୍ନକ୍ଷମ ହୋଇ ବି ସକ୍ଷମ ଅନୀଲ

ଗୋଳନ୍ଥରା: ସେ ଭିନ୍ନକ୍ଷମ। ହେଲେ ଅକ୍ଷମ ନୁହଁନ୍ତି। ନିଜେ କାମ ନିଜେ କରୁଛନ୍ତି ଓ ପରିବାର ପ୍ରତିପୋଷଣ ଭାର ନିଜେ ଉଠାଉଛନ୍ତି। ଦଇବ ଦାଉ ତାଙ୍କୁ ହରାଇ ପାରି ନାହିଁ। ଏମିତି ଜଣେ ମଣିଷ ହେଉଛନ୍ତି ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅଧୀନ କୋଲଥିଗାଁର ଅନୀଲ କୁମାର ପାତ୍ର (୪୨)। ପିଲାଟି ବେଳୁ ତାଙ୍କର ହାତ ଗୋଡ଼ ବଙ୍କା। ହେଲେ ସେ ସବୁ କାମ କରିପାରୁ ଥିଲେ। ସାଇକେଲ୍ ଚଳାଇବାଠାରୁ ଆରମ୍ଭ କରି ଘରର ଅନ୍ୟ ସମସ୍ତ କାମରେ ସହଯୋଗ କରିପାରୁ ଥିଲେ। ହେଲେ ଗତ ୪ ବର୍ଷ ତଳେ ତାଙ୍କ ପାଇଁ ଦଇବ ଯେମିତି ବଇରି ସାଜିଥିଲା। ନିଜ ଘର ବାରଣ୍ଡାରେ ଗୋଡ଼ ଖସି ପଡ଼ିଯିବାରୁ ସେହିଦିନ ଠାରୁ ସେ ଆଉ ଚାଲି ପାରି ନଥିଲେ। ହେଲେ ସେ ଏଥିରେ ଭାଙ୍ଗି ପଡ଼ିନଥିଲେ। ପରିବାରର ବୋଝ ଉଠାଇବା ପାଇଁ ଗାଁ ମୁଣ୍ଡରେ ଏକ ସାଇକେଲ୍ ମାର୍ଟ ଖୋଲିଥିଲେ। ଏଥିରେ ଦୈନିକ ୩୦ରୁ ୪୦ଟଙ୍କା ରୋଜଗାର କରିବା ସହ ସେଥିରେ କଷ୍ଟମଷ୍ଟେ ପରିବାର ଚଳାଉଛନ୍ତି।

ଅନୀଲଙ୍କ ସ୍ତ୍ରୀ କୋକିଳା ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ଝିଅ ପ୍ରାଚୀ ଅଷ୍ଟମ ଓ ପୁଅ ଶ୍ରୀଧର ଦ୍ବିତୀୟ ଶ୍ରେଣୀରେ ପଢ଼ୁଛନ୍ତି। ସରକାରୀ ସହାୟତା ଭାବେ ମାସିକ ଚାଉଳ ଓ ଭିନ୍ନକ୍ଷମ ଭତ୍ତା ମିଳୁଛି। ତେବେ ପୂର୍ବରୁ ତାଙ୍କ ପରିବାର ହସ ଖୁସିରେ ଚାଲୁଥିବା ବେଳେ ଏବେ ପିଲା ଦୁଇଟି ପଢ଼ୁଥିବାରୁ ସେମାନଙ୍କ ଖର୍ଚ୍ଚ ପାଇଁ ଅନୀଲଙ୍କୁ ଅସୁବିଧା ହେଉଛି। ସେହିପରି ସାଇକେଲ୍ ମାର୍ଟରୁ ଆଗ ଭଳି ରୋଜଗାର ହେଉନାହିଁ।

କିଛି ଦିନ ତଳେ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କୁ ଏକ ତିନି ଚକିଆ ସାଇକେଲ୍ ପ୍ରଦାନ କରିଥିଲେ। ଏବେ ସେ ଉକ୍ତ ସାଇକେଲ୍ ଯୋଗେ ଯାତାୟାତ କରୁଛନ୍ତି। ଅନୀଲଙ୍କୁ ପଚାରିବାରୁ ସେ କୁହନ୍ତି ‘ଗୋଡ଼ ସିନା କାମ କରୁନି ହେଲେ ହାତ ତ ଅଛି। ତେଣୁ କାହା ଉପରେ ବୋଝ ହେବି କାହିଁକି ?’। ତେବେ ତାଙ୍କୁ ଭଲ କାମଟିଏ ସରକାରଙ୍କ ତରଫରୁ ଯୋଗାଇ ଦେଲେ ସେ ଭଲ ରୋଜଗାର କରିବା ସହ ଭଲରେ ପରିବାର ଚଳାଇପାରନ୍ତେ ବୋଲି ଆଶା ରଖିଛନ୍ତି। ଅନ୍ୟପକ୍ଷରେ ଅନୀଲଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଉ ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର