ବ୍ରହ୍ମପୁର: ଦିନକୁ ଦିନ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ କିଛି ଅସାମାଜିକ ଯୁବକ ଯୁବତୀଙ୍କ ଅଶ୍ଳୀଳ ଫଟୋ ଅପ୍ଲୋଡ୍ କରି ନାନା ହଇରାଣ କରୁଛନ୍ତି। ପୁଣିଥରେ ଏଭଳି ଅଭିଯୋଗ ଆସିଛି। ଦୁଇଜଣ ଯୁବତୀଙ୍କ ନାମରେ ନକଲି ଫେସ୍ବୁକ୍ ଆକାଉଣ୍ଟ୍ କରି ସେଥିରେ ତାଙ୍କର ଫଟୋ ଏବଂ ମୋବାଇଲ୍ ନମ୍ବର ଦେଇ ସେମାନଙ୍କୁ କଲ୍ଗାର୍ଲ ପରିଚୟ ଦେଇଥିଲେ। ଫଳରେ ଉଭୟ ଯୁବତୀଙ୍କୁ ବିଭିନ୍ନ ଲୋକ ଫୋନ୍ କରି ନାନା ହଇରାଣ କରିଥିଲେ। ଏ ନେଇ ଉଭୟ ଯୁବତୀଙ୍କ ପକ୍ଷରୁ ବ୍ରହ୍ମପୁର ସାଇବର୍ ଥାନାରେ ଅଭିଯୋଗ କରାଯାଇଛି। ଏ ନେଇ ପୁଲିସ କେସ୍ ନମ୍ବର ୧୩/୨୦ ଓ ୧୪/୨୦ରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର ସହରର ଏକ ସୁନା ଦୋକାନରେ କାମ କରୁଥିବା ଜନୈକା ଯୁବତୀଙ୍କୁ ହଠାତ୍ ଜଣେ ଅପରିଚିତ ବ୍ୟକ୍ତି ଫୋନ୍ କରି ଅଶ୍ଳୀଳ ଭାଷାରେ କଥାବାର୍ତ୍ତା କରିଥିଲେ। ଯୁବତୀ ଜଣକ ଏହାର ପ୍ରତିବାଦ କରିଥିଲେ। ଏହାପରେ ପୁଣି ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରିଥିଲେ। ବାରମ୍ବାର ଏଭଳି ଫୋନ୍ ଆସିବାରୁ ଯୁବତୀ ଜଣକ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ହୋଇଥିଲେ। ତାଙ୍କ ନାମରେ କେହି ଜଣେ ଦୁର୍ବୃତ୍ତ ନକଲି ଫେସ୍ବୁକ୍ ଆକାଉଣ୍ଟ୍ କରି ତାଙ୍କର ଫଟୋ ଦେଇ କଲ୍ଗାର୍ଲର ପରିଚୟ ଦେଇଛି। ଏଣୁ ତାଙ୍କ ନିକଟକୁ ଏଭଳି ଫୋନ୍ ଆସୁଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ସାଇବର୍ ଥାନାରେ ଅଭିଯୋଗ କରିଥିଲେ। ଠିକ୍ ଏଭଳି ସମାନ ଢ଼ଙ୍ଗରେ ଫୁଲବାଣୀରେ ରହୁଥିବା ଜନୈକା ଯୁବତୀ ମଧ୍ୟ ଲୋକଙ୍କ ହଇରାଣର ଶିକାର ହେବା ପରେ ସେ ମଧ୍ୟ ସାଇବର୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉଭୟ ଅଭିଯୋଗକୁ ଆଧାର କରି ପୁଲିସ ତା'ର ତଦନ୍ତ ଆରମ୍ଭ କରିଛି। ଏଭଳି କାଣ୍ଡ କରିଥିବା ଯୁବକଙ୍କ ପରିଚୟ ଖୋଜି ବାହାର କରିବାରେ ପୁଲିସ ଲାଗି ପଡ଼ିଛି। ଖୁବ୍ଶୀଘ୍ର ସେମାନେ ଧରା ପଡ଼ିବେ ବୋଲି ପୁଲିସ ଆଶାବାଦୀ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/facebook-main4.jpg)