ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଜେଣ୍ଟ ହତ୍ୟା ମାମଲା:ଗଙ୍ଗା ଜେଲ୍‌ ଗଲା, ଡାକ୍ତରଙ୍କୁ ଖୋଜା

ନର୍ସଙ୍କ ଭୂମିକା ନେଇ ଖୋଳତାଡ଼: ସ୍କାନର୍‌ରେ ଆଉ ଦୁଇ ଅଜ୍ଞାତ: ଶବ କଟା ଅସ୍ତ୍ର ମିଳୁନି

ବ୍ରହ୍ମପୁର: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁପ୍ରସାଦ ଗୌଡ଼ ହତ୍ୟା ମାମଲାରେ  ପୁଲିସ ଅଭିଯୁକ୍ତ ଗଙ୍ଗା ବେହେରାକୁ କୋର୍ଟ ଚାଲାଣ କରିଛି। କୋର୍ଟଙ୍କ ନିର୍ଦେଶରେ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଡା. ହୃଷୀକେଶ ତ୍ରିପାଠୀ ଫେରାର୍‌ ଅଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଜଣାପଡ଼ିଛି। ଡା. ତ୍ରିପାଠୀ ରାଜ୍ୟ ବାହାରକୁ ଚାଲି ଯାଇଥିବା ନେଇ ସନ୍ଦେହ କରାଯାଉଛି। ଅନ୍ୟପଟେ ନର୍ସଙ୍କ ଭୂମିକାକୁ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ସମ୍ପୃକ୍ତ ନର୍ସଙ୍କୁ ମହିଳା ଥାନାରେ ଜେରା କରାଯାଇଛି। ତେବେ ତ୍ରିକୋଣୀୟ ପ୍ରେମକୁ ନେଇ ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡରେ ନର୍ସଙ୍କ ପ୍ରତ୍ୟକ୍ଷ ଭୂମିକା ରହିଛି କି ନାହିଁ ତାହା ପୁଲିସ ସ୍ପଷ୍ଟ କରିପାରୁ ନାହିଁ। ତେବେ ଏ ଦିଗରେ ଖୋଳତାଡ଼ ଜୋର୍‌ଦାର କରିଛି।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ବଣିିଆ ଗ୍ରାମର ବିଷ୍ଣୁ ଗତ ଅଗଷ୍ଟ ୧୯ ତାରିଖରେ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଥିଲେ। ବିଷ୍ଣୁଙ୍କ ନିଖୋଜ ପଛରେ ଡା. ତ୍ରିପାଠୀ ଓ ଜନୈକା ନର୍ସ ଦାୟୀ ବୋଲି ପତ୍ନୀ ନର୍ମଦା ଗୌଡ଼ ଅଭିଯୋଗ ଆଣିଥିଲେ। ପୁଲିସ ଘଟଣାର ତଦନ୍ତ କରି ଶେଷରେ ଗତକାଲି ଡା. ତ୍ରିପାଠୀଙ୍କ ମାଳି ଗଙ୍ଗାର ସୂଚନାକୁ ଆଧାର କରି ବିଷ୍ଣୁ ହତ୍ୟାକାଣ୍ଡର ଖୁଲାସା କରିଥିଲା। ଗଙ୍ଗା ଅଜାଣତରେ ଏହି ମାମଲାରେ ଛନ୍ଦି ହୋଇଥିବା ବେଳେ ଡା. ତ୍ରିପାଠୀ ହିଁ ହତ୍ୟାକାରୀ ବୋଲି ପୁଲିସ ସ୍ପଷ୍ଟ କରିଛି। ଗତକାଲି ଗୋପାଳପୁର ଥାନା ବଡ଼ଗୁମୁଳା ସ୍ଥିତ ଏକ କୂଅରୁ ବିଷ୍ଣୁଙ୍କ ଖଣ୍ଡବିଖଣ୍ଡି ଶବ ଜବତ ହୋଇଥିଲା।

ଏ ନେଇ ପୁଲିସ କେସ୍‌ ନମ୍ବର ୧୮୬/୧୮ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ବିଷ୍ଣୁଙ୍କ ଶରୀରରୁ ସଂଗ୍ରହ ହୋଇଥିବା ନମୁନା ଭିସେରା ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଏସ୍‌ଏଫ୍‌ଏଲ୍‌କୁ ପଠା ଯାଇଛି। ସେହିପରି ବିଷ୍ଣୁଙ୍କ ଡିଏନ୍‌ଏ ଟେଷ୍ଟ ମଧ୍ୟ କରାଯିବ। ପୁଲିସ ଡା. ତ୍ରିପାଠୀଙ୍କ ଗାୟତ୍ରୀ କ୍ଲିନିକ୍‌ ସିଲ୍‌ କରିଥିବା ବେଳେ ସେଠାରୁ ମଧ୍ୟ ବିଭିନ୍ନ ପ୍ରକାର ପ୍ରମାଣ ଯୋଗାଡ଼ କରିଛି। କିନ୍ତୁ ବିଷ୍ଣୁଙ୍କୁ କେଉଁ ଅସ୍ତ୍ରରେ ହାଣି ଖଣ୍ଡଖଣ୍ଡ କରାଗଲା ତାହା ଅଦ୍ୟାବଧି ଜବତ ହୋଇ ନାହିଁ। ଏହି ହତ୍ୟାକାଣ୍ଡ ଘଟଣା ପଛରେ ୪ଜଣଙ୍କ ନାଁ ଆସୁଛି। ମୁଖ୍ୟ ଅଭିଯୁକ୍ତ ଡା. ତ୍ରିପାଠୀ ଥିବା ବେଳେ ସହଯୋଗୀ ଭାବେ ତାଙ୍କ ମାଳି ଗଙ୍ଗା ଗିରଫ ହୋଇଛନ୍ତି।

ତେବେ ଅନ୍ୟ ଦୁଇ ଜଣ କିଏ ତାହା ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ହୋଇ ରହିଛି। ବିଷ୍ଣୁଙ୍କ ବନ୍ଧୁଙ୍କ ନିକଟରୁ ଯାଇଥିବା ଅଜଣା କଲ୍‌ରେ ଫୋନ୍‌ କରିଥିବା ବ୍ୟକ୍ତି ଜଣକ ୪ଜଣଙ୍କ ନାଁ କହିଛି। ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅନ୍ୟ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି କିଏ ସେ ନେଇ ପୁଲିସ ତନାଘନା ଚଳାଇଛି। ସେପଟେ ଏହି ଘଟଣାରେ ନର୍ସଙ୍କ ଭୂମିକାକୁ ନେଇ ତଦନ୍ତ ଚାଲିଥିବା ବୈଦ୍ୟନାଥପୁର ଥାନା ଅଧିକାରୀ ଜେ.କେ ପଟ୍ଟନାୟକ ସୂଚନା ଦେଇଛନ୍ତି।
ତ୍ରିକୋଣୀୟ ପ୍ରେମକୁ ନେଇ ଘଟିଥିବା ଏହି ହତ୍ୟାକାଣ୍ଡ ପଛରେ ବ୍ଲାକମେଲିଂ ଓ ଟଙ୍କା କାରବାର ମଧ୍ୟ ଏକ ପ୍ରମୁଖ କାରଣ ହୋଇ ଥାଇପାରେ ବୋଲି ଆଲୋଚନା ହେଉଛି। ବିଷ୍ଣୁଙ୍କ ସହିତ ସମ୍ପୃକ୍ତ ନର୍ସଙ୍କ ପ୍ରାୟ ୧୦ବର୍ଷ ହେଲା ସମ୍ପର୍କ ଥିଲା ବୋଲି ଶୁଣିବାକୁ ମିଳୁଛି। ଏମିତିକ ବ୍ରହ୍ମପୁର ସହରରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଘରଭଡ଼ା ନେଇ ସମ୍ପୃକ୍ତ ନର୍ସ ସହିତ ବିଷ୍ଣୁ ସ୍ୱାମୀ-ସ୍ତ୍ରୀ ଭାବେ ରହି ଆସୁଥିଲେ। ଦୀର୍ଘ ୧୦ବର୍ଷର ସମ୍ପର୍କରେ ଡା. ତ୍ରିପାଠୀ ପ୍ରବେଶ କରିଛନ୍ତି ନା ଡାକ୍ତର ଓ ନର୍ସଙ୍କ ମଧ୍ୟରେ ବିଷ୍ଣୁ ପ୍ରତିବନ୍ଧକ ସାଜିଥିଲେ ତାହା ଖୁଲାସା ହୋଇପାରୁ ନାହିଁ। ନର୍ସଙ୍କ ଠାରୁ ପୁଲିସ ସେମିତି କିଛି ଖାସ୍‌ ସୂଚନା ପାଇପାରୁ ନାହିଁ। ଡା. ତ୍ରିପାଠୀ ଧରା ପଡ଼ିବା ପରେ ହିଁ ଏହି ତ୍ରିକୋଣୀୟ ପ୍ରେମର ରହସ୍ୟମୟ ନିଖୋଜ ଓ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର