ଭୁବନେଶ୍ବର : ଗୋପାଳପୁର ବନ୍ଦର ପକ୍ଷରୁ ନିଜର ସିଏସଆର କାର୍ଯ୍ୟକ୍ରମ ଅଧିନରେ ବ୍ରହ୍ମପୁରର ଟିକିରିଆଠାରେ ଏକ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି । ଏହାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉଦଘାଟନ କରିଥିଲେ ।
ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ କରି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନଙ୍କର ବହୁଦିନର ଆବଶ୍ୟକତା ଥିଲା । ନିକଟସ୍ଥ ଗ୍ରାମଗୁଡିକର ସମସ୍ତ ବୟସ ବର୍ଗର ଲୋକମାନେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ବାରା ଉପକୃତ ହେବେ ।
ଏହି ଉଦଘାଟନୀ ସମାରୋହରେ ଯୋଗ ଦେଇ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) କ୍ୟାପ୍ଟେନ ସନ୍ଦୀପ ଅଗ୍ରୱାଲ କହିଛନ୍ତି ଯେ ଆମର ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଲୋକମାନଙ୍କ ପାଇଁ କିଛି କରିପାରିଥିବାରୁ ଆମେ ଖୁସି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଯୋଗୁଁ ଗୋପାଳପୁର ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ଥିବା କାନାମନା, ମାଟିଖାଲ, ଆର୍ଜିପାଲ୍ଲି ଇତ୍ୟାଦି ଆଖପାଖ ଗାଁର ପ୍ରାୟ ୧୦ ହଜାର ପରିବାର ଉପକୃତ ହୋଇପାରିବେ । ଉଦଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବନ୍ଦରର ମେଡିକାଲ ଅଫିସର ଡ. ସୁଭାଷ ଚନ୍ଦ୍ର ସାହୁ, ଏସ୍ ଚକ୍ରପାନି ରେଡ୍ଡୀ, ସରପଞ୍ଚ କାନାପାନା ପଞ୍ଚାୟତ, ରଶ୍ମିତା ବେହେରା, ନାମିନୀ, ସ୍ଥାନୀୟ ବୁଦ୍ଧିଜୀବୀ ତଥା ବନ୍ଦର ଅଧିକାରୀମାନେ ଉପସ୍ଥିତ ଥିଲେ ।