ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ପରିସ୍ଥିତି ବେହାଲ ହୋଇଛି। ଗଂଜାମ. ଗଜପତି, କୋରାପୁଟ, ମାଲକାନଗିରି ଓ ନବରଂଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ କୋରାପୁଟର ଜିଲ୍ଲାର ସେମିଳିଗୁଡ଼ା ଅଞ୍ଚଳରେ ଜାତୀୟ ରାଜପଥ ସାମ୍ନା ରାସ୍ତାରେ ୫ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ଗଂଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ଏକ ଅଟୋ ଉପରେ ବିଶାଳ ଗଛ ଉପୁଡ଼ି ଚାପି ହୋଇଛି। ସେହିପରି ମାଲକାନଗିରି ଜିଲ୍ଲାର ସିଲେରୁ ନଦୀର ଜଳସ୍ରୋତ ଜଣେ ବ୍ୟକ୍ତିଙ୍କୁ ଭସାଇ ନେଇଛି। 

Advertisment

ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଅନେକ ସ୍ଥାନରେ ରାସ୍ତା ଉପରେ ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ଆର ଉଦୟଗିରି ଖଜୁରୀପଦା ମଧ୍ୟବର୍ତ୍ତୀ ଜାତୀୟ ରାଜପଥ ୩୨୬-ଏ ରାସ୍ତା ଉପରେ ବିପଦପୂର୍ଣ୍ଣ ପାଣି ପ୍ରବାହିତ ହେଉଥିବା ବେଳେ ଅନେକ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇରହିଛି। ଫଳରେ ରାସ୍ତା ଉପରେ ଅନେକ ଗାଡ଼ି ଅଟକି ରହିଛି। ପ୍ରବଳ ବର୍ଷା ଯୋଗୁଁ ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ଛେଲାଗଡ଼ ଗ୍ରାମପଞ୍ଚାୟତର ଡେଙ୍ଗା ଆମ୍ବ ନିକଟରେ ରାସ୍ତା ଓ କଲଭେର୍ଟ ଉଭୟ ଭାସିଯାଇଛି।  

ମୋହନା ବ୍ଲକ ଗୁର୍ଗମ ଅଞ୍ଚଳ ପାଜିଗୁଡ଼ି ଗ୍ରାମ ନିକଟରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତାରେ ପଡ଼ି ରହିଛି। ମୋହନାସ୍ଥିତ ଲେଡବନ୍ଧ ବ୍ରିଜ ଉପରେ ତିନି ଫୁଟର ପାଣି। ଜାତୀୟ ରାଜପଥ ୩୨୬ ହୋଇ ଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ। ଏହି ରାସ୍ତା ଟି ମାଲକାନଗିରି, ଜୟପୁର, ରାୟଗଡା ରୁ ବ୍ରହ୍ମପୁର ଓ ଭୁବନେଶ୍ୱର କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ହୋଇ ଥିବାରୁ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷାରେ ବିରାଟ ଗଛ ଉପୁଡ଼ିପଡ଼ିଛି। ଏକ ଅଟୋ ଉପରେ ପଡ଼ିଯିବାରୁ ଏହା ଭାଙ୍ଗିରୁଜୁ ଚୁରମାର ହୋଇଯାଇଛି। ତେବେ ୫ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଶେରଗଡ଼ ବ୍ଲକ ଧବଳେପୁର ଓ ଷୋଳଶଳା ମଝି ରାସ୍ତାରେ ଅଟୋ ଉପରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି।

Rain in Odisha | ganjam | Gajapati