ଶୀତରେ ଖୋଲାମେଲାରେ କଟୁଛି ଅସହାୟଙ୍କ ରାତି; ସାହାରା ପାଲଟିଛି ଦୋକାନ ପିଣ୍ଡି, ଘର ବାରଣ୍ଡା

ଭଞ୍ଜନଗର: ଦିନର କୋଳାହଳ ପରେ ରାତିର ଶୂନ୍‌ଶାନ୍‌ରେ ମୁଣ୍ଡ ଗୁଞ୍ଜିବା ଲାଗି ଦୋକାନ ପିଣ୍ଡି ନହେଲେ ଘର ବାରଣ୍ଡା ପାଇଁ ଖୋଜାପଡ଼େ। ରାତି ସାଙ୍ଗକୁ ଶୀତର ପ୍ରକୋପ ମଧ୍ୟ ବଢ଼ିବାକୁ ଲାଗୁଥିବା ବେଳେ ମାତ୍ର ୪ ହାତ କମ୍ବଳରେ ନିଜକୁ ସାଉଁଟି ରଖିବାକୁ ଚାଲେ ଅନବରତ ଚେଷ୍ଟା। ଆଉ କଷ୍ଟେମଷ୍ଟେ ରାତି କଟିଥାଏ। ଭଞ୍ଜନଗର ସହରରେ ବର୍ତ୍ତମାନ ଗରିବ, ଅସହାୟ ଓ ମାନସିକ ‌ରୋଗୀଙ୍କୁ ପ୍ରତିଦିନ ଏଭଳି ଅବସ୍ଥାରେ ଦେଖିବାକୁ ମିଳୁଛି। ଆଜିଯାଏ ସହରରେ ରାତ୍ରୀ ଆଶ୍ରୟସ୍ଥଳୀଟିଏ ତିଆରି ପାଇଁ ପ୍ରଶାସନ ପରିକଳ୍ପନା କରିପାରି ନଥିବା ବେଳେ ଶୀତରାତିରେ ଗରିବ ଓ ଅସହାୟଙ୍କ ଅବସ୍ଥା ଶୋଚନୀୟ ପାଲଟିଯାଉଛି। ଏଭଳି ଘଡ଼ିସନ୍ଧି ବେଳାରେ ଦୋକାନ ପିଣ୍ଡା ଓ ଘର ବାରଣ୍ଡା ସେମାନଙ୍କ ପାଇଁ ଏକ ମାତ୍ର ସାହାଭରସା। ଖାଲି ଏତିକି ନୁହେଁ, ସହରକୁ ଛୋଟମୋଟ ବ୍ୟବସାୟ କରିବାକୁ ଆସୁଥିବା ବେପାରୀ ମାନେ ବି ସମଦଶା ଭୋଗୁଛନ୍ତି। କୌଣସି କାରଣବଶତଃ ଘରକୁ ନ ଫେରିପାରିଲେ, ଜିନିଷପତ୍ର ସହ କାହାର ଘର ପିଣ୍ଡା ନହେଲେ ଫୁଟପାଥରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ହେଲେ ରାତ୍ରୀ ଆଶ୍ରୟସ୍ଥଳୀ ପାଇଁ ସରକାରୀସ୍ତରରେ ଆଜି ପର୍ଯ୍ୟନ୍ତ କୌଣସି ଉଦ୍ୟମ ନହେବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ସହରରେ ପ୍ରତିିଦିନ ବହୁ ଗରିବ, ଅସହାୟ ଓ ନିରାଶ୍ରୟ ଲୋକଙ୍କୁ ଦେଖିବାକୁ ମିଳିଥାଏ। ସେହିପରି ପ୍ରତିଦିନ ଏଠାକୁ ବିଭିନ୍ନ ଗ୍ରାମାଞ୍ଚଳ ଓ ସହର ଉପକଣ୍ଠରୁ ବ‌ହୁ ‌ଲୋକ ଶ୍ରମିକ ଭାବେ ମୂଲ କାମ କରିବାକୁ ଆସୁଥିବା ବେଳେ ଦୂରଦୂରାନ୍ତରୁ ବୁଲା ବେପାରୀ ମାନେ ସାମଗ୍ରୀ ଧରି ପହଞ୍ଚିଥାନ୍ତି। ପନିପରିବା ଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍‌ ଖେଳନା, ଶୀତବସ୍ତ୍ର ,ନିତ୍ୟ ବ୍ୟବହାର୍ଯ୍ୟ ଓ ମାଟି ନିର୍ମିତ ସାମଗ୍ରୀ, ଝାଡ଼ୁ ପର୍ଯ୍ୟନ୍ତ ବିଭିନ୍ନ ଜିନିଷପତ୍ର ଦିନସାରା ବୁଲି ବିକିଥାନ୍ତି। ଯେଉଁ ଦିନ ଭଲ ବିକ୍ରି ହୁଏ, ସେଦିନ ଟଙ୍କା ନେଇ ଘରକୁ ଫେରନ୍ତି। କିନ୍ତୁ ଯେଉଁ ଦିନ ଭଲ ବେପାର ହୋଇ ନଥାଏ, ବଳକା ସାମଗ୍ରୀକୁ ଧରି ବେପାରୀଙ୍କୁ ରହିବାକୁ ପଡ଼ିଥାଏ। କାରଣ ଗାଁକୁ ସମସ୍ତ ସାମଗ୍ରୀ ନେଇ ପୁଣି ପରଦିନ ଆସିବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇଥାଏ। ତେଣୁ ସେମାନ‌େ ବାଧ୍ୟ ହୋଇ ଦୋକାନ ପିଣ୍ଡି କିମ୍ବା ସରକାରୀ କାର୍ଯ୍ୟାଳୟ ସମ୍ମୁଖ ବାରଣ୍ଡାରେ ଆଶ୍ରୟ ନେଇଥାନ୍ତି। ସେହିପରି କିଛି ବେପାରୀ ବସ୍‌ଷ୍ଟାଣ୍ଡ୍ କରିଡ଼ର୍‌ରେ ବି ଶୋଇଥିବା ଦେଖିବାକୁ ମିଳୁଛି। ଶୀତରାତିରେ ଗରିବ ଓ ଅସହାୟଙ୍କ ଯନ୍ତ୍ରଣା ବଢ଼ିଯାଇଥାଏ। ସେମାନେ ବି ଫୁଟପାଥ୍ ନହେଲେ ଦୋକାନ ପିଣ୍ଡିରେ ଆଶ୍ରୟ ନିଅନ୍ତି। କିଛି ଲୋକ ମେଡ଼ିକାଲ୍ ପ୍ରତୀକ୍ଷାସ୍ଥଳରେ ବସି ରାତି କଟାଉଛନ୍ତି।

ସମ୍ବନ୍ଧିତ ଖବର