ବ୍ରହ୍ମପୁର: ପତ୍ନୀଙ୍କ ନାଁରେ ନକଲି ଫେସ୍ବୁକ୍ ଆକାଉଣ୍ଟ୍ ଖୋଲିଲେ। ପତ୍ନୀଙ୍କୁ ବଦନାମ କରିବା ପାଇଁ ତାଙ୍କୁ କଲ୍ଗାର୍ଲର ପରିଚୟ ଦେଇ ବିଭିନ୍ନ ପ୍ରକାର ଅଶ୍ଳୀଳ ଫଟୋ ଛାଡ଼ିଲେ। ସେପଟେ ପତ୍ନୀଙ୍କୁ ବିଭିନ୍ନ ଲୋକ ଫୋନ୍ କରି ହଇରାଣ କରିବା ଆରମ୍ଭ କରିବାରୁ ମାମଲା ଥାନାରେ ପହଞ୍ଚିଥିଲା। ଏହି ଘଟଣାରେ ବ୍ରହ୍ମପୁର ସାଇବର୍ ଥାନା ପୁଲିସ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଠିକାଦାର ସ୍ବାମୀ ଭଗବତ ପ୍ରସାଦ ମିଶ୍ର ଓରଫ୍ ଜିତୁଙ୍କୁ ଗିରଫ କରିଛି। ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସାଇବର୍ ଥାନା ଅଧିକାରୀ କଳ୍ପନା କାଉଁରୀ ସୂଚନା ଦେଇଛନ୍ତି।
କେସିଙ୍ଗାର ଜିତୁ କିଛିବର୍ଷ ତଳେ ଗଞ୍ଜାମ ଜିଲ୍ଲାର ଜନୈକା ଯୁବତୀଙ୍କୁ ବିବାହ କରିଥିଲେ। ଜିତୁ ପୂର୍ବରୁ ବିବାହିତ ଥିବା ବେଳେ ସେ ଦ୍ବିତୀୟ ବିବାହ କରିଥିଲେ। ଏହାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହୋଇଥିଲା। ପରେ ଜିତୁଙ୍କଠାରୁ ଅଲଗା ହୋଇ ମହିଳା ଜଣକ ତାଙ୍କ ବାପାଙ୍କ ଘରକୁ ଚାଲି ଆସିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଜିତୁ ତାଙ୍କୁ ବଦମାନ କରିବା ଆରମ୍ଭ କରିଥିଲେ। ଜିତୁ ତାଙ୍କ ପତ୍ନୀଙ୍କ ନାମରେ ନକଲି ଫେସ୍ବୁକ୍ ଆକାଉଣ୍ଟ୍ ଖୋଲି ବିଭିନ୍ନ ପ୍ରକାର ଅଶ୍ଳୀଳ ଫଟୋ ଅପ୍ଲୋଡ୍ କରି କଲ୍ଗାର୍ଲର ପରିଚୟ ଦେଇଥିଲେ। ଏପରିକି ସେଥିରେ ତାଙ୍କର ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲେ। ଏହି ଘଟଣାରେ ମହିଳା ଜଣକ ଗତ ସେପ୍ଟେମ୍ବର ୧୨ତାରିଖରେ ସାଇବର୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ବିଭିନ୍ନ ଦିଗ ଉପରେ ତଦନ୍ତ କରି ଫେସ୍ବୁକ୍ ଖୋଲିଥିବା ବ୍ୟକ୍ତିଙ୍କୁ ଠାବ କରିଥିଲା। ଖୋଦ୍ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ହିଁ ଏଭଳି କାଣ୍ଡ କରିଥିବା ନେଇ ପ୍ରମାଣ ମିଳିଥିଲା। ସେ ନେଇ ସାଇବର୍ ଥାନା ଅଧିକାରୀ ଓ ଏସ୍ଆଇ କରୁଣାକର ଗୌଡ଼ କେସିଙ୍ଗା ଯାଇ ଅଭିଯୁକ୍ତକୁ ଗିରଫ କରିଥିଲେ। ବ୍ରହ୍ମପୁର ଆଣିବା ପରେ ତାଙ୍କୁ ଖଲ୍ଲିକୋଟ ଜେଏମ୍ଏଫ୍ସି କୋର୍ଟକୁ ଚାଲାଣ କରାଯାଇଛି। ଅଭିଯୁକ୍ତର ଜାମିନ୍ ନାମଂଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।