ପରକୀୟା ପ୍ରୀତି ସନ୍ଦେହ : ପତ୍ନୀର ଦୁଇ ହାତ କାଟି ସ୍ୱାମୀ ଥାନାରେ

ଖଲ୍ଲିକୋଟ : ସନ୍ଦେହ ଓ ପାରିବାରିକ କଳହର ଏକ ଭୟଙ୍କର ପରିଣତି ଆଜି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ପରକୀୟା ପ୍ରୀତି ସନ୍ଦେହରେ ଜଣେ ସ୍ୱାମୀ ଏକ ଧାରୁଆ କାତିରେ ପତ୍ନୀର ଦୁଇ ହାତ କାଟି ଖଲ୍ଲିକୋଟ ଥାନାରେ ଆତ୍ମସମର୍ପଣ କରିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର ଗୋଟିଏ ହାତ କଟା ସରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି।

ପ୍ରକାଶ ଯେ, ଖଲ୍ଲିକୋଟ ନୂଆସାହିର ସ୍ୱର୍ଗତ ଉଦୟନାଥ ଗୌଡ଼ଙ୍କ ପୁଅ ରାମକୃଷ୍ଣ (୪୧) ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବଡ଼ପାରି ଗ୍ରାମର ସସ୍ମିତା ଗୌଡ଼ (୩୮)ଙ୍କୁ ଗତ ୯ ବର୍ଷ ତଳେ ବିବାହ କରିଥିଲେ। ରାମକୃଷ୍ଣ ଏକ ଗ୍ୟାରେଜ୍‌ରେ ମୋଟର ପାର୍ଟସ୍‌ ଦୋକାନ କରି ପରିବାର ଚଳାଇ ଆସୁଥିଲେ। ତେବେ ଆର୍ଥିକ ସମସ୍ୟା ନେଇ ସ୍ୱାମୀ, ନଣନ୍ଦ ଓ ଶାଶୁଙ୍କ ମଧ୍ୟରେ କଳହ ଲାଗି ରହୁଥିଲା। କିଛି ଦିନ ହେଲା ରାମକୃଷ୍ଣ ଦୋକାନ ବନ୍ଦ କରି ଘରେ ରହୁଥିଲେ। ତେବେ ରାମକୃଷ୍ଣ ପତ୍ନୀଙ୍କର ଚରିତ୍ର ସନ୍ଦେହ କରି ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଶୁକ୍ରବାର ସକାଳ ୮ଟାରେ ସସ୍ମିତା ଗାଧୋଇ ମଥାରେ ସିନ୍ଦୁର ଲଗାଉଥିବା ବେଳେ ରାମକୃଷ୍ଣ ହଠାତ୍‌ ଉତ୍‌କ୍ଷୀପ୍ତ ହୋଇ ହେମଦସ୍ତା ବାଡ଼ିରେ ପତ୍ନୀଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ। ସସ୍ମିତା ତଳେ ପଡ଼ି ଅଚେତ ହୋଇ ଯାଇଥିଲେ। ରାମକୃଷ୍ଣ ଏକ ଧାରୁଆ କାତିରେ ସସ୍ମିତାଙ୍କ ଦୁଇ ହାତକୁ ଚୋଟ ଉପରେ ଚୋଟ ପକାଇ ହାଣି ଦେଇଥିଲା।

ସମ୍ବନ୍ଧିତ ଖବର