ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ରେ ଏଚ୍‌ସିଏଲ୍‌ ପାଇପ୍‌ ଫାଟି ୪ ଆହତ, ସଂକଟାପନ୍ନ ଇଞ୍ଜିନିୟର୍‌ଙ୍କ ସମେତ ୨ ଭୁବନେଶ୍ବର ସ୍ଥାନାନ୍ତର

ଉତ୍ତ୍ୟକ୍ତ ଶ୍ରମିକଙ୍କ କାରଖାନାର ପ୍ରଶାସନିକ ଭବନ ଘେରାଉ

ଗଞ୍ଜାମ‌: ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହର ସ୍ଥିତ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌ ହାଇଡ୍ରୋକ୍ଲୋରିକ୍‌ ଏସିଡ୍‌ (ଏଚ୍‌ସିଏଲ୍‌) ଉତ୍ପାଦନ ପ୍ଲାଣ୍ଟ୍‌ର ଷ୍ଟିମ୍‌ ପାଇପ୍‌ ଫାଟି କାର୍ଯ୍ୟରତ ଜଣେ କେମିକାଲ୍‌ ଇଞ୍ଜିନିୟରଙ୍କ ସମେତ ୪ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନେ ହେଲେ ଇଞ୍ଜିନିୟର ଅଭିଷେକ ପାଳ, ଅସ୍ଥାୟୀ କର୍ମଚାରୀ ଶଙ୍କର ରାଉଳ, ଅପେରେଟର୍‌ ଏସ୍‌. ଵୈଦେସ, ଓ ବେଣୁପାଣି ରେଡ୍ଡି। ଆହତଙ୍କୁ କମ୍ପାନୀ ପକ୍ଷରୁ ଆମ୍ବୁଲାନ୍ସରେ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଚିକିତ୍ସା ଲାଗି ପଠା ଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଇଞ୍ଜିନିୟର ପାଳ ଓ ଶଙ୍କର ରାଉଳଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ପ୍ଲାଣ୍ଟ୍‌ରେ ସୁରକ୍ଷା ବାବଦ ଏସ୍‌ଓପି ପାଳନ କରା ନଯିବା ଏବଂ ଶ୍ରମିକ, କର୍ମଚାରୀଙ୍କ ଜୀବନ ବିପଦକୁ ଠେଲି ଦିଆ ଯାଉଥିବା ଅଭିଯୋଗରେ ଘଟଣା ପରଠାରୁ ଆଜି ଦିନତମାମ୍‌ ଗ୍ରାସିମ୍‌ କମ୍ପାନି ପରିସରରେ ଉତ୍ତେଜନା ଲାଗି ରହିଛି। ଆହତଙ୍କୁ ତୁରନ୍ତ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ନେଇ ଶ୍ରମିକମାନେ କମ୍ପାନୀର ପ୍ରାଶାସନିକ କାର୍ଯ୍ୟାଳୟକୁ ସକାଳ ୯ଟା ଠାରୁ କବ୍‌ଜା କରି ରଖିଛନ୍ତି। ଗ୍ରାସିମ୍‌ କମ୍ପାନି ପରିସରରେ ଥିବା ଏଚ୍‌ସିଏଲ୍‌ ପ୍ଲାଣ୍ଟ୍‌ରେ ସକାଳ ପ୍ରାୟ ୮ଟା ୪୫ ରେ ଅତି ଜୋର୍‌ରେ ବିସ୍ଫୋରଣ ଶବ୍ଦ ହୋଇଥିଲା। ଏଚ୍‌ସିଏଲ୍‌ ଟ୍ୟାଙ୍କ୍‌ ପାଇପ୍‌ଟି ହଠାତ୍‌ ଫାଟି ଯାଇଥିଲା। ‌ସେ ସମୟରେ ଉପରୋକ୍ତ ୪ କର୍ମଚାରୀ ସେଠାରେ କାମ କରୁଥିଲେ। ତାଙ୍କ ଉପରେ ପାଇପ୍‌ରୁ ନିର୍ଗତ ଏସିଡ୍ ବିଚ୍ଛୁରିତ ହୋଇ ପଡ଼ିଥିଲା। ସମସ୍ତେ ଗୁରୁତର ଆହତ ହୋଇଥିଲେ। ଏସିଡ୍ ପଡ଼ି ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗ ପୋଡ଼ି ଯାଇଛି। ପାଇପ୍‌ରେ ଲିକ୍‌ ଥିବାରୁ ଏହି ଅଘଟଣ ଘଟିଥିବା କୁହାଯାଉଛି। ପାଇପ୍‌ ଫାଟିବା ଶବ୍ଦ ଏତେ ପ୍ରଚଣ୍ଡ ଥିଲା, ଗଞ୍ଜାମ ସହର ସମେତ କାରଖାନା ପରିସରରେ ଥିବା ଏ-ସିଫ୍ଟରେ କାର୍ଯ୍ୟରତ ଶ୍ରମିକ ଆତଙ୍କିତ ହୋଇ ପଡ଼ିଥିଲେ। ପ୍ରଚଣ୍ଡ ଶବ୍ଦ ଶୁଣି କମ୍ପାନିର ଉଚ୍ଚ ଅଧିକାରୀ ଓ ପ୍ଲାଣ୍ଟ୍‌ ସୁପର୍‌ଭାଇଜର୍‌ ପହଞ୍ଚି ଲିକେଜ୍‌‌ ବନ୍ଦ କରିଥିଲେ।

ବୈଷୟିକ ମୁଖ୍ୟ ହାର୍ଦ୍ଦିକ ଅଭି, ମେକାନିକାଲ୍‌ ବିଭାଗ ମୁଖ୍ୟ ଭୋଳାନାଥ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଆଜି ଏହି ଦୁଇ ଅଧିକାରୀଙ୍କ ଅନୁପସ୍ଥିତିରେ କମ୍ପାନି କର୍ତ୍ତୃପକ୍ଷ ଦୁଇଜଣ ଅସ୍ଥାୟୀ କର୍ମଚାରୀଙ୍କ ଦ୍ଵାରା ପ୍ଳାଣ୍ଟ୍‌ ଚଳାଇବା ଆରମ୍ଭ କରିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଅଘଟଣ ପରେ ଆଜି ସକାଳୁ ଉତ୍ପାଦନ ବନ୍ଦ କରି ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ ଆଗରେ ଶ୍ରମିକମାନେ ବିକ୍ଷୋଭ କରିବା ସହ ଧାରଣା ଜାରି ରଖିଛନ୍ତି। ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ, ଗଞ୍ଜାମ ଥାନା ଅଧିକାରୀ ଦିଲ୍ଲୀପ ସାହୁଙ୍କ ନେତୃତ୍ୱରେ ୧ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଗଞ୍ଜାମ ତହସିଲଦାରଙ୍କ ଦାୟିତ୍ବରେ ସବ୍‌ ରେଜିଷ୍ଟ୍ରାର୍‌ ଓ ବିଡିଓ ବିଶ୍ବଜିତ୍‌ ରାୟ ପହଞ୍ଚି ଶ୍ରମିକ ଓ କମ୍ପାନି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। କମ୍ପାନିର ପ୍ରାଶାସନିକ ଭବନରେ ମାନବ ସମ୍ବଳ ଅଧିକାରୀ ଜି.କେ ଗ୍ୟାନିରିୱାଲ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆନ୍ଦୋଳନକାରୀ ଆହତ ଶ୍ରମିକଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା, ସୁସ୍ଥ ହୋଇ କର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ସେମାନଙ୍କୁ ଦରମା ପ୍ରଦାନ, ମୃତ୍ୟୁ ଘଟିଲେ ଶ୍ରମିକଙ୍କ ପରିବାରର ଜଣଙ୍କୁ ଚାକିରି ଦେବା ସହ ୫୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଅଡ଼ି ବସିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ପହଞ୍ଚି କମ୍ପାନି ୟୁନିଟ୍‌ ମୁଖ୍ୟ ଶଶାଙ୍କ ପାରୀଙ୍କ ସହ ଘଟଣା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଗ୍ୟାନିରିୱାଲଙ୍କୁ ଘଟଣା ସଂକ୍ରାନ୍ତରେ ପଚାରିବାରୁ ଏହା ଏକ ଦୁଃଖଦ ଘଟଣା ବୋଲି କହିଛନ୍ତି। କ’ଣ ପାଇଁ ଏଭଳି ଘଟିଲା ତା’ର ତଦନ୍ତ କରାଯାଉଛି। ରିପୋର୍ଟ ମିଳିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପକ୍ଷରେ ଆଉ ଜଣେ ଅଧିକରୀ କହିଛନ୍ତି ଯେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣ ଡିସଚାର୍ଜ ହୋଇଛନ୍ତି। ତେବେ ଆହତ ସମସ୍ତ କର୍ମଚାରୀଙ୍କ ଉପଯୁକ୍ତ ଚିକିତ୍ସା ଲାଗି କଂପାନି ପକ୍ଷରୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର