ବ୍ରହ୍ମପୁର : କରୋନାର ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଦ୍ବିତୀୟ ଲହରରେ ସଂକ୍ରମଣ ଶକ୍ତି ବହୁତ ଅଧିକ ରହିଛି। ଏହାର ମୁଖ୍ୟ କାରଣ ହେଉଛି ଭାରତରେ ଯେତିକି ନୂଆ ସଂକ୍ରମଣ ଚିହ୍ନଟ ହେଉଛନ୍ତି ତା’ର ୬୦ ପ୍ରତିଶତ ଭାଇରସ୍ ମ୍ୟୁଟେଟେଡ୍ ହୋଇଯାଉଛି। ଏହାର ଅର୍ଥ ଆର୍ଏନ୍ଏ ଷ୍ଟ୍ରକ୍ଚର୍ରେ ପରିବର୍ତ୍ତନ ଆସୁଛି। ଭାଇରସ୍ ଦୁଇ ପ୍ରକାର ରହିଥାଏ ଯଥା ଆର୍ଏନ୍ଏ ଓ ଡିଏନ୍ଏ। ବର୍ତ୍ତମାନ ଆର୍ଏନ୍ଏ ଷ୍ଟ୍ରକ୍ଚର୍ରେ ପରିବର୍ତ୍ତନ ହୋଇଯାଉଛି। ବର୍ତ୍ତମାନ ଭାରତରେ ଦୁଇ ପ୍ରକାର ମ୍ୟୁଟେସନ୍ ଦେଖାଦେଉଛି। ଗୋଟିଏ ହେଲା ଡବଲ୍ ମ୍ୟୁଟେସନ୍ ଏବଂ ଦ୍ବିତୀୟଟି ହେଲା ଟ୍ରିପଲ୍ ମ୍ୟୁଟେସନ୍। ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକରେ ଟ୍ରିପଲ୍ ମ୍ୟୁଟେସନ୍ ଦେଖା ଦେଇଛି। ଏହାର ସଂକ୍ରମଣ ଶକ୍ତି ବହୁଗୁଣ ରହିଛି। ଯଦି ଗୋଟିଏ ପରିବାରର ଜଣଙ୍କୁ କୋଭିଡ୍ ସଂକ୍ରମଣ ହୋଇଛି ତେବେ ଅନ୍ୟମାନଙ୍କୁ ମଧ୍ୟ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
ପ୍ରଥମ ଲହରରେ ଯାହା ଲକ୍ଷଣ ଥିଲା ଏବେ ସେଥିରେ କିଛିଟା ପରବର୍ତ୍ତନ ହୋଇଛି। ପ୍ରଥମ ଲହର ଭଳି ଦ୍ବିତୀୟ ଲହରରେ ଜ୍ବର, ଥଣ୍ଡା, କାଶ ରହିଛି। ସେହିପରି ଆଖି ନାଲି ହେବା, ତରଳ ଝାଡ଼ା ହେବା, ଭଲ ଭାବେ ନଶୁଭିବା, ଶରୀର କୁଣ୍ଡେଇ ହେବା ଭଳି ଲକ୍ଷଣ ଦେଖାଯାଉଛି। ଏହି ସବୁ ନୂଆ ଲକ୍ଷଣ ଦ୍ବିତୀୟ ଲହରରେ ଦେଖା ଦେଇଛି। ବର୍ତ୍ତମାନ କୁହାଯାଉଛି ୪୦ ପ୍ରତିଶତ କେସ୍ ବାୟୁଜନିତ ସଂକ୍ରମଣ। ଦ୍ବିତୀୟ ଲହରରେ ସଂକ୍ରମଣ ଶକ୍ତି ବଢ଼ିଛି, ଲୋକେ ଗୁରୁତର ହେଉଛନ୍ତି କିନ୍ତୁ ମୃତ୍ୟୁ ସଂଖା ପ୍ରଥମ ଲହର ଭଳି ରହିଛି। ସେଥିରେ ଖାସ୍ ବୃଦ୍ଧି ହୋଇ ନାହିଁ। ଭାରତରେ ବର୍ତ୍ତମାନ କୋଭିସିଲ୍ଡ, କୋଭାକ୍ସିନ୍ ଓ ଋଷିଆର ସ୍ପୁଟିନିକ୍-୫ ଟିକା ଅନୁମୋଦନ ହୋଇଛି। କିନ୍ତୁ ସ୍ପୁଟିନିକ୍-୫ ଟିକା ଆସି ନାହିଁ। ଟିକା ନେଲେ ସଂକ୍ରମଣ ହେବ ନାହିଁ ବୋଲି କହିବା ସମ୍ପୂର୍ଣ୍ଣ ଭୁଲ୍। କିନ୍ତୁ ଯେଉଁମାନେ ଟିକା ନେଉଛନ୍ତି ସେମାନେ ଗୁରୁତର ହେଉ ନାହାନ୍ତି। ଅକ୍ସିଜେନ୍ ଆବଶ୍ୟକ ପଡ଼ୁ ନାହିଁ କି ହସ୍ପିଟାଲ୍ ଯିବାକୁ ପଡ଼ୁ ନାହିଁ।
ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଛୋଟପିଲା ଏବଂ ଯୁବବର୍ଗ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି। ବର୍ତ୍ତମାନ ଭାରତରେ ୟୁକେ ଷ୍ଟ୍ରେନ୍, ବ୍ରାଜିଲ୍ ଷ୍ଟ୍ରେନ୍, ସାଉଥ୍ ଆଫ୍ରିକା ଷ୍ଟ୍ରେନ୍ ଦେଖା ଦେଇଛି। ଯେଉଁମାନେ ଟିକା ନେଉଛନ୍ତି ସେମାନଙ୍କ କ୍ଷେତ୍ରରେ ସାଉଥ୍ ଆଫ୍ରିକା ଷ୍ଟ୍ରେନ୍ ଅଧିକ ମାତ୍ରାରେ ଦେଖା ଦେଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏସ୍ଏମ୍ଏସ୍କୁ ଅବଲମ୍ବନ କରିବା ଆବଶ୍ୟକ। ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ଓ ସାନିଟାଇଜ୍ ବ୍ୟବହାର କରିବା ନିହାତି ଆବଶ୍ୟକ। ଡବଲ୍ ମାସ୍କ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହାଦ୍ବାରା ୮୦ପ୍ରତିଶତ ପର୍ଯ୍ୟନ୍ତ ସଂକ୍ରମଣକୁ ରୋକାଯାଇ ପାରିବ। ଯେଉଁମାନେ ଯୋଗ୍ୟ ସମସ୍ତେ ଟିକା ନେବା ଦରକାର। ଯାହାର ଅନ୍ୟ କିଛି ରୋଗ ଯେମିତି ମଧୁମେହ, ଉଚ୍ଚରକ୍ତଚାପ ଓ ହୃଦରୋଗ ସମସ୍ୟା ରହୁଛି ସେମାନେ ଚିକିତ୍ସା କରାଇ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବା ଆବଶ୍ୟକ।
ଆସୋସିଏଟ୍ ପ୍ରଫେସର
ଏଣ୍ଡୋକ୍ରିନୋଲୋଜି ବିଭାଗ
ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍