ବ୍ରହ୍ମପୁର : ବ୍ରହ୍ମପୁରରେ ଅନ୍ତଃଜିଲ୍ଲା ବାଇକ୍ ଲୁଟେରା ଗ୍ୟାଙ୍ଗ୍ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ୍ର ୬ ଜଣଙ୍କୁ ପୁଲିସ୍ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ଲୁଟେରାମାନେ ବ୍ରହ୍ମପୁର, ଛତ୍ରପୁର, ଗୋପାଳପୁର, ଗୋଳନ୍ଥରା ସହିତ ଆଖାପାଖ ଅଞ୍ଚଳରୁ ବାଇକ୍ ଚୋରି କରୁଥିଲେ। ବାଇକ୍ ଚୋରି କରିବା ପରେ କିଛି ନିର୍ଦ୍ଦିଷ୍ଟ ମଧ୍ୟସ୍ଥିଙ୍କ ଜରିଆରେ ଗାଡ଼ି ଜିଲ୍ଲା ପାର୍ କରି ବିକ୍ରି କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସହରରେ ଗତ କିଛିଦିନ ହେଲା ଲଗାତାର ବାଇକ୍ ଚୋରି ଘଟଣା ନଜରକୁ ଆସିଥିଲା। ଏହାପରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଥିବାବେଳେ ଗାଡ଼ି କାଗଜପତ୍ର ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଗତକାଲି ସଂଧ୍ୟାରେ ଗୋସାଇଁ ନୂଆଗାଁ ଥାନା ଅଧିକାରୀ କୁଳମଣି ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ରେଳଷ୍ଟେସନ୍ ରୋଡ଼ରେ ବାଇକ୍ ଯାଞ୍ଚ କରୁଥିଲେ। ଏହି ସମୟରେ ଦୁଇଜଣ ଯୁବକଙ୍କୁ ଧରିଥିଲା। ସେମାନେ ଧରିଥିବା ସ୍କୁଟିର କାଗଜପତ୍ର ଦେଖାଇ ନପାରିବାରୁ ପୁଲିସକୁ ସନ୍ଦେହ ହୋଇଥିଲା। ଉଭୟ ଯୁବକ ଦ୍ୱୟ ହେଲେ ଗୋସାଇଁନୂଆଗାଁ ବିଲସାହିର ରାଜେନ୍ଦ୍ର ପାଣିଗ୍ରାହୀ ଓ ଦିଗପହଣ୍ଡି ପାଇକସାହିର ସୀମା ଓରଫ୍ ସୀମାଞ୍ଚଳ ମହାନ୍ତି । ଉଭୟଙ୍କୁ ଥାନାକୁ ନେଇ ଜେରା କରିବା ପରେ ସେମାନେ ସ୍କୁଟି ଚୋରି କରିଥିବା ସ୍ୱୀକାର କରିବା ସହିତ ବାଇକ୍ ଚୋର ଗ୍ୟାଙ୍ଗ୍ ସମ୍ପର୍କରେ ସୂଚନା ଦେଇଥିଲେ।
ଏହାକୁ ଆଧାର କରି ବୈଦ୍ୟନାଥପୁର ଥାନା ଅଧିକାରୀ ଜେ.କେ ପଟ୍ଟନାୟକ, ଟାଉନ୍ ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ଓ ବଡ଼ ବଜାର ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କୁ ନେଇ ଗଠିତ ୩ ଟି ଟିମ୍ ରାତିରେ ଏହି ବାଇକ୍ ଲୁଟେରା ଗ୍ୟାଙ୍ଗ୍ର ଅନ୍ୟ ସଦସ୍ୟଙ୍କ ଠିକଣାରେ ଏକକାଳୀନ ଚଢ଼ଉ କରି ୪ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ କର୍ପୋରେସନ୍ ରୋଡ଼ ମୋଚିସାହିର କେ. ରବି କୁମାର, କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ଜିତୁ ଓରଫ୍ ଜିତେନ୍ଦ୍ର କୁମାର ଦିଗାଲ, ହିଂଜିଳିକାଟୁ ଅଙ୍କୋରଡ଼ା ଆଡ଼ୁଆସାହିର ଢ଼େଲା ଓରଫ୍ ମଙ୍ଗୁଳୁ ବେହେରା ଓ ଗଞ୍ଜାମ ଆଲିଆବାଦର ରୁପି ନାୟକ ବୋଲି ପୁଲିସ କହିଛି। ଏହା ସହିତ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ଅନ୍ୟ ୧୪ଟି ଗାଡ଼ି ଜବତ ହୋଇଛି।