ବ୍ରହ୍ମପୁରରେ ଆଇପିଏଲ୍‌ ବେଟିଂ ରାକେଟ୍‌: ସବ୍‌ବୁକି ଅଣ୍ଡର୍‌ଗ୍ରାଉଣ୍ଡ୍‌, ୫କୋଟିର ଆକାଉଣ୍ଟ୍‌ ଫ୍ରିଜ୍‌

କିଙ୍ଗ୍‌ପିନ୍‌ ଲାଲିଙ୍କ ନେଟ୍‌ୱର୍କରେ ବହୁ ଏଜେଣ୍ଟ୍‌; ଦିଲ୍ଲୀ, କୋଲକାତା ଲିଙ୍କ୍‌ ଉପରେ ପୁଲିସର ନଜର

ବ୍ରହ୍ମପୁର: ବ୍ରହ୍ମପୁର ସହରରୁ ଆଇପିଏଲ୍‌ ଅନ୍‌ଲାଇନ୍‌ ବେଟିଂ କାରବାର ମୂଳପୋଛ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଏହି କାରବାରର କିିଙ୍ଗ୍‌ପିନ୍‌ କୁହାଯାଉଥିବା ଆର୍‌. ଲାଲି ଆଚାରୀଙ୍କ ଗିରଫଦାରି ପରେ ବେଟିଂ ରାକେଟ୍‌ ଏକ ପ୍ରକାର ଦୁର୍ବଳ ହୋଇ ପଡ଼ିଛି। କିନ୍ତୁ ପୁଲିସ ଅନ୍‌ଲାଇନ୍‌ ବେଟିଂରେ ନିୟୋଜିତ ଥିବା ସବ୍‌ବୁକି ଓ ଏଜେଣ୍ଟ୍‌ମାନଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହିଁ।

ଲାଲି ଗିରଫ ହେବା ପରେ ସମସ୍ତେ ଭୟଭୀତ ହୋଇ ଅଣ୍ଡର୍‌ଗ୍ରାଉଣ୍ଡ୍‌ ହୋଇଯାଇଛନ୍ତି। ଏଣୁ ସେମାନଙ୍କକୁ ଧରିବା ଏବେ ପୁଲିସ ପାଇଁ ମୁସ୍‌କିଲ ହୋଇଛି। ତଥାପି ପୁଲିସ ତା’ର ତଦନ୍ତ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ପୁଲିସ ବହୁ ବ୍ୟାଙ୍କ ଆକାଉଣ୍ଟ୍‌ ଫ୍ରିଜ୍‌ କରି ସାରିଥିବା ଜଣେ ଅଧିକାରୀ କହିଛନ୍ତି। ଏହି ଆକାଉଣ୍ଟ୍‌ଗୁଡ଼ିକରେ ୫କୋଟିରୁ ଊର୍ଦ୍ଧ୍ବ ଟଙ୍କା ରହିଥିବା ଅଧିକାରୀ ଜଣକ କହିଛନ୍ତି। ତନ୍ମଧ୍ୟରେ ଲାଲିଙ୍କ ନାଁରେ ୪ଟି ଆକାଉଣ୍ଟ୍‌ ରହିଥିବା ଜଣାପଡ଼ିଛି। ଲାଲିଙ୍କ ନେଟ୍‌ୱର୍କରେ ବହୁ ଏଜେଣ୍ଟ୍‌ ରହିଛନ୍ତି। ପୁଲିସ ସେମାନଙ୍କୁ ଚିହ୍ନଟ କରିଛି। ତେବେ ଖୁବ୍‌ ଶୀଘ୍ର ସେମାନେ ଧରାପଡ଼ିବେ ବୋଲି ଆଶା କରାଯାଉଛି।

ଆଇପିଏଲ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ୍‌ ଆରମ୍ଭ ହେବା ଦିନଠାରୁ ବ୍ରହ୍ମପୁରରେ ଅନ୍‌ଲାଇନ୍‌ ବେଟିଂ ଆରମ୍ଭ ହୋଇଯାଇଥିଲା। ପୁଲିସ ଏହି ରାକେଟ୍‌ ଉପରେ ବରାବର ନଜର ରଖିଥିଲା। ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ଅନ୍ତର୍ଗତ ଗଣେଶ ନଗରର ଲାଲି ବ୍ରହ୍ମପୁରରେ ରହି ବେଟିଂ କାରବାର ଅପରେଟ୍‌ କରୁଥିଲେ। ଅନ୍‌ଲାଇନ୍‌ରେ ଟଙ୍କା ନେଣଦେଣ ହେଉଥିବାରୁ ପୁଲିସକୁ ଖାସ୍‌ ସୁରାକ୍‌ ମିଳିପାରୁ ନ ଥିଲା। ଶେଷରେ ପୁଲିସ ଲାଲି ଓ ତାଙ୍କ ଜଣେ ସହଯୋଗୀ କେ. ପ୍ରଶାନ୍ତ ସୁବୁଦ୍ଧିଙ୍କୁ ଗତ ଅକ୍ଟୋବର ୩୦ତାରିଖରେ ଗିରଫ କରିଥିଲା। ଉଭୟଙ୍କ ନିକଟରୁ ପୁୁଲିସ ୩୩ଲକ୍ଷ ୬୧ହଜାର ଟଙ୍କା ଜବତ କରିଥିଲା। ଏତେ ପରିମାଣ ଟଙ୍କା ଜବତ ଘଟଣା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି।

Image Courtesy of The  Hans India

କୋଲକାତା, ମୁମ୍ବାଇ, ଦିଲ୍ଲୀ ଏବଂ ଦୁବାଇ ପର୍ଯ୍ୟନ୍ତ ଏମାନଙ୍କର ଲିଙ୍କ୍‌ ରହିଥିବା ପୁଲିସ ତଦନ୍ତରେ ଜାଣିବାକୁ ପାଇଥିଲା। ଉଭୟ ଗିରଫ ହେବା ପରେ ତାଙ୍କ ସହିତ ବେଟିଂ କାରବାରରେ ସାମିଲ ଥିବା ଅନ୍ୟ ସବ୍‌ବୁକ ଓ ଏଜେଣ୍ଟ୍‌ମାନେ ଚମ୍ପଟ ମାରିଥିଲେ। ଅଧିକାଂଶ ବୁକି ଓ ଏଜେଣ୍ଟ୍‌ଙ୍କ ସମ୍ପର୍କରେ ପୁଲିସ ସୂଚନା ପାଇଛି। ହେଲେ ସେମାନେ ଅନ୍ୟ ରାଜ୍ୟର ଅଜ୍ଞାତ ସ୍ଥାନରେ ଆତ୍ମଗୋପନ କରିଥିବାରୁ ସେମାନଙ୍କୁ ଠାବ କରି ହେଉ ନାହିଁ ବୋଲି ପୁଲିସ କହିଛି। ପୁଲିସ ସମସ୍ତଙ୍କ ‌ଫୋନ୍‌ ଟ୍ରାକିଂ କରୁଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ସଫଳତା ମିଳି ନାହିଁ। ସେପଟେ ପୁଲିସ ଲାଲିଙ୍କ ଆର୍ଥିକ କାରବାର ଯାଞ୍ଚ କରି ବ୍ୟାଙ୍କ ଆକାଉଣ୍ଟ୍‌ର ବିବରଣୀ ମଗାଇଥିଲା। ଲାଲିଙ୍କ ସହିତ ଯେଉଁମାନେ ମୋଟା ଅଙ୍କର ଆର୍ଥିକ କାରବାର କରୁଥିଲେ ‌ସେମାନଙ୍କ ଆକାଉଣ୍ଟ୍‌କୁ ଫ୍ରିଜ୍‌ କରାଯାଇଛି। ପର୍ଯ୍ୟାୟ କ୍ରମେ ପ୍ରାୟ ୮ରୁ ୧୦ଟି ଆକାଉଣ୍ଟ୍‌ ଫ୍ରିଜ୍‌ ହୋଇ ସାରିଲାଣି। ଦିଲ୍ଲୀ ଓ କୋଲକାତାରେ ରହିଥିବା କିଛି ବୁକିଙ୍କ ଆକାଉଣ୍ଟ୍‌ ମଧ୍ୟ ସିଲ୍‌ ହୋଇଛି। ଆଇପିଏଲ୍‌ ବେଟିଂ କାରବାରରେ ଦିଲ୍ଲୀ ଓ କୋଲକାତା ଲିଙ୍କ୍‌କୁ ନେଇ ଅଧିକ ଖୋଳତାଡ଼ ଜାରି ରଖିଛି। ଅତି ଶୀଘ୍ର ଏ ଦିଗରେ ସଫଳତା ମିଳିବ ବୋଲି ପୁଲିସ ଅନୁମାନ କରୁଛି।

ଲାଲି ଓ ସହଯୋଗୀ ପ୍ରଶାନ୍ତ ବର୍ତ୍ତମାନ ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି। ଦୁଇଥର ତାଙ୍କର ଜାମିନ୍‌ ନାମଂଜୁର ହୋଇ ସାରିଲାଣି। ପୁଲିସ ଆଗାମୀ ଦିନରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ। ଏଥିପାଇଁ ପୁଲିସ ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରିବାରେ ଲାଗି ପଡ଼ିଛି। ଚାର୍ଜସିଟ୍‌ ଦାଖଲ ପୂର୍ବରୁ ଲାଲିଙ୍କ ଅନ୍ୟ କିଛି ସହଯୋଗୀଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।

ସମ୍ବନ୍ଧିତ ଖବର