ଗଞ୍ଜାମ ଜିଲ୍ଲାର ୭ ଜେଲ୍‌ ଓଭର୍‌ଲୋଡ୍‌, ବ୍ରହ୍ମପୁର ଜେଲର୍‌ଙ୍କ ସମେତ ୪୪ କଏଦୀ ଆକ୍ରାନ୍ତ ପରେ ବି ହୁଗୁଳା

ବ୍ରହ୍ମପୁର : କରୋନା ସଂକ୍ରମଣରେ ଗଞ୍ଜାମ ଜିଲ୍ଲାରେ ପଜିଟିଭ୍‌ ଓ ମୃତ୍ୟୁ ସଂଖ୍ୟା ରେକର୍ଡ଼ ସ୍ତରରେ ଓ ପ୍ରତିଦିନ ବଢ଼ିବାରେ ଲାଗିଛି। ଜିଲ୍ଲାର କାରାଗାର(ଜେଲ୍‌) ଗୁଡ଼ିକରେ ଶହ ଶହ କଏଦୀ ଏବ˚ ବିଚାରାଧୀନ ବନ୍ଦୀ ରହୁଥିବା ସତ୍ତ୍ବେ ଏହା ଉପରେ ବିଶେଷ ଦୃଷ୍ଟି ଦିଆଯାଇନି। ଗଞ୍ଜାମ ଜିଲ୍ଲାରେ ଥିବା ୭ କାରାଗାର ଏକ ରକମ ଓଭରଲୋଡ଼୍‌। କରୋନା ପ୍ରତିଷେଧ ପ୍ରସ୍ତୁତି ଏକରକମ ଶୂନ। ଏହାର ଏକ ନିଚ୍ଛକ ପ୍ରମାଣ ହେଉଛି ବ୍ରହ୍ମପୁର ମଣ୍ଡଳ କରାଗାର। ଗୋଟିଏ ଦିନରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ୪୪ଜଣ ପଜିଟିଭ୍‌ (ଜେଲର୍‌ଙ୍କ ସହ ୯ଜଣ କର୍ମଚାରୀ ଓ ୩୫ ଜଣ କଏଦୀ) ଚିହ୍ନଟ ହେବା ଜେଲ୍‌ରେ ପ୍ରତିଷେଧ ପ୍ରସ୍ତୁତି ଓ ସ୍ଥିତିକୁ ପଦାରେ ପକାଇଦେଇଛି। ତଥାପି ଜେଲ୍‌ ପ୍ରଶାସନ ଚୁପ୍‌। କଏଦୀ, କର୍ମଚାରୀଙ୍କ ଜୀବନକୁ ଯେମିତି ତୁଚ୍ଛ କରି ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ମଣ୍ଡଳ କାରାଗାର ଏବଂ ଛତ୍ରପୁର, କୋଦଳା, ଦିଗପହଣ୍ଡି, ଆସିକା, ଭଞ୍ଜନଗର ଓ ସୋରଡ଼ାରେ ଉପକରାଗାର ରହିଛି। ବ୍ରହ୍ମପୁର ମଣ୍ତଳ କାରାଗାରରେ ୭୪୩ ଜଣ ଅନ୍ତେବାସୀ ରହିବା ବ୍ୟବସ୍ଥା ରହିଛି। କିନ୍ତୁ କ୍ଷମତା ଠାରୁ ଅଧିକ ଅର୍ଥାତ ୧ହଜାରରୁ ଅଧିକ ଅନ୍ତେବାସୀ ରହିଛନ୍ତି। ଗୋଟିଏ ଗୋଟିଏ ବଡ଼ ବଡ଼ ହଲ୍‌ରେ ୫୦ରୁ ଅଧିକ ବି ରହୁଛନ୍ତି। ତେବେ ଏହି କାରାଗାରରେ କରୋନା ଲାଗି କୌଣସି ଉପଯୁକ୍ତ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ଏଭଳି ସ୍ଥିତି ଉପୁଜିଛି। ଗତକିଛି ଦିନ ତଳେ ଜେଲର ଅନ୍ତେବାସୀ କିଛି ଗଣମାଧ୍ୟମକୁ ଜେଲର ଅବ୍ୟବସ୍ଥା ସଂକ୍ରାନ୍ତରେ ବି ଫୋନ କରି ଜଣାଇଥିଲେ। ଜଣେ ଅଭିଯୁକ୍ତ ଜେଲ୍‌କୁ ଆସିବା ପୂର୍ବରୁ ଡାକ୍ତରୀ ପରୀକ୍ଷା କରାଯାଉଛି। ଜେଲ୍‌ ଅନ୍ତେବାସୀ ତାଙ୍କ ସମ୍ପର୍କୀୟଙ୍କୁ ଭେଟିବା ଲାଗି ବାରଣ କରାଯାଇଛି। ଏସବୁ ସ‌ତ୍ତ୍ବେ ପଜିଟିଭ ଚିହ୍ନଟ ହେବା ଜେଲର ଅବ୍ୟବସ୍ଥାକୁ ପଦାରେ ପକାଇଛି। ବର୍ତ୍ତମାନ ସୁଦ୍ଧା ଜେଲ ଅନ୍ତେବାସୀ ଓ କର୍ମଚାରୀ ମିଶି ୬୬ଜଣ ସଂକ୍ରମିତ ହେଲେଣି।

Photo Credit: Representative Image

ସେହିଭଳି ଭଞ୍ଜନଗର ଉପକାରାଗାରରେ ସମୁଦାୟ ୩୧୨ଜଣ ବନ୍ଦୀଙ୍କ ରହିବା ଲାଗି ବ୍ୟବସ୍ଥା ରହିଛି। ବର୍ତ୍ତମାନ ଏହି ଜେଲରେ ୧୦ଜଣ ମହିଳାଙ୍କ ସମେତ ୨୮୩ ଜଣ ଅନ୍ତେବାସୀ ରହିଛନ୍ତି। ଥାନାରୁ ଆସୁଥିବା ଅଭିଯୁକ୍ତ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ହିଁ ସେମାନଙ୍କୁ ସେଲ୍‌କୁ ନିଆଯାଇଛି। ସେମାନେ ଆଣିଥିବା ଜିନିଷ ଓ ପୋଷାକକୁ ସଂପୂର୍ଣ୍ଣ ବିଶୋଧନ କରାଯାଉଛି। ଏହାପରେ ସେମାନଙ୍କୁ ଜେଲ୍‌ ଭିତରେ ଥିବା ଏକ ସ୍ବତନ୍ତ୍ର କୋଠରିରେ ୧୫ ଦିନ ପାଇଁ ସଙ୍ଗରୋଧରେ ରଖାଯାଇ ପରେ ସାଧାରଣ ୱାର୍ଡ଼କୁ ସ୍ଥାନାନ୍ତର କରାଯା‌ଉଛି। ଅନ୍ତେବାସୀଙ୍କୁ ସେମାନଙ୍କ ସଂର୍ପକୀୟ ଭେଟିବା ଉପରେ ସଂପୂର୍ଣ୍ଣ କଟକଣା ଜାରି ହୋଇଛି। କର୍ମଚାରୀଙ୍କୁ ମଧ୍ୟ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ଜେଲ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ହେଲେ ଅନେକ ସ୍ଥଳରେ ନିୟମ କେବଳ ନିର୍ଦେଶ ଭିତରେ ସୀମିତ ରହି ଯାଉଥିବା ମଧ୍ୟ ଖବର ମିଳିଛି। ଜେଲ୍‌ ଭିତରେ ସ୍ବଚ୍ଛତା ଓ ସାମାଜିକ ଦୂରତ୍ବ ରହୁନାହିଁ।

ଛତ୍ରପୁର ଉପକାରାଗାରରେ ୧୬୪ ଜଣ ଅନ୍ତେବାସୀ ରହିବାର ବ୍ୟବସ୍ଥା ରହିଛି। କିନ୍ତୁ ଏବେ ୧୨୪ ଜଣ ଅଛନ୍ତି। ଏଥିସହ ଜେଲରେ ୧୬ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଜେଲ ଫାର୍ମାସିଷ୍ଟ ଦ୍ବାର ପ୍ରତ୍ୟେହ ଅନ୍ତେବାସୀ ସ୍କ୍ରିନିଙ୍ଗ କରାଯାଉଛି। ଥାନାରୁ ଆସୁଥିବା ନୂତନ ଅଭିଯୁକ୍ତଙ୍କ ଲାଗି ସଙ୍ଗରୋଧ ବ୍ୟବସ୍ଥା ଅଛି। ଜେଲକୁ ନିୟମିତ ବ୍ୟବଧାନରେ ବିଶୋଧନ କରାଯାଉଛି। ବ୍ରହ୍ମପୁର ମଣ୍ଡଳ କରାଗାରରୁ ୪୪ ପଜିଟିଭ ଚିହ୍ନଟ ପରେ ଗତକାଲି ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଜେଲକୁ ଯାଇ ସ୍ଥିତି ତଦାରଖ କରିଛନ୍ତି। ଆସନ୍ତା ସୋମବାର ଏକ ସ୍ବାସ୍ଥ୍ୟ ଟିମ୍‌ ଯାଇ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଉପ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

ଆସିକା ଉପକାରାଗାରରେ ବର୍ତ୍ତମାନ ୧୭୧ଜଣ ଅନ୍ତେବାସୀ ଅଛନ୍ତି। ୧୮ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଗତ ମେ ୨୨ତାରିଖରେ ଜେଲ କର୍ମଚାରୀ ମାନେ ସ୍ବାବ୍‌ ପରୀକ୍ଷା ଲାଗି ଦେଇଥିଲେ। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଜେଲ ଅନ୍ତେବାସୀଙ୍କୁ କରୋନା ସ˚କ୍ରାନ୍ତରେ ସଚେତନ କରାଯାଉଛି। ନୂତନ ଅଭିଯୁକ୍ତ ଆସିଲେ ତାଙ୍କୁ ସଙ୍ଗରୋଧରେ ରଖାଯାଉଛି।

ସୋରଡ଼ା ଉପ କରାଗାର ୪୮ଜଣ ବନ୍ଦୀ ରହିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ୭୦ଜଣ ରହୁଛନ୍ତି। ଜଣେ କଏଦୀ ହୋଇଥିବା ବାକି ସମସ୍ତେ ବିଚାରାଧୀନ ବନ୍ଦୀ। ଯେଉଁମାନେ ନୂଆ କରି ଆସୁଛନ୍ତି ସେମାନଙ୍କୁ ୨୧ ସଙ୍ଗରୋଧରେ ରଖାଯାଉଛି।

କୋଦଳା ଉପ କାରାଗାରରେ ୧୧୬ଜଣ ବନ୍ଦୀ ରହିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ୨୪୯ଜଣ ଅନ୍ତେବାସୀ ରହିଛନ୍ତି। ‌ଏହି ଉପକାରାଗାରରେ ୧୪ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ୪୦ଜଣ ବନ୍ଦୀ ସଙ୍ଗରୋଧରେ ରହିଥିବା ବେଳେ ୧୨ଜଣଙ୍କ ଠାରେ ଥଣ୍ଡା ଲକ୍ଷଣ ରହିଥିବା ଜଣାପଡ଼ିଛି।

ସାନଖେମୁଣ୍ଡି ବ୍ଲକର ସାହାସ୍‌ ପୁର ନିକଟରେ ରହିଛି ଦିଗପହଣ୍ତି ଉପ କରାଗାର। ଏହି ଜେଲରେ ୭୮ଜଣ ଅନ୍ତେବାସୀ ରହିବା ବ୍ୟବସ୍ଥା ରହିଛି। ତେବେ କୌଣସି ଅନ୍ତେବାସୀଙ୍କ ନିକଟରେ ଲକ୍ଷଣ ନ ଥିବା ଜେଲ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର