ତ୍ରିକୋଣୀୟ ପ୍ରେମ ଅଭିଯୋଗ : ଯାତ୍ରା କଳାକାର ଦମ୍ପତିଙ୍କୁ ଛୁରାମାଡ଼

ହିଞ୍ଜିଳିକାଟୁ : ଶନିବାର ରାତିରେ ଯାତ୍ରା ମଞ୍ଚରେ ସମସ୍ତେ ଏକାଠି ନାଚୁଥିଲେ। ହେଲେ ଯାତ୍ରା ସୋ ସରିବା ପରେ ଭୋର୍‌ ଭୋର୍‌ରୁ ହଠାତ ଡ୍ୟାନସ୍‌ ଗ୍ରୁପ୍‌ର ଦୁଇ ଯୁବ କଳାକାରଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ କଥା କଟାକଟିରୁ ସୀମା ଲଂଘିଗଲା। ଶେଷରେ ଉତ୍‌କ୍ଷିପ୍ତ ଜଣେ କଳାକାର ସୁଶାନ୍ତ ସାହୁ ହଠାତ ଏକ ଛୁରୀ ବାହାର କରି ସହ କଳାକାର ସଞ୍ଜୟ ବେହେରାଙ୍କ ପଛପଟୁ ଓ ପୁଣି ଛାତିରେ ଛୁରୀ ଭୁଷି ଦେଇଥିଲା। ଏଥିରେ ସଞ୍ଜୟ ଗୁରୁତର ହୋଇ ତଳେ ପଡ଼ିଗଲେ। ଏତିକି ବେଳେ ପ୍ରତିରୋଧ କରିବାକୁ ଆସି ସଞ୍ଜୟଙ୍କ ପତ୍ନୀ ତଥା ଅନ୍ୟତମ ସହକଳାକାର ମାନିନୀ ବେହେରା ମଧ୍ୟ ସୁଶାନ୍ତର ଛୁରୀ ମାଡ଼ରେ ଆହତ ହୋଇଥିଲେ। ଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ ଯାତ୍ରା କମିଟି ତରଫରୁ ଏଠାରେ ଚାଲିଥିବା ଅପେରା ସ୍ଥଳରେ।

ଆହତ କଳାକାର ଦମ୍ପତିଙ୍କୁ ପ୍ରଥମେ ହିଞ୍ଜିଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନ୍ତର କରାଯାଇଛି। ଏ ନେଇ ଯାତ୍ରା ପାର୍ଟି ମ୍ୟାନେଜର ଗୌତମ ସ୍ୱାଇଁଙ୍କ ପକ୍ଷରୁ ହିଞ୍ଜିଳି ଥାନାରେ ଏକ ଏତଲା ଦାଏର କରାଯିବା ପରେ ପୁଲିସ କେସ ନଂ ୨୫୪/୧୭ରେ ଏକ ମାମଲା ରଜୁ କରି ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରି ଜେରା କରିଥିଲା। ତଦନ୍ତ ଭାର ଏସ୍‌ଆଇ ଆର.ସି ମହାଙ୍କୁଡ଼ ନେଇଛନ୍ତି। ସୁଶାନ୍ତକୁ ଅଟକ ରଖି ଜେରା କରିବା ସମୟରେ ତ୍ରିକୋଣୀୟ ପ୍ରେମ କାରଣରୁ ସେ ସଞ୍ଜୟଙ୍କୁ ଆକ୍ରମଣ କରିଥିବା ପୁଲିସ ଆଗରେ କହିଛି। ପୁଲିସ ଦେଇଥିବା ତଥ୍ୟ ଅନୁସାରେ ବିବାହ ପୂର୍ବରୁ ମାନିନୀଙ୍କୁ ଉଭୟ ସୁଶାନ୍ତ ଓ ସଞ୍ଜୟ ପ୍ରେମ କରୁଥିଲେ। ପରେ କିନ୍ତୁ ସଞ୍ଜୟଙ୍କ ସହ ମାନିନୀଙ୍କ ବିବାହ ହୋଇଥିଲା। ଏହା ପରେ ବି ମାନିନୀଙ୍କ ସହ ସଂପର୍କ ରଖିଥିବା ସନ୍ଦେହରେ ସଞ୍ଜୟ ଅଭିଯୋଗ ଆଣିବାରୁ ସୁଶାନ୍ତଙ୍କ ସହ ଝଗଡ଼ା ହେଉଥିଲା।

ଗତ ରାତିରେ ଯାତ୍ରା ସମୟରେ ଏହି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯାତ୍ରା ସରିବା ପରେ ପୁଣି ସଞ୍ଜୟ ଏ ନେଇ ତାକୁ ତାଗିଦ୍‌ କରିବାରୁ ସେ ଏହି କାଣ୍ଡ ଘଟାଇଥିବା ସୁଶାନ୍ତକୁ ଜେରା ବେଳେ ଜଣା ପଡ଼ିଛି ବୋଲି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଗିରଫ ସୁଶାନ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ସୁଶାନ୍ତର ଘର ଭଦ୍ରକ ବାସୁଦେବପୁର ଥାନା ଅଧୀନ କୁମାରପୁର ବୋଲି ପୁଲିସ ତଦନ୍ତରୁ ଜାଣିପାରିଛି। ସହ କଳାକାର ଦମ୍ପତିଙ୍କୁ ଜୀବନରେ ମାରିଦେବାକୁ ସେ ଉଦ୍ୟମ କରିଥିଲା ବୋଲି ଯାତ୍ରା ପାର୍ଟି ମ୍ୟାନେଜର ଶ୍ରୀ ସ୍ୱାଇଁ ଏତଲାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର