ଓଡ଼ିଶାରେ ଚାଲିଛି ବିଜେଡିତନ୍ତ୍ର, ପିସି ସରକାର: ଜାଭଡେକର୍‌

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆର୍ଥିକ ଅନୁଦାନ ହେର୍‌ଫେର୍‌ର କେନ୍ଦ୍ରୀୟ ତଦନ୍ତ ହେବ

ବ୍ରହ୍ମପୁର : ଓଡ଼ିଶାରେ ଲୋକତନ୍ତ୍ର ନାହିଁ, ବିଜେଡ଼ି ତନ୍ତ୍ର ଚାଲିଛି। ରାଜ୍ୟ ସରକାର ସମସ୍ତ ଶାସନକଳକୁ ରାଜନୈତିକ ଫାଇଦା ହାସଲ ପାଇଁ ବ୍ୟବହାର କରୁଛନ୍ତି। ସମସ୍ତ ବିଭାଗର ସରକାରୀ ଅଧିକାରୀ ଚାପଗ୍ରସ୍ତ ଅଛନ୍ତି। କେବଳ ବିଜେଡି ପାଇଁ କାମ କରିବେ, ବିଜେପି ପାଇଁ ନୁହେଁ, ଏଭଳି ଅଲିଖିତ ନିର୍ଦ୍ଦେଶ ସେମାନଙ୍କୁ ଦିଆଯାଇଛି। ସାରାଦେଶରେ ଏଭଳି ଭେଦଭାବ ମୁଁ କେଉଁଠି ଦେଖିନାହିଁ। ଏହା ଲୋକତନ୍ତ୍ରର ହତ୍ୟା। ବ୍ରହ୍ମପୁର ଗସ୍ତରେ ଆସିଥିବା କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍‌ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଉପରେ ଏଭଳି ବର୍ଷିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର୍‌ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପରିଦର୍ଶନ ପାଇଁ ୨ଦିନିଆ ଗସ୍ତରେ ଆସିଥିଲେ। ସେ ଏହି ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭାର ୫ଶହ କର୍ମକର୍ତ୍ତାଙ୍କ ସହ ମିଶି ଆଗାମୀ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।

ଏହାପରେ ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜାଭେଡକର୍‌ ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରକୁ ପିସି ସରକାର ଭାବେ ଆଖ୍ୟା ଦେଇ କହିଥିଲେ ଯେ, ପ୍ରତିକ୍ଷେତ୍ରରେ ପିସି ମଗାଯାଉଛି। ବିଜେଡି କର୍ମକର୍ତ୍ତା ମାନେ ଠିକାଦାର ପାଲଟିଛନ୍ତି। ଏପରିକି କେନ୍ଦ୍ର ଯୋଜନାରେ ପାଇଖାନା ନିର୍ମାଣ ପାଇଁ ହିତାଧିକାରୀଙ୍କୁ ୧୨ହଜାର ଟଙ୍କା ଲେଖାଏଁ ଦେବାକୁ ଆସୁଥିବାବେଳେ ସେଥିରୁ ପ୍ରାୟ ୨ହଜାର ଏବଂ ପିଡିଏସ୍‌ ଚାଉଳ ଯୋଗାଣ ବେଳେ ପ୍ରତ୍ୟେକଙ୍କଠାରୁ ୧-୨କେଜି ଚାଉଳ ହଡ଼ପ କରାଯାଉଥିବା ଅଭିଯୋଗ କରିଥିଲେ।

ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ଆସିଥିବା କେନ୍ଦ୍ରୀୟ ଅନୁଦାନର ହେର୍‌ଫେର୍‌ ସମ୍ପର୍କରେ ପଚାରିବାରୁ ତାଙ୍କ ମନ୍ତ୍ରାଳୟ ପକ୍ଷରୁ ଏହାର ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ବିଜେିର ଜିଲ୍ଲା ସଭାପତି କାହ୍ନଚରଣ ପତି, ଜିଲ୍ଲା ପ୍ରଭାରୀ ସୁରମା ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ଭୂଷଣ ଜେନା, ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର