ଗୋଆରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, କଳାହାଣ୍ଡିର ଯୁବକ ଗିରଫ

କୋକସରା : ଗୋଆରେ ରହୁଥିବା ଗଂଜାମ ଜିଲ୍ଲାର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗରେ କଳାହାଣ୍ତି ଜିଲ୍ଲା କୋକସରା ଥାନା ପିପଲପଡ଼ା ଗାଁର ରୂପେନ୍ଦ୍ର ନାଏକ (୨୫ବର୍ଷ)ଙ୍କୁ ଗୋଆ ପୁଲିସ ଗିରଫ କରିଛି। କୋକସରା ପୁଲିସ ସହାୟତାରେ ଗୋଆ ପୁଲିସ ରୂପେନ୍ଦ୍ରଙ୍କୁ ଗିରଫ କରି ଗୋଆକୁ ନେଇଥିବା ସୂଚନା ମିଳିଛି।

ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, ଗଂଜାମ ଜିଲ୍ଲା ସିଙ୍ଗପୁର ଅଂଚଳର ଜଣେ ଯୁବତୀ ତାଙ୍କ ପରିବାର ସହ ନର୍ଥ ଗୋଆ ଅଂଚଳରେ ରହି ସେଠାରେ କାମଧନ୍ଦା କରୁଥିଲେ। ସେଠାରେ ମଧ୍ୟ ନବରଙ୍ଗପୁର ଜିଲ୍ଲାର କ୍ରିଷ୍ଣା ଓ କଳାହାଣ୍ତି ଜିଲ୍ଲା ପିପଲପଡ଼ା ଗ୍ରାମର ରୂପେନ୍ଦ୍ର କାମ କରୁଥିଲେ। ଏହି ସମୟରେ ସଂପୃକ୍ତ ଯୁବତୀଙ୍କ ସହ କ୍ରିଷ୍ଣାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଗତ ୭ ତାରିଖ ଦିନ କ୍ରିଷ୍ଣା ଯୁବତୀଙ୍କୁ ସାକ୍ଷାତ କରିବା ପାଇଁ ଏକ ନିଛାଟିଆ ସ୍ଥାନକୁ ଡାକିଥିଲେ। ସେଠାରେ ଯୁବତୀଙ୍କୁ କ୍ରିଷ୍ଣା ଓ ରୂପେଶ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ। ଶବକୁ ସେଠାକାର ପଏଠାନ ସରଦୁଲ ଜଙ୍ଗଲରେ ଫିଙ୍ଗିଦେଇ ଫେରାର ହୋଇ ଯାଇଥିଲେ।

ଗତ ୧୩ ତାରିଖ ଦିନ ଝିଅର ପରିବାର ଲୋକେ ନିଖୋଜ ସମ୍ପର୍କରେ ନର୍ଥ ଗୋଆର ପରଭୋରମ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଗୋଆର ପରଭୋରମ ଥାନା ଏସ୍‌ଆଇ ପାରସ ସିନାରୀ କଳାହାଣ୍ତି ଆସି କୋକସରା ପୁଲିସ ସହାୟତାରେ ପିପଲପଡ଼ାରୁ ଅଭିଯୁକ୍ତ ରୂପେନ୍ଦ୍ରଙ୍କୁ ଗିରଫ କରିଥିଲେ ବୋଲି କୋକସରା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର