ଖଲ୍ଲିକୋଟ ବ୍ଲକ୍: ଅଧ୍ୟକ୍ଷ ପଦ ଉପରେ ନଜର; ବିଧାୟିକାଙ୍କ ପରିବାରରୁ ୪ ପ୍ରାର୍ଥୀ

ଜଣେ ସରପଞ୍ଚ, ୩ଜଣ ସମିତିସଭ୍ୟ ପାଇଁ ଲଢ଼ୁଛନ୍ତି
୨୯ ଯାକ ପଞ୍ଚାୟତରେ ବିଜେଡି-ଅସନ୍ତୁଷ୍ଟ ବିଜେଡି ଲଢ଼େଇ

ବ୍ରହ୍ମପୁର : ସରଗରମ ହୋଇଉଠିଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ରାଜନୀତି। କାରଣ ସମସ୍ତ ୨୯ଟି ପଞ୍ଚାୟତରେ ବିଜେଡି ଓ ଅସନ୍ତୁଷ୍ଟ ବିଜେଡି ଭିତରେ ଏଥର କଡ଼ା ଟକ୍କର୍ ହେବାକୁ ‌ଯାଉଛି। ଆଉ ସମସ୍ତଙ୍କ ନଜର ବ୍ଲକ୍ ଅଧ୍ୟକ୍ଷ ଚୌକି ଉପରେ। ସବୁଠୁ ବଡ଼ କଥା ହେଲା, ଏଥର ନିର୍ବାଚନରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ପରିବାରରୁ ଏକାଥରକେ ୪ ଜଣ ସଦସ୍ୟ ପ୍ରାର୍ଥୀ ହୋଇଛନ୍ତି। ଦାନପୁର ପଞ୍ଚାୟତରୁ ବିଧାୟିକାଙ୍କ ସ୍ବାମୀ ଦୈତାରୀ ବେହେରା ସମିତିସଭ୍ୟା ପ୍ରାର୍ଥୀ ହୋଇଥିବାବେଳେ ପଥରାରୁ ଭାଣିଜୀ ସ୍ବାଗତିକା ବେହେରା ସମିତିସଭ୍ୟା, ସାବୁଳିଆରୁ ଯାଆ କବିତା ବେହେରା ସମିତିସଭ୍ୟା ଓ କେଶପୁରରୁ ଦିଅର ସୀତାରାମ ବେହେରା ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗରେ ଅବତୀର୍ଣ୍ଣ ହୋଇଛନ୍ତି।

ବ୍ଲକ୍ ଅଧ୍ୟକ୍ଷ ପଦବି ଏଥର ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଥିବାରୁ ଏହାକୁ ହାତେଇବାକୁ ବିଧାୟିକାଙ୍କ ପରିବାରର ୩ ଜଣ ସଦସ୍ୟା ସମିତିସଭ୍ୟା ପ୍ରାର୍ଥୀ ହୋଇଥିବା ଚର୍ଚ୍ଚା ଜୋର୍ ଧରିଛି। ତେବେ, ବିଧାୟିକାଙ୍କ ଗୋଷ୍ଠୀକୁ ଟକ୍କର୍ ଦେବାକୁ ଅସନ୍ତୁଷ୍ଟ ବିଜେଡି ବି ପୂରା ଦମ୍‌ରେ ଲାଗିପଡ଼ିଥିବା ଦେଖିବାକୁ ମିଳିଛି।

ସବୁଠି ଅସନ୍ତୁଷ୍ଟ ଗୋଷ୍ଠୀର ଜଣେ ଜଣେ ପ୍ରାର୍ଥୀ ରହିଛନ୍ତି। ଫଳରେ ଜୋର୍‌ଦାର ଲଢ଼େଇ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ବିଶେଷଜ୍ଞମାନେ ଏବେଠାରୁ ଆକଳନ କରିଛନ୍ତି। ଦାନପୁର ପଞ୍ଚାୟତକୁ ଉଦାହରଣ ଭାବେ‌ ନେ‌ଲେ, ଏଠାରୁ ସମିତିସଭ୍ୟ ପ୍ରାର୍ଥୀ ଭାବେ ବିଧାୟିକାଙ୍କ ସ୍ବାମୀ ତଥା ବିଜେଡି ସମର୍ଥିତ ଦୈତାରୀ ବେହେରା ଓ ଅସନ୍ତୁଷ୍ଟ ବିଜେଡିରୁ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍‌ର ପୂର୍ବତନ ନିର୍ଦ୍ଦେଶକ ସଞ୍ଜୟ କୁମାର ସେଠୀ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ଦ୍ବିମୁଖୀ ଲଢ଼େଇ ହେବ। କେବଳ ଏହି ଗୋଟିଏ ପଞ୍ଚାୟତ ନୁହେଁ, ସବୁ ପଞ୍ଚାୟତରେ ବିଜେଡି ଓ ଅସନ୍ତୁଷ୍ଟ ବିଜେଡି ଗୋଷ୍ଠୀ ଭିତରେ ଅସଲ ଲଢ଼େଇ ଏଥର ଦେଖିବାକୁ ମିଳିବ ବୋଲି କୁହାଯାଉଛି। ଉଭୟ ଗୋଷ୍ଠୀ କେବଳ ବ୍ଲକ୍ ଅଧ୍ୟକ୍ଷ ଚୌକି ଉପରେ ଆଖି ପକାଉଛନ୍ତି। ଫଳରେ ତିନିଟିଯାକ ଜିଲ୍ଲା ପରିଷଦ ଜୋନ୍ ହାତେଇବା ବିଜେଡି ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷରେ ବିଜେପି ୩ଟି ଜୋନ୍‌ ସମେତ ଅଧିକାଂଶ ପଞ୍ଚାୟତରେ ପ୍ରାର୍ଥୀ ଦେଇଛି। କଂଗ୍ରେସ ସମସ୍ତ ଜୋନ୍‌ ସମେତ ୫ରୁ ୬ଟି ହାତଗଣତି ପ୍ରାର୍ଥୀଙ୍କୁ ଛିଡ଼ା କରିଛି। କିନ୍ତୁ ବିଜେଡି ଓ ଅସନ୍ତୁଷ୍ଟ ବିଜେଡି ମଧ୍ୟରେ ଏଥର ଅସଲ ଲଢ଼େଇ ହେଉଥିବାରୁ କିଏ ବାଜି ମାରିବ, ଏହା ଦେଖିବାକୁ ବାକି ରହିଛି। ବ୍ଲକ୍‌ର ୨୯ଟି ପଞ୍ଚାୟତରେ ମୋଟ ୧ ଲକ୍ଷ ୬୮ ହଜାର ୧୭୯ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୩୯ ହଜାର ୩୭୨ ଭୋଟର ଅନୁସୂଚିତ ଜାତି, ୬୦୩୧ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ବର୍ଗର ୧ ଲକ୍ଷ ୨୨ ହଜାର ୭୭୬ ଭୋଟର ଅଛନ୍ତି।

ସମ୍ବନ୍ଧିତ ଖବର