ରାଜନୀତି ମୈଦାନରେ ଧରାକୋଟ ରାଜା, ସମିତିସଭ୍ୟ ପଦ ପାଇଁ ନାମାଙ୍କନ ଦାଖଲ କଲେ

ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ରାଜନୈତିକ ମୈଦାନରେ ପାଦ ଥାପିଛନ୍ତି। ତାଙ୍କ ବାପା ତଥା ପୂର୍ବତନ ବିଧାୟକ ଧରାକୋଟ ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କ ଦେହାନ୍ତ ପରେ ସୁଲକ୍ଷଣା ଗୀତାଞ୍ଜଳିଙ୍କର ରାଜାଭିଷେକ ହୋଇଥିଲା। ସେତେବେ‌ଳେ ସେ ନାବାଳିକା ଥିଲେ। ତେବେ, ରାଜବଂଶର ପରମ୍ପରା ଅନୁସାରେ ତାଙ୍କୁ ରାଜା ବୋଲି ସମ୍ବୋଧନ କରାଯାଉଛି। ଆଜି ସେ ଧରାକୋଟ ପଞ୍ଚାୟତ ସମିତିସଭ୍ୟ ପଦରେ ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

ସୂଚନା ଅନୁସାରେ, ସୁଲକ୍ଷଣା ଗୀତାଞ୍ଜଳି ପୂର୍ବତନ ବିଧାୟିକା ତଥା ମାଆ ନନ୍ଦିନୀ ଦେବୀ ଓ ସମର୍ଥକଙ୍କ ସହ ବ୍ଲକ୍ ଅଫିସ୍‌କୁ ଆସି ବିଡିଓ ତଥା ନିର୍ବାଚନ ଅଧିକାରୀ ଡେନିସ୍ ବେହେରାଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ବହୁ ଜନସାଧାରଣ ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଥିଲେ। ରାଜା ସୁଲକ୍ଷଣାଙ୍କ ପ୍ରାର୍ଥିତ୍ବକୁ ନେଇ ବ୍ଲକ୍ ରାଜନୀତି ବର୍ତ୍ତମାନ ସରଗରମ ହୋଇଛି। ଏହାସହ ବିଜେଡି ଅଧ୍ୟକ୍ଷ ପଦ ହାତେଇବାକୁ ରଣକୌଶଳ ପ୍ରସ୍ତୁତି ଆରମ୍ଭ ‌କରିଛି।

ଅନ୍ୟପକ୍ଷରେ ଆଜି ଚତୁର୍ଥ ଦିନରେ ବିଭିନ୍ନ ପଞ୍ଚାୟତରୁ ୩୦ ଜଣ ସରପଞ୍ଚ ଓ ୩୨ଜଣ ସମିତିସଭ୍ୟ ପଦରେ ନାମାଙ୍କନ ଦାଖଲ କରିଛନ୍ତି। ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ପାଇଁ ବିଜେପି ପ୍ରାର୍ଥୀ ଅଶୋକ ପାତ୍ର, ୩୦ ନମ୍ବର ଜୋନ୍ ପାଇଁ କେଶବ ସ୍ବାଇଁ ଓ ୩୧ ନମ୍ବର ଜୋନ୍ ପାଇଁ ଅନିତା ପତ୍ରୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି। ଇଂ.ପ୍ରଦୀପ କୁମାର ପତ୍ରୀ ଉପସ୍ଥିତ ଥିଲେ। ‌ସେହିପରି ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଉପସ୍ଥିତିରେ କିଛି କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର