ନାଟକୀୟ ମୋଡ଼ ନେଉଛି ଲକ୍ଷ୍ମୀଦତ୍ତ ହତ୍ୟା ମାମଲା
ଭୁବନେଶ୍ୱର/ବ୍ରହ୍ମପୁର : ଛତ୍ରପୁରର ବିଜେଡି କାଉନ୍ସିଲର୍ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଘଟଣା ରୋଚକ ମୋ଼ଡ଼ ନେଇଛି। ଅଭିଯୁକ୍ତ କୃଷ୍ଣ ନାୟକ ସହ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ବାର୍ତ୍ତାଳାପ ଅଭିଯୋଗ ପରେ ଆଜି ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ନେତାମାନେ ଏହାକୁ ନେଇ ବୟାନବାଜି ଆରମ୍ଭ କରିଦେଇଛନ୍ତି। ଏପରି ସ୍ଥିତିରେ ଆଜି ଭାଇରାଲ ହୋଇଥିବା କୃଷ୍ଣ ଓ ଗୋଲକଙ୍କ ମଧ୍ୟରେ ଫୋନ୍ କଥାବାର୍ତ୍ତାର ‘କଲ୍ ରେକର୍ଡ’କୁ ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି। ବାସ୍ତବରେ ଏହା ପୁଲିସର ଷଡ଼ଯନ୍ତ୍ର ନା ଷଡ଼ଯନ୍ତ୍ର ସଂପର୍କରେ ଜାଣି ବିଜେପି ଆଗତୁରା ଆତ୍ମରକ୍ଷା ଉଦ୍ୟମ କରିଥିଲା, ତା’ ଉପରେ ସମସ୍ତଙ୍କ ନଜର ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ଏ ପ୍ରସଙ୍ଗରେ ମୁହଁ ଖୋଲିନଥିବା ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଆଜି ଗଣମାଧ୍ୟମ ସାମ୍ନାକୁ ଆସି ନିଜ ସଫେଇ ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ, ଏହି ହତ୍ୟା ମାମଲାରେ ଗଞ୍ଜାମ ଏସ୍ପି ଆଶିଷ ସିଂହଙ୍କ ଦଳୀୟ ଆଧାରରେ କାର୍ଯ୍ୟକୁ ବାରମ୍ବାର ବିରୋଧ କରିବା କାରଣରୁ ଏସ୍ପି ତାଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି। ଦେଶର ଆଇନ୍ ଅନୁସାରେ ତଦନ୍ତ ପ୍ରକ୍ରିୟା ଚାଲିଥିଲା ବେଳେ ପୁଲିସ୍ ହେପାଜତରେ ଥିବା ଜଣେ ବ୍ୟକ୍ତିର ତଥ୍ୟ ସାର୍ବଜନୀନ କରିବା ବେଆଇନ୍। କିନ୍ତୁ ଏସ୍ପି ଓ ଦୁଇ ଆଇଆଇସିଙ୍କ ଉପସ୍ଥିତିରେ ପେନ୍ ଡ୍ରାଇଭ୍ ମାଧ୍ୟମରେ ଭିଡିଓ ଫୁଟେଜ୍ ଗଣମାଧ୍ୟମକୁ କିଭଳି ପ୍ରଦାନ କରାଗଲା, ତାହାର ଅନୁସନ୍ଧାନ ହେବା ଦରକାର।
ମୃତକ ଲକ୍ଷ୍ମୀଦତ୍ତଙ୍କ ମା’ ସାର୍ବଜନୀନ ଭାବେ ତାଙ୍କ ପୁଅର ହତ୍ୟାକାରୀ ଭାବେ ଦୁଇ ଜଣଙ୍କ ନାମ ନେଇଛନ୍ତି। ସେହି ଦୁଇ ଜଣ ସ୍ଥାନୀୟ ବିଜେଡି ବିଧାୟକଙ୍କ ଅତି ନିକଟତର। ଏମାନଙ୍କୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ। ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀମାନେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ଉଷା ଦେବୀ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଖୋଲାଖୋଲି ବୁଲୁଥିବା ଫଟୋ ସାର୍ବଜନୀନ କରାଯାଇଛି। କିନ୍ତୁ ଗଞ୍ଜାମ ଏସ୍ପି ବିଜେଡି ଜିଲ୍ଲା ସଭାପତି ପରି କାମ କରି ଏ ଦିଗରେ ତଦନ୍ତ କରୁ ନାହାନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି।
ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାପାତ୍ର କହିଥିଲେ, ଗଞ୍ଜାମ ଜିଲ୍ଲାର ଦଳୀୟ ପ୍ରଭାରୀ ଥିବା କାରଣରୁ ପ୍ରତିଦିନ ଶତାଧିକ ଫୋନ୍ ଆସେ। ମାତ୍ର କାହାକୁ କେଉଁଠି ରଖି ନାହାନ୍ତି କି ରଖିବାରେ ସାହାଯ୍ୟ କରି ନାହାନ୍ତି। ନିରପେକ୍ଷ ତଦନ୍ତ ହେଲେ, ଅସଲ ସତ ପଦାକୁ ଆସିବ।
ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିି ବୌଦ୍ଧରେ ପ୍ରତିକ୍ରିୟା ରଖିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ଗୋଲକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଭାରୀ। କିଛି ଦିନ ତଳେ କୃଷ୍ଣ ବିଜେପିରେ ଯୋଗଦେଇଥିଲେ। ଜିଲ୍ଲା ପ୍ରଭାରୀ ହିସାବରେ ଗୋଲକଙ୍କ ସହିତ କୃଷ୍ଣ କଥା ହୋଇଥିବେ। ଏଥିରେ ଲୁଚାଇବାର କ’ଣ ରହିଛି? କୃଷ୍ଣଙ୍କ ସହିତ କଥା ହେବାରେ ଅସୁବିଧା କେଉଁଠି ରହିଲା? କୃଷ୍ଣଙ୍କୁ ଗେଷ୍ଟହାଉସ୍ରେ ରଖାଇଦେବା ନେଇ ପୁଲିସ କିଛି କହିଲାଣି କି? ପୁଲିସ ଅନୁସନ୍ଧାନ କରି ଦୁଗ୍ଧରୁ ଦୁଗ୍ଧ, ପାଣିରୁ ପାଣି ବାହାର କରୁ।
ଏପଟେ ବିଜେଡି ପାଲଟା ଜବାବ ଦେଇଛି। ଏହି ଘଟଣାରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ସତ ଧରାପଡ଼ିଗଲା ପରେ ବିଜେପି କାହିଁକି ବ୍ୟସ୍ତ ହେଉଛି? ବିଜେପି ହତାଶ ନ ହୋଇ ତଦନ୍ତକୁ ସ୍ୱାଗତ କରୁ। ଯାହା ଜଣାପଡ଼ୁଛି, ବିଜେପି ଆଇନ୍କୁ ତା’ ବାଟରେ ଯିବାକୁ ଦେବା ପାଇଁ ଚାହୁଁ ନାହିଁ। ବିଜେପି ଓ ଗୋଲକ ମହାପାତ୍ର ପୁଲିସ୍ ତଦନ୍ତରେ ସହଯୋଗ କରିବା କଥା।
ଶ୍ରୀ ପାତ୍ର ଆହୁରି କହିଲେ, ଗତ କିଛି ଦିନ ହେଲା ବିଜେପି ଓ ଗୋଲକ ମହାପାତ୍ର ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି ଗଞ୍ଜାମ ଏସ୍ପିଙ୍କୁ ଟାର୍ଗେଟ୍ କରୁଛନ୍ତି। ସେମାନେ ଆଶଙ୍କା କରୁଥିଲେ କି ଯଦି ଏହି ଅଭିଯୁକ୍ତମାନେ ଧରାପଡ଼ିଯାଆନ୍ତି, ତେବେ ସେମାନଙ୍କୁ ଶ୍ରୀ ମହାପାତ୍ର କରିଥିବା ସହଯୋଗ ପଦାକୁ ଆସିଯିବ। ଶ୍ରୀ ମହାପାତ୍ରଙ୍କୁ ଆଗୁଆ ସୁରକ୍ଷା ଦେବା ପାଇଁ ବିଜେପି ସାମ୍ବାଦିକ ସମ୍ମିଳନୀ ଡାକୁଥିଲା କି ବୋଲି ବିଜେଡି ପ୍ରଶ୍ନ କରିଛି। ସେହିଭଳି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଯିଏ ଦୋଷ କରେ, ସିଏ ଯେତିକି ଦୋଷୀ, ଯିଏ ଦୋଷୀଙ୍କୁ ସୁରକ୍ଷା ଯୋଗାଇ ଦିଏ, ସେ ଅଧିକ ଦାୟୀ। ଏଣୁ ଏହିି ଘଟଣାର ଗୁରୁତ୍ୱ ବଢ଼ିଯାଇଛି। ତେବେ ଅଭିଯୁକ୍ତଙ୍କ ପାଇଁ ଡେରାଡୁନ୍ରେ କିଏ ଗେଷ୍ଟ ହାଉସ୍ ଠିକ୍ କରିଥିଲା ଓ କାହା ନାମରେ ତାହା ବୁକ୍ କରାଯାଇଥିିଲା, ସେକଥା ଆଗ ସାମ୍ନାକୁ ଆସୁ।
ଉଲ୍ଲେଖଯୋଗ୍ୟ, ଗତକାଲି ବୟାନରେ କୃଷ୍ଣ ନାୟକ ଚନ୍ଦୁ ନାମକ ଜଣେ ବ୍ୟକ୍ତିଙ୍କ ନାମ ଧରିଥିଲେ। ଏ ଚନ୍ଦୁ କିଏ, ତାଙ୍କ ସହିତ କୃଷ୍ଣ କିଭଳି ସଂସ୍ପର୍ଶରେ ଆସିଲେ, ସେ ନେଇ କିନ୍ତୁ କେହି କିଛି କହିବାକୁ ଚାହିଁନାହାନ୍ତି।