୧୯ ଜୀବନ ଗଲା ପରେ ବି ଚେତିଲେନି : ମଦ ବେପାର ପଛରେ ନେତା!

ଗଞ୍ଜାମ ଜିଲ୍ଲାରେ ବେଆଇନ ମଦ କାରବାର ପଛରେ ମଦ ବ୍ୟବସାୟୀ, ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କ ସମ୍ପୃକ୍ତିକୁ ଅଣଦେଖା କରାଯାଇ ପାରିବ ନାହିଁ। ଏଭଳି ବ୍ୟକ୍ତି ବିଶେଷଙ୍କ ନାମରେ ଅଭିଯୋଗ ଆସିଲେ ତାହାର ସ୍ବତନ୍ତ୍ର ଅନୁଧ୍ୟାନ ଓ ତଦନ୍ତ ଆବଶ୍ୟକ ବୋଲି ଗଞ୍ଜାମ ମଦମୃତ୍ୟୁ ଘଟରାର ତଦନ୍ତ କରିଥିବା ପାତ୍ର କମିସନ୍ ତାଙ୍କ ରିପୋର୍ଟରେ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ୨୦୦୬ରେ ଘଟିଥିବା ମଦମୃତ୍ୟୁ ଘଟଣା ଦ୍ବୟର ବିଚାର ବିଭାଗୀୟ ତଦନ୍ତ ଲାଗି ବସିଥିଲା ଜଷ୍ଟିସ୍‌ ପି.କେ.ପାତ୍ର କମିସନ। କମିସନ୍‌ ସେତେବେଳେ ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରି କୌଣସି ବିଧିବଦ୍ଧ ପ୍ରମାଣ ନଥିବାରୁ ତାହା ଖାରଜ କରିବା ସହ ଉପରୋକ୍ତ ମତ ରଖିଥିଲେ। ଏହା ପରେ ବି ଗଞ୍ଜାମରେ ବେଆଇନ ଓ ଅପମିଶ୍ରିତ ମଦ କାରବାର ପଛରେ ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବା ଜଳଜଳ ଜଣାପଡ଼ୁଛି।

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବେଆଇନ ମଦ କାରବାର ଚରମସୀମାରେ ପହଞ୍ଚିଛି। ଗତଦୁଇ ଦଶନ୍ଧିକୁ ଅନୁଧ୍ୟାନ କଲେ ଜିଲ୍ଲାରେ ଦୁଇ ଦୁଇଟି ମଦମୃତ୍ୟୁ ଘଟି ସାରିଲାଣି। ଏଥିପାଇଁ ତଦନ୍ତ କମିସନ୍‌ ମଧ୍ୟ ବସିଛି। କମିସନ୍‌ ତା’ର ରିପୋର୍ଟ ମଧ୍ୟ ଦେଇଛି। କିନ୍ତୁ ଜିଲ୍ଲାରେ ବେଆଇନ ମଦ କାରବାର ଉପରେ ରୋକ୍‌ ଲାଗିପାରୁ ନାହିଁ। ଏଥିରେ ମଦ ମାଫିଆ ଓ ରାଜନେତାଙ୍କ ମିଳିତ ସମ୍ପୃକ୍ତି ଥିବାରୁ ଏହା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି।

ବେଆଇନ ଓ ଅପମିଶ୍ରତି ମଦ କାରବାରକୁ ନେଇ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ମଦମୃତ୍ୟୁ ଘଟି ଚାଲିଛି। ପୁରୁଷୋତ୍ତମପୁର ମଦମୃତ୍ୟୁ ପରେ ଜିଲ୍ଲାରେ ଆହୁରି ଦୁଇଟି ମଦମୃତ୍ୟୁ ଘଟିଲାଣି। ୨୦୦୬ ମାର୍ଚ୍ଚ ୧୬ତାରିଖରୁ ୨୦ ମଧ୍ୟରେ ରମ୍ଭା ଥାନା ଇଲାକାରେ ମଦମୃତ୍ୟୁ ଘଟିଥିଲା। ସେଥିରେ ଖଜୁରିଆ, ଆଲିପୁର, ରାମଚନ୍ଦ୍ରପୁର, ଗଡ଼ହୁମ୍ମା ଆଦି ଅଞ୍ଚଳର ୧୩ଜଣଙ୍କ ବିଷାକ୍ତ ମଦପିଇ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ରମ୍ଭା ଥାନା ପୁଲିସ ସମୁଦାୟ ୪ଟି ମାମଲା ରୁଜୁ କରିଥିଲା। ସମୁଦାୟ ୪୬ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲା।

କିନ୍ତୁ ଏହାର ଠିକ୍ ଏକମାସ ପରେ ଏପ୍ରିଲ ୨୩ ଓ ୨୪ତାରିଖ ଦୁଇ ଦିନରେ ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧରେ ମଧ୍ୟ ମଦମୃତ୍ୟୁ ଘଟଣା ନଜରକୁ ଆସିଥିଲା। ଏଥିରେ ସମୁଦାୟ ୧୦ଜଣଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ୬ଜଣ ବିଷାକ୍ତ ମଦପିଇ ମୃତ୍ୟୁବରଣ କରିଥିବା ସ୍ପଷ୍ଟ ହୋଇଥିଲା। ଏହି ଘଟଣାରେ ଗୋପାଳପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ୧୯ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଉଭୟ ଥାନା ଅଭିଯୁକ୍ତଙ୍କୁ ଗିରଫ କରି ସେ ସମୟରେ କୋର୍ଟ ଚାଲାଣ କରିଥିଲା। ସେ ସମୟରେ ଉଭୟ ଘଟଣାରେ ମୋଟ ୧୯ଜଣଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଝଡ଼ ସୃଷ୍ଟି ହୋଇଥିଲା। ତତ୍କାଳୀନ ଅବକାରୀ ମନ୍ତ୍ରୀ କାଳିନ୍ଦୀ ବେହେରା ଇସ୍ତଫା ଦେଇଥିଲେ। ଏହି ଦୁଇଟି ଘଟଣାରେ ଅବକାରୀ ବିଭାଗର ୬ଜଣ ଅଧିକାରୀଙ୍କୁ ନିଲମ୍ବନ କରା ଯାଇଥିଲା। ଏହାପରେ ସରକାର ୨୬ଜୁନରେ ଏହି ମଦମୃତ୍ୟୁ ଘଟଣା ଦ୍ବୟକୁ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ୍‌ ପି.କେ ପାତ୍ରଙ୍କ ନେତୃତ୍ବରେ ପାତ୍ର କମିସନ୍‌ ବସିଥିଲା। ଏହି କମିସନ୍‌ଙ୍କ ତଦନ୍ତ ବେଳେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା। କମିସନ୍‌ଙ୍କ ନିକଟରେ ମୋଟ ୬୧ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ ଓ ୭୯ଟି ସତ୍ୟପାଠ ଏବଂ ଦସ୍ତାବିଜ ଦାଖଲ କରା ଯାଇଥିଲା।

ଏହି ମଦମୃତ୍ୟୁ ପଛରେ ମଦ ବ୍ୟବସାୟୀ ସୂର୍ଯ୍ୟନାରାୟଣ ସାହୁ, ତତ୍କାଳୀନ ବିସିସି ବ୍ୟାଙ୍କ ସଭାପତି ଥିବା ବର୍ତ୍ତମାନର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଜିଲ୍ଲାର ଜଣେ ବରିଷ୍ଠ ପ୍ରଶାସନଙ୍କ ସମ୍ପୃକ୍ତ ରହିଥିବା ନେଇ ରାଜୀବ ପାତ୍ର, ହେରମ୍ବ ଦାସ ଓ ଜି. ରାମାରାଓ ନାମକ ବ୍ୟକ୍ତି କମିସନ୍‌ ନିକଟରେ ଅଭିଯୋଗ ଆଣିଥିଲେ। କିନ୍ତୁ ଏମାନେ ଆବଶ୍ୟକ ତଥ୍ୟ ପ୍ରମାଣ ଦାଖଲ କରି ନପାରିବାରୁ ତାଙ୍କ ଆବେଦନକୁ କମିସନ୍‌ ଖାରଜ କରି ଦେଇଥିଲେ। ଏ ସମ୍ପର୍କରେ ଉପରୋକ୍ତ ମତ ମଧ୍ୟ ରଖିଥିଲେ। ଗଞ୍ଜାମ ଜିଲ୍ଲାରେ ପୂର୍ବ ତୁଳନାରେ ବେଆଇନ ମଦ କାରବାର ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ଉଦାହରଣ ଭାବେ ନିଆଗଲେ ଗତ ମାର୍ଚ୍ଚ ୨୨ତାରିଖରେ ଦେଶ ଲକ୍‌ଡାଉନ୍‌ ହୋଇଥିଲା। ମଦ ଦୋକାନ ସମେତ ସବୁଠି ତାଲା ଝୁଲିଥିଲା। ଜନସାଧାରଣ ଗୃହାବଦ୍ଧ ହୋଇ ରହି ମହାମାରୀ କରୋନା ସହିତ ଲଢ଼ୁଥିଲେ। ଏଭଳି ସଙ୍ଗିନ୍‌ ସମୟରେ ବି ଗଞ୍ଜାମ ଜିଲ୍ଲାରେ ବେଆଇନ ଦେଶୀ ମଦ କାରବାର ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଥିଲା। କେବଳ ଗଞ୍ଜାମ ପୁଲିସ ଜିଲ୍ଲାରେ ମାର୍ଚ୍ଚ ଠାରୁ ଅଗଷ୍ଟ ମାସ ମଧ୍ୟରେ ୧୭ଶହ ୯୫ଟି ଅବକାରୀ ମାମଲା ରୁଜୁ ହୋଇଥିଲା। ବ୍ରହ୍ମପୁର ପୁଲିସ ଜିଲ୍ଲାରେ ମଧ୍ୟ ୪ଶହରୁ ଅଧିକ ମାମଲା ରୁଜୁ ହୋଇଥିଲା। ପାଖାପାଖି ୨ଲକ୍ଷ ଲିଟର୍‌‌ ଦେଶୀ ମଦ ପୁଲିସ ଜବତ କରିଥିଲା। ଏଥିସହ ଅବକାରୀ ବିଭାଗର ବି ହିସାବ ଆହୁରି ଅଲଗା ରହିଛି। ଏ ସବୁକୁ ଦେଖିଲେ ଗଞ୍ଜାମ ଜିଲ୍ଲାରେ ବେଆଇନ ମଦ କାରବାର କିଭଳି ସ୍ଥିତିରେ ରହିଛି ତାହା ଜଳଜଳ ଜଣାପଡ଼ୁଛି। ଗଞ୍ଜାମ ଜିଲ୍ଲା ଏକ ବୃହତ ଜିଲ୍ଲା ଦୃଷ୍ଟିରୁ ଦୁଇଟି ଅବକାରୀ ଓ ଦୁଇଟି ପୁଲିସ ଜିଲ୍ଲାରେ ବିଭକ୍ତ କରାଯାଇଛି। ଏ ସବୁ ସତ୍ବେ ବେଆଇନ ମଦ କାରବାର ରୋକାଯାଇ ପାରୁ ନାହିଁ। ଏଥିଲାଗି ଅଧିକାଂଶ ସମୟରେ ହିଂସା ଓ ଅଶାନ୍ତିର ବାତାବରଣ ଉପୁଜୁଛି। ଏହି ବେଆଇନ କାରବାର ପଛରେ ରହିଛି ରାଜନୈତିକ ଓ ସରକାରୀ ପ୍ରୋତ୍ସାହନ। ୨ଟି ମଦମୃତ୍ୟୁ ପରେ ବି ଜନତା, ରାଜନେତା ଓ ସରକାର ଚେତି ନାହାନ୍ତି।

ସାମ୍ବିଧାନିକ ପଦ ପଦବିରେ ଥିବା ଜିଲ୍ଲାର ୩ଜଣ ରାଜନେତା ମଦ ବେପାର ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ରହିଛନ୍ତି। ଗୋଳାବନ୍ଧ ମଦମୃତ୍ୟୁ ଘଟଣାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ସୂର୍ଯ୍ୟ ସାହୁଙ୍କ ସମ୍ପର୍କକୁ ନେଇ ବହୁ କଥା ଉଠିଥିଲା। ପ୍ରଦୀପ ଓ ସୂର୍ଯ୍ୟଙ୍କ ସମ୍ପର୍କ କାହାକୁ ମଧ୍ୟ ଅଛପା ନାହିଁ। ସୂର୍ଯ୍ୟଙ୍କ ମାଲିକାନାରେ ଥିବା ସୂର୍ଯ୍ୟ ଫିଲିଙ୍ଗ୍‌ ଷ୍ଟେସନ୍‌ ଆକାଉଣ୍ଟ୍‌ରୁ ପ୍ରଦୀପଙ୍କ ଆକାଉଣ୍ଟ୍‌କୁ ୪୦ଲକ୍ଷ ଟଙ୍କା ଆସିବା ପରେ ଏହି ଚର୍ଚ୍ଚା ପୁଣିଥରେ ଆରମ୍ଭ ହୋଇଛି। ଏପରିକି ଗତ ନିର୍ବାଚନ ବେଳେ ସୂର୍ଯ୍ୟ ତାଙ୍କ ନିର୍ବାଚନ ପରିଚାଳନା କାର୍ଯ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ରହିଥିବା ଦେଖିବାକୁ ମିଳିଥିଲା। ତେବେ ଏ ସଂକ୍ରାନ୍ତରେ ସୂର୍ଯ୍ୟଙ୍କ ପ୍ରତିକ୍ରିୟା ମିଳି ନଥିଲେ ମଧ୍ୟ ସୂର୍ଯ୍ୟ ଫିଲିଙ୍ଗ୍‌ ଷ୍ଟେସନ୍‌ର ଜଣେ ଅଧିକାରୀ ତପନ କୁମାର ସାହୁ ଗଣମାଧ୍ୟମ ଆଗରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ଏବଂ ପ୍ରଦୀପ ତାଙ୍କ ଝିଅର ବାହାଘର ପାଇଁ ଅର୍ଥ ମାଗିଥିଲେ। ମାଲିକଙ୍କ ନିର୍ଦ୍ଦେଶରେ ଏହି ଅର୍ଥ ଆମେ ପଠାଇଥିଲୁ। ସେ ମାର୍ଚ୍ଚ ସୁଦ୍ଧା ଏହି ଅର୍ଥ ଫେରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଗତକାଲି ବିଜେଡି ମୁଖପାତ୍ର ସୁଲତା ଦେଓ ମଧ୍ୟ ପ୍ରେସ୍‌ ବିବୃତ୍ତି ଜାରି ରକି କହିଛନ୍ତି ଯେ ବିଧାୟକ ପ୍ରଦୀପଙ୍କ ଆକାଉଣ୍ଟ୍‌କୁ ଗତ ୬ମାସ ମଧ୍ୟରେ ବାଲି ଓ ମଦ ମାଫିଆଙ୍କ ଆକାଉଣ୍ଟ୍‌ରୁ ଅଢ଼େଇ କୋଟି ଟଙ୍କା ଯାଇଛି। ଏଭଳି ପୁଳା ପୁଳା ଅଭିଯୋଗ ହିଁ ପ୍ରଦୀପଙ୍କ ସହ ମାଫିଆଙ୍କ ସମ୍ପୃକ୍ତିକୁ ସୂଚାଉଛି। ଅନ୍ୟପକ୍ଷରେ ଜିଲ୍ଲାର ଆଉ ଜଣେ ରାଜନେତା ସେ ତାଙ୍କର ରାଜନୈତିକ ଜୀବନ ପୂର୍ବରୁ ମଧ୍ୟ ମଦ ମାଫିଆଙ୍କ ସହିତ ସମ୍ପୃକ୍ତ ରହିଛନ୍ତି। ଏଥିସହ ମଦ କାରବାରରେ ଅଳ୍ପ ବହୁତେ ଜଡ଼ିତ ରହିଛନ୍ତି। ଏହି ରାଜନେତାଙ୍କ ଦ୍ବାରା କିଛି ଦେଶୀଭାଟି ଓ ବିଦେଶୀ ମଦ ଦୋକାନ ଚାଲିଥିବା କୁହାଯାଉଛି। ସାମ୍ବିଧାନିକ ପଦ ପଦବିରେ ଥିବା ଜିଲ୍ଲାର ଆଉ ଜଣେ ରାଜନେତା ମଧ୍ୟ ନିକଟରେ ୭ଟି ଦୋକାନ ନିଜ ଅନୁଗତଙ୍କ ଜରିଆରେ ଦଖଲକୁ ନେଇଥିବା ଜଣାପଡ଼ିଛି। ରାଜନୈତିକ ଓ ପ୍ରଶାସନିକ ସମ୍ପୃକ୍ତି ଯୋଗୁଁ ଜିଲ୍ଲାରେ ବେଆଇନ ମଦ କାରବାରକୁ ରୋକାଯାଇ ପାରୁ ନାହିଁ। ଗୋଟିଏ ପରେ ଗୋଟିଏ ମଦମୃତ୍ୟୁ ଘଟୁଛି, ଜୀବନ ବି ଯାଉଛି, ହିଂସା ଉପୁଜୁଛି।

ସମ୍ବନ୍ଧିତ ଖବର