ପ୍ରବାସୀ ଭୋଟ୍ ଟାଣିବାକୁ ନେତାଙ୍କ ପ୍ରତିଯୋଗିତା
ସୁରତ ଟ୍ରେନ୍ ଭର୍ତ୍ତି, ମିଳୁନି ଟିକେଟ୍; ତିନି ମାସ ପର୍ଯ୍ୟନ୍ତ କୌଣସି ଟ୍ରେନ୍ରେ ସ୍ଲିପର୍ ଉପଲବ୍ଧ ନାହିଁ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହେଉଛନ୍ତି ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ପ୍ରବାସୀଙ୍କ ଭୋଟ୍ ହାତେଇବା। ଏଣୁ ପ୍ରବାସୀଙ୍କ ଭୋଟ ଯୋଗାଡ଼ କରିବା ଉପରେ ସବୁ ଦଳ ନେତାଙ୍କ ନଜର। ନେତାମାନେ ଭୋଟ୍ ପାଇଁ ପ୍ରବାସୀ ଶ୍ରମିକଙ୍କୁ ଗାଁକୁ ଆସିବାକୁ ବହୁପୂର୍ବରୁ ନିମନ୍ତ୍ରଣ କରି ସାରିଛନ୍ତି। ଅଗ୍ରୀମ ଟିକେଟ୍ ଖର୍ଚ୍ଚ ମଧ୍ୟ ବଣ୍ଟା ସରିଛି। ଭୋଟ୍ ଦେବାପାଇଁ ଏବେ ଶହ ଶହ ପ୍ରବାସୀ ଗାଁ ମୁହାଁ ହୋଇଛନ୍ତି। ଏବେ ଟ୍ରେନ୍ରେ ଟିକେଟ୍ ମିଳିବା ମଧ୍ୟ କଷ୍ଟକର ବ୍ୟାପାର ହୋଇପଡ଼ିଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ପ୍ରବାସୀ ଶ୍ରମିକ ସୁରତରେ କାମ କରୁଛନ୍ତି। ଏଣୁ ସୁରତରୁ ଆସୁଥିବା ଟ୍ରେନ୍ଗୁଡ଼ିକ ଏବେ ଭର୍ତ୍ତି। ହଜାର ହଜାର ସଂଖ୍ୟାରେ ପ୍ରବାସୀ ପିଲାଛୁ୍ଆ ଧରି ଅପେକ୍ଷା କରିଛନ୍ତି ଫେରିବାକୁ। ହେଲେ ଆସନ୍ତା ପ୍ରାୟ ୩ମାସ ପର୍ଯ୍ୟନ୍ତ ସୁରତରୁ ବ୍ରହ୍ମପୁର ଆସୁଥିବା ଟ୍ରେନ୍ରେ ସ୍ଲିପର୍ ବର୍ଥ ଆଦୌ ଖାଲି ନାହିଁ। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ନେତା। ପ୍ରବାସୀଙ୍କୁ କେମିତି ଘରକୁ ଅଣାଯାଇ ପାରିବ ସେ ନେଇ ନେତାମାନେ ତାଙ୍କର ଉଦ୍ୟମ ଜାରି ରଖିଛନ୍ତି।
ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇ ସାରିଛି। ପ୍ରାର୍ଥୀମାନେ ଏବେ ଗାଁରେ ପ୍ରଚାର ଚଳାଇଛନ୍ତି। କିନ୍ତୁ କୋଭିଡ୍ କଟକଣା ଯୋଗୁଁ ପ୍ରଚାର କିଛିଟା ଫିକା ପଡ଼ି ଯାଇଛି। ରାଜ୍ୟ ନିର୍ବାଚନ କମିସନ୍ଙ୍କ ଦ୍ବାରା ଜାରି କରା ଯାଇଥିବା ଗାଇଡ୍ଲାଇନ୍ ଅନୁସାରେ ପ୍ରଚାର ଚାଲିଛି। ଏଥର ଡିଜିଟାଲ୍ ପ୍ରଚାରକୁ ଅଧିକ ଗୁରୁତ୍ବ ଦିଆଯାଇଛି। ପ୍ରାର୍ଥୀମାନେ ମୋବାଇଲ୍ ଓ ବିଭିନ୍ନ ସୋସିଆଲ୍ ମିଡ଼ିଆ ଜରିଆରେ ପ୍ରଚାର କରୁଛନ୍ତି। ରାଜ୍ୟ ବାହାରେ ରହୁଥିବା ପ୍ରବାସୀଙ୍କୁ ଭିଡ଼ିଓ କଲ୍ କରି ସେମାନଙ୍କୁ ଭୋଟ୍ ଦେବାକୁ ଆସିବା ପାଇଁ ନିମନ୍ତ୍ରଣ କରିବାରେ ରାତି ପାହିଯାଉଛି। ଏପରିକି କିଛି ନେତା ନିଜର ସାଙ୍ଗସାଥିଙ୍କୁ ଧରି ଟ୍ରେନ୍ ଟିକେଟ୍ ମଧ୍ୟ ବୁକିଂ କରି ଦେଉଛନ୍ତି। ଗଞ୍ଜାମ ଜିଲ୍ଲାର ୫ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ବିଭିନ୍ନ ରାଜ୍ୟରେ କାମ କରୁଛନ୍ତି। ତନ୍ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ପ୍ରବାସୀ ସୁରତରେ କାମ କରୁଛନ୍ତି। ସୁରତରେ କାମ କରୁଥିବା ଓଡ଼ିଆ ପ୍ରବାସୀଙ୍କୁ ଟାଣିବାକୁ କସରତ ଚଳାଇଛନ୍ତି ନେତା। ନିର୍ବାଚନ ସମୟ ଆସିଲେ ନେତାଙ୍କୁ ପ୍ରବାସୀ ଶ୍ରମିକଙ୍କ କଥା ମନେ ପଡ଼ିଥାଏ। ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରତରେ ଅୟୋଜିତ ଓଡ଼ିଶା ମହୋତ୍ସବ ଉଦ୍ଘାଟନ କରି ପରୋକ୍ଷରେ ପ୍ରବାସୀଙ୍କୁ ଭୋଟ୍ ଭିକ୍ଷା କରିଥିଲେ। ଏଥର ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ନେତାମାନେ ପୁଣିଥରେ ପ୍ରବାସୀଙ୍କୁ ଚାହିଁ ବସିଛନ୍ତି।
ସୁରତରୁ ବ୍ରହ୍ମପୁରକୁ ସପ୍ତାହରେ ୩ଟି ଟ୍ରେନ୍ ୫ଦିନ ଯାତାୟାତ କରିଥାଏ। ଓଖା-ପୁରୀ ଟ୍ରେନ୍ରେ ଆସନ୍ତା ଏପ୍ରିଲ୍ ୨୮ତାରିଖ ପର୍ଯ୍ୟନ୍ତ ସ୍ଲିପର୍ ଟିକେଟ୍ ନାହିଁ। ସେହିପରି ଗାନ୍ଧୀଧାମ-ପୁରୀ ଟ୍ରେନ୍ରେ ଆସନ୍ତା ଏପ୍ରିଲ୍ ୨୦ତାରିଖ ପର୍ଯ୍ୟନ୍ତ ସ୍ଲିପର୍ ଟିକେଟ୍ ନଥିବା ବେଳେ ଅହମ୍ମଦାବାଦ-ପୁରୀ ଟ୍ରେନ୍ରେ ଏପ୍ରିଲ୍ ୨୧ତାରିଖ ପର୍ଯ୍ୟନ୍ତ ଟିକେଟ୍ ନଥିବା ବ୍ରହ୍ମପୁର ରେଳ ଷ୍ଟେସନ୍ରୁ ସୂଚନା ମିଳିଛି। ସେହିପରି ଏହି ୩ଟି ଟ୍ରେନ୍ରେ ଫେବ୍ରୁଆରି ୨୩ତାରିଖ ପର୍ଯ୍ୟନ୍ତ ସାଧାରଣ ଟିକେଟ୍ ନାହିଁ। ଯାହାକୁ ନେଇ ନେତାମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।