ଆସିକା: କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ପୂର୍ବ ସୂଚନା ପ୍ରକାରେ କଲେଜ ଛକ ଅଞ୍ଚଳରେ ଯାଉଥିବା ଏକ ମିନି ଟ୍ରକକୁ ଯାଞ୍ଚ ବେଳେ ସେଥିରୁ ୫୧୫ ଲିଟର ବିଦେଶୀ ମଦ ଜବତ ହୋଇଛି । ସେଥିମଧ୍ୟରୁ ୩ଶହ ଲିଟର ବିଅର ଓ ୨୧୫ ଲିଟର ଅନ୍ୟ ବିଦେଶୀ ମଦ ଥିବା ସୂଚନା । ଜବତ ମଦର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି । ମଦ କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଉଥିଲା ଓ ଏହି ଚାଲାଣରେ କେଉଁମାନେ ସଂପୃକ୍ତ ତାହାର ତଦନ୍ତ ଚାଲିଛି । ଆଗକୁ ପାର୍ବଣ ଋତୁ ଥିବା ବେଳେ ବେଆଇନ ମଦ ବିକ୍ରି ଓ ପ୍ରସ୍ତୁତି ଉପରେ ଚଢ଼ାଉ ଜୋରଦାର ହେବ ବୋଲି ଥାନା ଅଧିକାରୀ କହିଛନ୍ତି।
ଆସିକାରେ ଦେଶୀ ଓ ବିଦେଶୀ ମଦର ଯେଭଳି ବହୁଳ ବିକ୍ରି ହେଉଛି ତାହାକୁ ଦେଖିଲେ ଲାଗୁଛି ଏଠି ଅବକାରୀ ନୀତି କିଛି କାମ କରୁନାହିଁ। କିଛି ବର୍ଷ ପୂର୍ବେ ବେଆଇନ ମଦ ବ୍ୟବସାୟକୁ ନେଇ ଆସିକାରେ ବହୁ ସଂଖ୍ୟକ ମୁଣ୍ଡ ଗଡ଼ିଥିଲା । ମଦ ବ୍ୟବସାୟରେ ଅପରାଧୀ ଗୋଷ୍ଠୀର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାଗିଦାରୀ ଓ ସକ୍ରିୟ ଅଂଶ ରହୁଥିବା ବେଳେ ମଦ ବ୍ୟବସାୟରୁ ଅପରାଧିକ ଗୋଷ୍ଠୀ ଅପରାଧ ପାଇଁ ଟଙ୍କା ପାଉଛନ୍ତି ।
ଏଭଳି ସ୍ଥିତିରେ ଦେଶୀ ଓ ବିଦେଶୀ ମଦ ପ୍ରସ୍ତୁତିର କୁଟୀର ଶିଳ୍ପ ପାଲଟିଛି ଆସିକା । ଆସିକାର ହୋଟେଲ ରେଷ୍ଟୁରାଣ୍ଟ ପାନ ଦୋକାନ,କିରାଣୀ ଦୋକାନରେ ଯେଭଳି ମଦ ବିକ୍ରି ହେଉଛି ତାହା ଆସିକାରେ ଅବକାରୀ ବିଭାଗର କୌଣସି ପଦକ୍ଷେପ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନଥିବା ଅନୁମାନ ହେଉଛି । ଆସିକା ଅବକାରୀ ଥାନା ଠାରୁ କିଛି ଦୂରରେ ଜାତୀୟ ରାଜ ପଥ ରାସ୍ତା କଡରେ ହୋଟେଲ ଖୋଲାଯାଇ ଦିନ ଦିପହରରେ ବେଆଇନ ମଦ ଅବାଧ ବିକ୍ରି ହେଉଛି । ଆସିକାର ବହୁ ମଦ ଦୋକାନର ଲାଇସେନ୍ସ ଦିଆ ଯାଇଥିଲା ବେଳେ ପ୍ରଚୁର ପରିମାଣର ବିଦେଶୀ ମଦ ଆସିକାକୁ ଆସୁଛି।