ମଦଭାଟି ସେଲ୍‌ସମ୍ୟାନ୍‌ଙ୍କୁ ହତ୍ୟା

କୁକୁଡ଼ାଖଣ୍ତି/ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ଏକ ଦେଶୀ ମଦଭାଟି ସେଲ୍‌ସମ୍ୟାନ୍‌ଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ବିଜୟ କୁମାର ଡାକୁଆ(୬୨)। ବିଜୟଙ୍କ ମୁଣ୍ଡକୁ କୌଣସି ଏକ ଧାରୁଆ ଅସ୍ତ୍ର‌େର ଆକ୍ରମଣ କରା ଯାଇଥିବା ବେଳେ ପିଠିରେ ମଧୢ ଚୋଟ ଲାଗିଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଦ୍ଧା ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।

ମୃତ ବିଜୟଙ୍କ ଘର ଜଗଦଳପୁର ଭଣ୍ତାରୀ ସାହି। ସେ ପ୍ରାୟ ୨ବର୍ଷ ହେଲା ସେହି ଗାଁର ପଞ୍ଚାନନ ସାହୁଙ୍କ ଦେଶୀ ମଦଭାଟିରେ କାମ କରୁଥିଲେ। ସେ ଦୁଇଥର ବିବାହ କରିଥିବା ବେଳେ ଉଭୟ ପତ୍ନୀଙ୍କ ବିୟୋଗ ହୋଇ ସାରିଛି। ସେ ଅନ୍ୟ ଜଣେ ମହିଳାଙ୍କ ସହିତ ରହି ଆସୁଥିଲେ।

ଭାଟି ମାଲିକ ପଞ୍ଚ‌ାନନଙ୍କ କହିବାନୁସାରେ, ଗତ ରାତି ପ୍ରାୟ ୧୦ଟା ବେଳେ ଭାଟିରେ ସମସ୍ତ କାମ ସାରି ସେ ଘରକୁ ବାହାରିଥିଲେ। କିନ୍ତୁ ରାତିରେ ସେ ଆଉ ଘରକୁ ଫେରି ନଥିଲେ। ଆଜି ସକାଳେ ଭାଟି ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଜୟ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

ଏହି ଘଟଣା ଜଣାପଡ଼ିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ସନ୍ଧାନୀ କୁକୁର ସହାୟତାରେ ପୁଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଶବ ପଡ଼ିଥିବା ସ୍ଥାନରୁ କିଛି ମିଟର‌ ଦୂରରୁ ହ‌େଳ ଚପଲ ଜବତ ହୋଇଛି। ବିଜୟ ପ୍ରତିଦିନ ରାତିରେ ପ୍ରାୟତଃ ସେହି ସମୟରେ ଘରକୁ ଫେରିଥାନ୍ତି। ଗତକାଲି ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ପୂର୍ବ ଯୋଜନା କରି ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ଦୁର୍ବୃତ୍ତମାନେ ବିଜୟଙ୍କୁ କାହିଁକି ହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ। ବିଜୟଙ୍କ ପ୍ରଥମ ପତ୍ନୀଙ୍କ ପୁଅ ସନ୍ତୋଷ ଡାକୁଆଙ୍କ ଅଭିଯୋଗ କ୍ରମେ ପୁଲିସ କେସ୍‌ ନମ୍ବର ୨୨୭/୧୮ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରୀ ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର