କରୋନାରେ ଅମାନବୀୟ ଘଟଣା : ରୋଗୀଙ୍କୁ ମିଳୁନି ସେବା, ଶବକୁ ମିଳୁନି କାନ୍ଧ

ବ୍ରହ୍ମପୁର ( ପ୍ରଦୀପ କିଶୋର ସାହୁ) :  ଓଡ଼ିଶାର ହଟ୍‌ସ୍ପଟ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ି ଚାଲିଛି। ୪ ମାସ ହେଲା ଜିଲ୍ଲାବାସୀ କଟକଣା ମଧ୍ୟରେ ଆବଦ୍ଧ ହୋଇ ରହିଥିବା ବେଳେ ଜୀବନଜୀବିକା ପ୍ରଭାବିତ ହୋଇଛି। ହେଲେ ଏହାକୁ ବଳିଗଲାଣି ସାମାଜିକ ବାସନ୍ଦର ଯନ୍ତ୍ରଣା। ସନ୍ଦେହର ବୀଜ ଏମିତି ଭାବେ ବୁଣି ହୋଇଛି ଯେ ମୃତ୍ୟୁ ପରେ ଜଣେ ସାଧାରଣ ରୋଗୀକୁ ବି ଚାରି କାନ୍ଧ ମିଳୁନି। ଆତ୍ମୀୟସ୍ବଜନ ମଧ୍ୟ ନାକ ଟେକି ପଳାଉଛନ୍ତି। ଶବକୁ ଗାଁ ଦାଣ୍ଡରୁ ଫେରାଇ ଦିଆଯାଉଛି। ଖାଲି ଏତିକି ନୁହେଁ, ସାଧାରଣ ରୋଗୀଟିକୁ ମଧ୍ୟ ବ୍ରହ୍ମପୁର ବଡ଼ ଡାକ୍ତରଖାନାଠୁ ଆରମ୍ଭ କରି ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ସେବା ମିଳୁନି। ସେପଟେ ଗଞ୍ଜାମ ଜିଲ୍ଲାର ରୋଗୀଙ୍କୁ ଭୁବନେଶ୍ବର ଓ କଟକ ଭଳି ସହରର ଘରୋଇ ହସ୍ପିଟାଲ୍ ବାରଣ୍ଡାରୁ ହିଁ ଘଉଡ଼ାଇ ଦିଆଯାଉଛି। ଆମ୍ବୁଲାନ୍ସରେ ଛଟପଟ ହୋଇ ରୋଗୀ ପ୍ରାଣ ହରାଉଛନ୍ତି। ବିଗତ କିଛି ଦିନ ମଧ୍ୟରେ ଏକାଧିକ ଏଭଳି ଅମାନବୀୟ ଘଟଣା ନଜରକୁ ଆସିଛି।

ଗତ ୧୩ ତାରିଖରେ ବ୍ରହ୍ମପୁର ତୁଳସୀନଗର ସାହିର ବାସିନ୍ଦା ନରସିଂହ କୁଣ୍ଡୁ ଅସୁସ୍ଥତା ପରେ ଭୁବନେଶ୍ବରର କୌଣସି ଘରୋଇ ଡାକ୍ତରଖାନାରେ ଚିକିତ୍ସା ସେବା ପାଇ ନଥିଲେ। ଆମ୍ବୁଲାନ୍ସ୍‌ରେ ୩ରୁ ୪ ଘଣ୍ଟା କାଳ ଛଟପଟ ହୋଇ ପ୍ରାଣ ହରାଇଲେ। ସେହିପରି ବ୍ରହ୍ମପୁର ହନୁମାନ ବଜାର ଅଞ୍ଚଳର ନିମୋନିଆରେ ପୀଡ଼ିତ ଜଣେ ବ୍ୟକ୍ତି ଗତ ୧୨ ତାରିଖରେ ଭୁବନେଶ୍ବର ଯାଇଥିଲେ। ମାତ୍ର ୩ଟି ଘରୋଇ ଡାକ୍ତରଖାନା ବୁଲିଲେ ବି କେହି ଭର୍ତ୍ତି ନ କରିବାରୁ ରାତିସାରା ସେ ଆମ୍ବୁଲାନ୍ସ୍‌ରେ ରହିଥିଲେ। ‌ଶେଷରେ କୋଭିଡ଼୍‌ ପରୀକ୍ଷା ପରେ ସମ୍ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ।

ଏ ସ˚କ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ହଟ୍‌ସ୍ପଟ୍ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କୌଣସି ଘରୋଇ ହସ୍ପିଟାଲ୍ ଫେରାଇ ପାରିବେ ନାହିଁ ଓ ଏହାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ମୁଖ୍ୟ ଶାସନ ସଚିବ ଗତ ୧୮ ତାରିଖରେ ନିର୍ଦ୍ଦେଶନାମା ଜାରି କରିଥିଲେ। କିନ୍ତୁ କୌଣସି ସୁଫଳ ମିଳୁନି। ଘରୋଇ ହସ୍ପିଟାଲ୍ ମାଲିକମାନେ ରୋଗୀଙ୍କୁ ଘଣ୍ଟାଏ ଦୁଇ ଘଣ୍ଟା ଲାଗି ଭର୍ତ୍ତି କରି ବିଭିନ୍ନ ପରୀକ୍ଷା ଆଳରେ ଅର୍ଥ ଲୁଟିବା ପରେ ଆଇସିୟୁ ନ ଥିବା କହି ତଡ଼ି ଦେଉଛନ୍ତି।

ଦିଗପହଣ୍ଡିର ଅବସରପ୍ରାପ୍ତ ସେନା କର୍ମଚାରୀ ନିରାକାର ବିଷୋୟୀ ଭୁବନେଶ୍ବରରେ ଠିକ୍ ସମୟରେ ଚିକିତ୍ସା ପାଇ ନପାରି ପ୍ରାଣ ହରାଇଛନ୍ତି। ଗତ ୧୭ ତାରିଖରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ମେଡିସିନ୍ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲେ ବି କୌଣସି ଡାକ୍ତର ଚିକିତ୍ସା କରି ନଥିଲେ। ୧୮ ତାରିଖରେ ଛାତିର ଏକ୍ସରେ ହୋଇଥିଲା। ଲକ୍ଷଣ ଥିବା ସନ୍ଦେହରେ ନିରାକାରଙ୍କୁ କୋଭିଡ୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୁଅ ଆଲୋକ ଏଠାରେ ନିରାକାରଙ୍କ ସ୍ବାବ୍ ନମୁନା ପରୀକ୍ଷା ନ କରି ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ନେଇଯାଇଥିଲେ। ସନ୍ଧ୍ୟା ୬ଟାରେ ସମ୍ ହସ୍ପିଟାଲ୍‌ର ଆଇସୋଲେସନ୍ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା। ନିରାକାରଙ୍କ ବିଭିନ୍ନ ନମୁନା ପରୀକ୍ଷା ବାବଦରେ ୮୦୦୦ ଟଙ୍କା ନେଇ ଆଇସିୟୁ ନାହିଁ ବୋଲି କହି କର୍ତ୍ତୃପକ୍ଷ ଫେରାଇ ଦେଇଥିଲେ। ଏହାପରେ ଆଲୋକ ବାପାଙ୍କୁ ନେଇ ବିବେକାନନ୍ଦ ହସ୍ପିଟାଲ୍‌ ଯିବା ପରେ ସେଠାରେ ବି ସମାନ ଉତ୍ତର ମିଳିଥିଲା। କିମ୍‌ସକୁ ଯିବା ପରେ କର୍ତ୍ତୃପକ୍ଷ ଭିତରକୁ ପୂରାଇ ନଥିଲେ। ଆମ୍ବୁଲାନ୍ସ୍‌ ଭିତରେ ହିଁ ନିରାକାରଙ୍କ ଦୁଇଥର ଆଣ୍ଟିଜେନ୍ ଟେଷ୍ଟ୍ ହୋଇଥିଲା। ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଥିଲା। ତଥାପି କିମ୍‌ସ ଡାକ୍ତରଖାନା କର୍ତ୍ତୃପକ୍ଷ ନିରାକାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେନି। ସାରା ରାତି ସେ ଆମ୍ବୁଲାନ୍ସ୍ ଭିତରେ ରହିଥିଲେ। ୧୯ ତାରିଖ ସକାଳେ ଆମ୍ରି ହସ୍‌ପିଟାଲକୁ ଯାଇ ନିରାଶ ହେବା ପରେ ଶେଷରେ ଭୁବନେଶ୍ବର ସାମନ୍ତରାପୁର ସ୍ଥିତ ସଞ୍ଜୀବନୀ ହସ୍ପିଟାଲ୍‌ ନିରାକାରଙ୍କ ନେଗେଟିଭ୍ ରିପୋର୍ଟ ଦେଖି ଭର୍ତ୍ତି କରିବାକୁ ରାଜି ହୋଇଥିଲେ। କିନ୍ତୁ ୨୩ ତାରିଖ ଭୋର୍ ୫ଟାରେ ନିରାକାର ଆଖି ବୁଜିଥିଲେ।

ସେହିପରି ବ୍ରହ୍ମପୁରର ଗଜପତିନଗର ବାସିନ୍ଦା ପି.ସାଇବ ପାତ୍ର ନାମକ ଜଣେ ବ୍ୟକ୍ତି ଗତ ୧୯ ତାରିଖରେ ଅସୁସ୍ଥ ହେବା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଜରୁରୀକାଳୀନ ୱାର୍ଡ଼ରେ ଚିକିତ୍ସା ପରେ ତାଙ୍କୁ ଆଇସୋଲେସନ୍ ୱାର୍ଡ଼କୁ ପଠାଇ ଦିଆଯାଇଥିଲା। କିନ୍ତୁ ସ୍ବାବ୍ ନମୁନା ସଂଗ୍ରହ ହୋଇ ନଥିଲା। ସାଇବଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ୨୨ତାରିଖରେ ତାଙ୍କୁ ଚିକିତ୍ସା ନିମନ୍ତେ ପରିବାରବର୍ଗ ଭୁବନେଶ୍ବରର ସମ୍‌, କେୟାର୍ ଓ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇଥିଲେ। ହେଲେ କେଉଁଠି ମଧ୍ୟ ଚିକିତ୍ସା ସୁବିଧା ମିଳି ନଥିଲା। କରୋନା ଲକ୍ଷଣ ଥିବା କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ କିମ୍‌ସକୁ ପଠାଇଥିଲେ। ଆଇସିୟୁ ନଥିବା କହି ସେଠାରେ ତାଙ୍କୁ ଜେନେରାଲ୍ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା। ୨୨ ତାରିଖରେ ହିଁ ସାଇବଙ୍କ ମୃତ୍ୟୁ ହୋଇଯାଇଥିଲା।

ସେପଟେ ରୋଗୀର ସ୍ବାଭାବିକ ଭାବେ ମୃତ୍ୟୁ ଘଟିଲେ ବି ଜଣକୁ ଚାରିକାନ୍ଧ ବି ମିଳୁନି। କବିସୂର୍ଯ୍ୟନଗର ଗୋପୀନାଥପାଟଣା ଅଞ୍ଚଳର ସୋମନାଥ ପାତ୍ର ୧୦ ଦିନ କାଳ ଅସୁସ୍ଥତା ପରେ ତାଙ୍କୁ ଗତମାସ ୩୦ ତାରିଖରେ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍‌ ନିଆଯାଉଥିବା ସମୟରେ ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଗାଁକୁ ଶବ ନେଇ ପରିବାରବର୍ଗ ଫେରିଥିଲେ ମଧ୍ୟ ଶବ ସତ୍କାର ଲାଗି ଗ୍ରାମବାସୀ ଅନୁମତି ଦେଇ ନଥିଲେ। ଆମ୍ବୁଲାନ୍ସ୍‌ରେ ଘଣ୍ଟା ଘଣ୍ଟା ଧରି ଶବ ପଡ଼ି ରହିଥିଲା। ଶେଷରେ ପ୍ରଶାସନ ହସ୍ତକ୍ଷେପ କରିଥିଲା। ସୋମନାଥଙ୍କ ଭାଇ ଓ ଭଉଣୀ ମିଶି ଶବକୁ ଘୋଷାଡ଼ି ଘୋଷାଡ଼ି ଶ୍ମଶାନକୁ ନେଇଥିଲେ। ସେଠାରେ ଜେସିବିରେ ଗାତ ‌ଖୋଳି ଶବକୁ ପୋତାଯାଇଥିଲା। ଏହି ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ସେହିପରି କବିସୂର୍ଯ୍ୟନଗରରେ ଗତ ୨ ତାରିଖରେ ପୁଅର ପଜିଟିଭ୍ ରିପୋର୍ଟ ଆସିଥିବା ଶୁଣି ଜଣେ ବ୍ୟକ୍ତି ହୃଦ୍‌ଘାତରେ ପ୍ରାଣ ହରାଇଥିଲେ। ଆତ୍ମୀୟସ୍ବଜନ ଓ ସାହିବାସିନ୍ଦା କେହି ମଧ୍ୟ ଶବ ଉଠାଇବାକୁ ନ ଆସିବାରୁ ପ୍ରଶାସନର ହସ୍ତକ୍ଷେପ ପରେ ୪ଜଣ ସ୍ବେଚ୍ଛାସେବୀ ପିପିଇ କିଟ୍ ପିନ୍ଧି ଅନ୍ତିମ ସଂସ୍କାର ସଂପନ୍ନ କରିଥିଲେ।

ସେହିପରି କୁକୁଡ଼ାଖଣ୍ଡି ବ୍ଲକ୍ ବୋରିଗାଁ ପଞ୍ଚାୟତ ଜକରାପଲ୍ଲୀ ଗ୍ରାମରେ ଗତମାସ ୨୧ ତାରିଖରେ ଜି.ବୁଡ଼ିଆମ୍ମା (୭୪) ନ‌ାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବକୁ ସାହିପଡ଼ିଶା ନ ଛୁଇଁବା ପରେ ସରପଞ୍ଚଙ୍କ ହସ୍ତକ୍ଷେପ କ୍ରମେ ବିଜୁ ଯୁବ ବାହିନୀ ଦ୍ବାରା ଅନ୍ତିମ ସଂସ୍କାର ସଂପନ୍ନ କରାଯାଇଥିଲା। ଗତ ୧୭ ତାରିଖରେ ଭଞ୍ଜନଗର ବ୍ଲକ ଗୋଲାପଡ଼ା ଗାଁର ସଂଯୁକ୍ତା ସ୍ବାଇଁ ନାମକ ଜଣେ ମହିଳା କୋଭିଡ୍ କେୟାର୍ ସେଣ୍ଟର୍‌ରେ ମୃତ୍ୟୁ ପରେ ତାଙ୍କ ଶବ ୧୨ ଘଣ୍ଟା କାଳ ପଡ଼ି ରହିଥିଲା। କରୋନା ସନ୍ଦେହରେ କେହି ପାଖ ନ ମାଡ଼ିବାରୁ ୪ଜଣ ଯୁବକ ପିପିଇ କିଟ୍‌ ପିନ୍ଧି ଶବ ସତ୍କାର କରିଥିଲେ। ଗତ ୩ ତାରିଖରେ କୁକୁଡ଼ାଖଣ୍ତି ବ୍ଲକ୍ ବାଲିପଡ଼ା ଗାଁର କାମେଶ ସୁବୁଦ୍ଧି(୬୫)ଙ୍କ ଶବକୁ ପଡ଼ୋଶୀ ନ ଛୁଇଁବା ପରେ ପ୍ରଶାସନ ଶବ ସତ୍କାର ଦିଗରେ ପଦକ୍ଷେପ ଗ୍ରହଣ କରିଥିଲା। ଶେରଗଡ଼ରେ ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ୪ଜଣ ସାମ୍ବାଦିକ ଓ ଯୁବକ କାନ୍ଧ ଦେଇଥିଲେ। ଗତକାଲି ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ତଥା କରୋନା ଯୋଦ୍ଧା ଏଏସ୍‌ଆଇ ରବୀନ୍ଦ୍ରନାଥ ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ଶବ କୋଦଳା ଡାକ୍ତରଖାନା ବାରଣ୍ଡାରେ ୧୨ ଘଣ୍ଟା କାଳ ପଡ଼ି ରହିଥିଲା। ସ୍ବେଚ୍ଛାସେବୀ, ସାମ୍ବାଦିକ ଓ ପୁଲିସ କର୍ମଚାରୀଙ୍କ ସହଯୋଗରେ ଶବକୁ ଉଠାଯାଇ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର