ମାଇକ୍ରୋ ଫାଇନାନ୍ସ ଚିଟ୍‌ଫଣ୍ଡ ଠକେଇ: ଦୁର୍ଗା ମିଶ୍ରଙ୍କ ଘରେ ଛତିଶଗଡ଼ ପୁଲିସ 

ଭଞ୍ଜନଗର: ମହାରାଷ୍ଟ୍ର ପୁଲିସର ଛାନ୍‌ଭିନ୍‌ ପରେ ଆଜି ଚିଟ୍‌ଫଣ୍ଡ ଠକେଇ ମାମଲାରେ ଛତିଶଗଡ଼ ପୁଲିସ ମାଇକ୍ରୋ ଫାଇନାନ୍ସ କମ୍ପାନି ମାଲିକ ଦୁର୍ଗା ମିଶ୍ର ଓ ଅନ୍ୟ ସହଯୋଗୀଙ୍କୁ ଖୋଜିବାକୁ ଭଞ୍ଜନଗରରେ ପହଞ୍ଚିଥିଲା। ଦାନ୍ତେୱାଡ଼ା ଜିଲ୍ଲାର ଗିଦାମ୍‌ ଥାନାରେ ରୁଜୁ ହୋଇଥିବା ଏକ ଠକେଇ ମାମଲାରେ ତଦନ୍ତ ପାଇଁ ଛତିଶଗଡ଼ର ଏକ ଟିମ୍ ଭଞ୍ଜନଗର ଆସିଥିଲେ। ଆଉ ଦୁର୍ଗାଙ୍କ ଭେଜିପୁଟସ୍ଥିତ ବାସଭବନରେ ଯାଞ୍ଚ ଓ ତନାଘନା କରି ଫେରିଥିଲେ। ଅଧିକାରୀ ସନ୍ତୋଷ ଧୁରୱ‌େଙ୍କ ନେତୃତ୍ବରେ ପହଞ୍ଚିଥିବା ଏହି ଟିମ୍ ଦୁର୍ଗାଙ୍କ ଘରେ ରହୁଥିବା ଭଡ଼ାଟିଆଙ୍କ ସହ ଆଲୋଚନା କରିବା ସହ ଘରର ଦେଖାଶୁଣା ଦାୟିତ୍ବରେ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ୨୦୧୫ ମସିହାରୁ ଦୁର୍ଗା ଘରକୁ ଆସି ନଥିବା ସୂଚନା ମିଳିଛି।

ଛତିଶଗଡ଼ ପୁଲିସ ପକ୍ଷରୁ କୁହାଯାଇଛି, ଗିଦାମ୍ ଥାନା ଇଲାକାରେ ମାଇକ୍ରୋଫାଇନାନ୍ସ କମ୍ପାନି ନିଜର ଲିଜିଂ ଓ ଫଣ୍ଡିଂ ନାମରେ ଏକ ଶାଖା ଖୋଲିଥିଲା। ଜମାକାରୀଙ୍କଠୁ ଲକ୍ଷାଧିକ ଟଙ୍କା ନେଇ ଆଉ ଫେରସ୍ତ କରି ନଥିଲା। ଫଳରେ ଠକେଇ ଅଭିଯୋଗ ଆଣି କିଛି ଜମାକାରୀ ଥାନାର ଦ୍ବାରସ୍ଥ ହୋଇଥିଲେ। ମାମଲା ରୁୁଜୁ ସହ ତଦନ୍ତ ଚାଲିଥିବା ବେଳେ ପୁଲିସ କମ୍ପାନିର ମାଲିକ ଦୁର୍ଗାଙ୍କ ସମେତ କାଳୀପ୍ରସାଦ ମିଶ୍ର, ଉପେନ୍ଦ୍ରନାଥ ମିଶ୍ର ଓ ଦୁର୍ଗା ଷଡ଼ଙ୍ଗୀଙ୍କ ଭଳି ସମ୍ପୃକ୍ତ କମ୍ପାନିର କିଛି କର୍ମଚାରୀଙ୍କୁ ଖୋଜି ଏଠାରେ ପହଞ୍ଚିଥିଲା। ତେବେ କାହାର ମଧ୍ୟ ଖୋଜ୍‌ଖବର ମିଳିନି। ମାଲିକଙ୍କ ସମ୍ପତ୍ତିର ସବିଶେଷ ତଥ୍ୟ ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଏକ ଚିଠି ଦିଆଯାଇଥିବା ଛତିଶଗଡ଼ ପୁଲିସ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଏହି ଟିମ୍‌ ଭୁବନେଶ୍ବର ଯାଇ ସେଠାରେ ତଦନ୍ତ କରିବ। କମ୍ପାନିର ମାଲିକ ଓ କର୍ମଚାରୀମାନଙ୍କୁ ଖୋଜି ପଚରାଉଚରା କରାଯିବ। ଏହି ମାମଲାରେ ବର୍ତ୍ତମାନ ୬ ଜଣ ଅଭିଯୁକ୍ତ ରହିଥିବା ଛତିଶଗଡ଼ ପୁଲିସ୍‌ ପକ୍ଷରୁ କୁହାଯାଇଥିବା ବେଳେ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ କୌଣସି ତଥ୍ୟ ଦେବାକୁ ମନା କରିଛି।

ତେବେ ସାରା ରାଜ୍ୟରେ ଚିଟ୍‌ଫଣ୍ଡ କେଳେଙ୍କାରୀକୁ ନେଇ ହଟଚମଟ ସୃଷ୍ଟି ହୋଇଥିବା ବ‌େଳେ ଆଜି ପର୍ଯ୍ୟନ୍ତ ଜମାକାରୀମାନେ ସେମାନଙ୍କ ଜମା ଟଙ୍କା ଫେରି ପାଇନାହାନ୍ତି। ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ସିବିଆଇ ପୂର୍ବରୁ ଦୁର୍ଗା ମିଶ୍ରଙ୍କୁ ଗିରଫ କରିଥିବା ବେଳେ ବର୍ତ୍ତମାନ ସେ ଜାମିନ୍‌ରେ ବାହାରେ ରହିଛନ୍ତି। ମାଇକ୍ରୋଫାଇନାନ୍ସ ସଂସ୍ଥା କେବଳ ଓଡ଼ିଶା ମଧ୍ୟରେ ସୀମିତ ନରହି ରାଜ୍ୟ ବାହାରେ ମଧ୍ୟ ଶତାଧିକ ଶାଖା ମେଲାଇ ଲୋକ ମାନଙ୍କ ଠାରୁ ଟଙ୍କା ସଂଗ୍ରହ କରୁଥିଲେ। ଠିକଣା ସମୟରେ ଜମାକାରୀମାନେ ଟଙ୍କା ପାଇ ନଥିବାରୁ ପୁଲିସର ଦ୍ବାରସ୍ଥ ହୋଇଥିଲେ। ବିଭିନ୍ନ ରାଜ୍ୟରେ ଏହି କମ୍ପାନି ନାମରେ ମାମଲା ରୁଜୁ ହୋଇଥିବା ବେଳେ ଅନେକ ସମୟରେ ସେଠାକାର ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଭଞ୍ଜନଗର ଆସି ତଦନ୍ତ କରି‌ ଫେରିଛନ୍ତି। ଗତ ଗୁରୁବାର ଦିନ ମହାରାଷ୍ଟ୍ର କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଆସି ଯାଞ୍ଚ କରି ଫେରିଥିଲେ।

ସମ୍ବନ୍ଧିତ ଖବର