ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଇଲାକାର ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ପୁନେ ଅପହରଣ କରି ନିଆଯିବା ଓ ସେଠାରେ ରଖି ଦୁଷ୍କର୍ମ କରିବା ଭଳି ସଂଗିନ୍ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୁକ୍ତମାନେ ଶେଷରେ ନାବାଳିକାଙ୍କୁ ଛାଡ଼ିଦେବାକୁ ଟ୍ରେନ୍ରେ ଆସିଥିବା ବେଳେ ବ୍ରହ୍ମପୁର ଷ୍ଟେସନ୍ରୁ ନାବାଳିକାଙ୍କୁ ଚାଇଲଡ୍ଲାଇନ୍ କର୍ମୀ ଉଦ୍ଧାର କରିଛନ୍ତି। ହେଲେ ପଚରାଉଚରା ବେଳେ ସେଠାରୁ ଅପହରଣକାରୀ ଓ ତାର ସହଯୋଗୀ ତଥା ଦୁଷ୍କର୍ମକାରୀ ଚମ୍ପଟ୍ ମାରିଛନ୍ତି। କିନ୍ତୁ ଦୁଇ ଅଭିଯୁକ୍ତଙ୍କ ଆଧାର କାର୍ଡ଼ ଜବତ ହୋଇଛି। ଏହା ଆଧାରରେ ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିଛି।
ପାଟପୁର ଥାନାରେ ନାବାଳିକାଙ୍କ ବାପା ଦେଇଥିବା ଏତଲା ଅନୁଯାୟୀ ଗତ ୮ ତାରିଖ ଅପରାହ୍ଣରେ ଘରେ କେହି ନଥିବା ବେଳେ ଆର୍.ସୁଶାନ୍ତ ଦୋରା ନାମକ ଜଣେ ଯୁବକ ତାଙ୍କ ଝିଅକୁ ଅପହରଣ କରି ପୁନେ ନିକଟ ଶାଳିସା ପଳାଇଥିଲା। ସେଠାରେ ଏକ କଂପାନିରେ ହିଟାଚି ଡ୍ରାଇଭର୍ ଭାବେ କାମ କରୁଥିବା ଜେ.ବିଦ୍ୟାଧର ଦୋରା ନାମକ ଜଣେ ଯୁବକଙ୍କ ପାଖରେ ନାବାଳିକାଙ୍କୁ ଛାଡ଼ି ଦେଇଥିଲା। ବିଦ୍ୟାଧର ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଆଉ ଗତ ୧୪ ତାରିଖରେ ବିଦ୍ୟାଧର ଓ ତାର ସହଯୋଗୀ ସୁଶାନ୍ତ ନାବାଳିକଙ୍କୁ ଛାଡ଼ିବାକୁ ବ୍ରହ୍ମପୁର ଷ୍ଟେସନକୁ ଆସିଥିବା ସମୟରେ ଚାଇଲଡ୍ଲାଇନ୍ ହାତରେ ଧରା ପଡ଼ିଥିଲେ। ଚାଇଲଡ୍ଲାଇନ୍ ଉଭୟଙ୍କୁ ପଚରାଉଚରା କରୁଥିବା ବେଳେ ସେମାନେ କୌଶଳ କ୍ରମେ ଚମ୍ପଟ୍ ମାରିଥିଲେ। ହେଲେ ସେମାନଙ୍କ ଆଧାର କାର୍ଡ଼କୁ ଚାଇଲଡ୍ ଲାଇନ୍ କର୍ମୀ ଜବତ କରିଥିଲେ।
ବର୍ତ୍ତମାନ ନାବାଳିକା ଜଣକ ଚାଇଲଡ୍ଲାଇନ୍ ହେପାଜତରେ ଥିବା ବେଳେ ପରିବାରବର୍ଗ ଥାନାରେ ଏତଲା ଦେଇଛନ୍ତି। ତୁରନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଉ ସେମାନଙ୍କୁ ଧମକଚମକ ମିଳୁଥିବାରୁ ସୁରକ୍ଷା ପାଇଁ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/rape-1-1569688724.jpg)