ଶିଶୁକନ୍ୟା ଓ ବୃଦ୍ଧାଙ୍କୁ ବୀଭତ୍ସ ହତ୍ୟା

ଅଭିଯୁକ୍ତକୁ ବାନ୍ଧି ପିିଟିଲେ ଗ୍ରାମବାସୀ

ଗିରଫ, କାତି ଜବତ

ହିଞ୍ଜିଳିକାଟୁ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ତିନିବର୍ଷର ନିଷ୍ପାପ ଶିଶୁକନ୍ୟା ଓ ଜଣେ ବୃଦ୍ଧାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛି ପଡ଼ୋଶୀ ଯୁବକ। ଗଂଜାମ ଜିଲ୍ଲା ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ଘଟିଛି ଏଭଳି ଅମାନୁଷିକ ଓ ଲୋମଟାଙ୍କୁରା ଘଟଣା। ମୃତକମାନେ ହେଲେ ଖଳାସାହିର କମା ସେଠୀ (୬୫) ଓ ତାଙ୍କର ତିନି ବର୍ଷର ନାତୁଣୀ ଶ୍ରୀଘା ସେଠୀ। ସେମାନଙ୍କୁ ପଡ଼ୋଶୀ ରଂଜନ ସେଠୀ କାତିରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି।

ଆଜି ସକାଳେ ଜେଜେ ନାତୁଣୀ ଖରା ପୁଉଁଥିବା ବେଳେ ହଠାତ୍‌ ରଂଜନ ସେଠାରେ ପହଞ୍ଚି ଉଭୟଙ୍କୁ କାତିରେ ଆକ୍ରମଣ କରିଥିଲା। କମା ଓ ଶ୍ରୀଘାର ଶରୀରର ବିଭିନ୍ନ ଭାଗକୁ ସେ ଚୋଟ ଉପରେ ଚୋଟ ପକାଇ ଚାଲିଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଭୟଙ୍କୁ ହିଞ୍ଜିଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଶିଶୁକନ୍ୟା ଶ୍ରୀଘା ଓ ପରେ ତା’ର ଜେଜେମା କମାଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟପକ୍ଷରେ ଏଭଳି ଅଭାବନୀୟ କାଣ୍ଡ ଘଟାଇ ରଂଜନ ଫେରାର୍‌ ହେବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରି ନେଇଥିଲେ। ଏହାପରେ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ରଂଜନକୁ ଧରିଥିଲା। କମାଙ୍କ ପୁଅ ମିଟୁ ଥାନାରେ ଏତଲା ଦେବା ପରେ ପୁଲିସ କେସ୍‌.ନଂ ୨୭୫ ଅନୁସାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରଂଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାରେ ବ୍ୟବହୃତ କାତି ଜବତ ହୋଇଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୁଲିସ ସୂଚନାନୁସାରେ, ଖଳା ସାହିରେ ରହୁଥିବା ମିଟୁ ସେଠୀ ଓ ପଡୋଶୀ ରଂଜନ ସେଠୀଙ୍କ ମଧ୍ୟରେ ବହୁ ଦିନ ଧରି ବିବାଦ ଲାଗି ରହିଥିଲା। ଆଜି ସକାଳ ପ୍ରାୟ ୮ଟା ବେଳେ ମିଟୁଙ୍କ ମା’କମା ଓ ଝିଅ ଶ୍ରୀଘା ଘର ଦାଣ୍ଡରେ ବସି ଖରା ପୁଉଁଥିଲେ। ସାଥିରେ ଝିଆରୀ ବି ଥିଲା। ଏହି ସମୟରେ ରଂଜନ ହଠାତ ସେଠାରେ ପହଞ୍ଚି ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶିଶୁକନ୍ୟା ଶ୍ରୀଘାକୁ ଟାଣି ଆଣି କାତିରେ ଆକ୍ରମଣ କରିଥିଲା। ଭୟଭୀତ ହୋଇ ମିଟୁଙ୍କ ଝିଆରୀ ଘର ଭିତରକୁ ପଳାଇଥିଲା। ତେବେ କମା ପ୍ରତିରୋଧ କରିବାରୁ ତାଙ୍କୁ ବି ରଂଜନ ଚୋଟ ପକାଇଥିଲା। ଉଭୟଙ୍କ ମୁହଁ ଓ ମୁଣ୍ଡରେ ଅଧିକ ଆଘାତ ଲାଗିଥିଲା। ଗୁରୁତର କମା ଓ ଶ୍ରୀଘାଙ୍କୁ ଆମ୍ବୁଲାନ୍‌ସ ଯୋଗେ ହିଞ୍ଜିଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଶ୍ରୀଘା ଓ ପରେ କମାଙ୍କ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ରଂଜନକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର