ବ୍ରହ୍ମପୁର : ଗୋପାଳପୁର ଥାନା ଇଲାକାରେ ହୋଇଥିବା ଏକ ହତ୍ୟା ମାମଲାର ଶୁଣାଣି କରି ଜିଲ୍ଲାଜଜ୍ ବିଭୁପ୍ରସାଦ ରାଉତରାୟ ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧୦ହଜାର ଟଙ୍କା ଜରିମାନା ଦେବାକୁ ରାୟ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗୋପାଳପୁର ଥାନା ମାଣ୍ଡିଆପଲ୍ଲୀର ସୁନୀଲ ଦାସ।
ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଜ୍ୟୋତିନଗର ସ୍ଥିତ ମାମୁ ରାମ ଦାସଙ୍କ ଘରେ ପ୍ରାୟ ୫ବର୍ଷ ହେଲା ଭଣଜା ଅର୍ଜୁନ ଦାସ ରହି ଆସୁଥିଲେ। ସେ ଟ୍ରାକ୍ଟର୍ ଡ୍ରାଇଭର୍ ଭାବେ କାମ କରୁଥିଲେ। ୨୦୧୪ ଅଗଷ୍ଟ ୬ତାରିଖ ରାତିରେ ଅର୍ଜୁନ ଘର ଛାତ ଉପରେ ଶୋଇଥିଲେ। ଏହି ସମୟରେ ହଠାତ୍ ତାଙ୍କର ଚିତ୍କାର ଶୁଭିଥିଲା। ମାମୁ ରାମ ଘର ଛାତ ଉପରକୁ ଯାଇ ଦେଖିବା ବେଳେ ଭଣଜା ଅର୍ଜୁନ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଏ ନେଇ ସେ ଗୋପାଳପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୧୧୯/୧୪ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ଏହି ଘଟଣାରେ ପୁଲିସ ସୁନୀଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତଦନ୍ତ ଅଧିକରୀ ତଥା ତତ୍କାଳୀନ ଏସ୍ଆଇ ଗୋବିନ୍ଦ ଚନ୍ଦ୍ର ମହାପାତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ। ୨୮ଜଣ ସାକ୍ଷୀଙ୍କ ବୟାନ୍କୁ ଭିତ୍ତି କରି ଆବଶ୍ୟକ ପ୍ରମାଣ ଥିବା ଯୋଗୁଁ ଜିଲ୍ଲାଜଜ୍ ଅଭିଯୁକ୍ତ ସୁନୀଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ତରଫରୁ କ୍ୟାଡର୍ ପିପି ଅଜିତ କୁମାର ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/jail-5.jpg)