ମୁଣ୍ଡପୋତାଙ୍କୁ ଗଳା କାଟି ହତ୍ୟା

ସ୍ବାମୀଙ୍କୁ ଗଛରେ ବାନ୍ଧି ପତ୍ନୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ବେକ କାଟିଦେଲେ, ଶବ ଭଲିବଲ୍ ପଡ଼ିଆରେ ଫିଙ୍ଗିଦେଲେ

ଗୋପାଳପୁର : ନୟାଗଡ଼ର ଜଣେ ମୁଣ୍ଡପୋତା କେଳାକୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ନୂଆ ଗୋଳାବନ୍ଧ ଗ୍ରାମରେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ମଦ ପିଇବାକୁ ଡାକି ତାଙ୍କ ଗଳାକାଟି ଦେଇଛନ୍ତି।

ମୃତ ମୁଣ୍ଡପୋତା କେଳା ହେଉଛନ୍ତି କୈଳାସ ପ୍ରଧାନ(୪୦)। ତାଙ୍କ ଘର ନୟାଗଡ଼ ସଦର ଥାନା ଅନ୍ତର୍ଗତ ମାଛିପଡ଼ା ଅଞ୍ଚଳ। କୈଳାସ ଜଣେ ଯାଯାବର ଓ ମୁଣ୍ଡପୋତା ବିଦ୍ୟା ଦେଖାଇ ପରିବାର ଚଳାନ୍ତି। ଆଗକୁ କାର୍ତ୍ତିକ ମାସ ଥିବାରୁ ଗୋଳାବନ୍ଧ ନିକଟ ଧବଳେଶ୍ବର ମନ୍ଦିରକୁ ଆସି ସେଠାରେ ଆଶ୍ରୟ ନେଇଥିଲେ। ଦିନରେ ମୁଣ୍ଡପୋତା ବିଦ୍ୟା ଦେଖାଇ ରାତିରେ ପତ୍ନୀ ଓ ଦୁଇ ଝିଅ ସହ ଅସ୍ଥାୟୀ ଆଶ୍ରସ୍ଥଳରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କୈଳାସ ରହୁଥିବା ସ୍ଥାନକୁ ଆସି ମଦ ପିଇବା ପାଇଁ ଡାକି ନେଇଥିଲେ। ସେମାନେ ତାକୁ ମାତାଲ କରିବା ପରେ ତୋ ଝିଅକୁ ବାହା ଦେବୁ କି ବୋଲି ପଚାରି ମାଡ଼ ମାରିଥିଲେ। ଏହା ପରେ ଏକ ଗଛରେ ବାନ୍ଧି ନିସ୍ତୁକ ପିଟିବା ସହ ମନ୍ଦିର ନିକଟକୁ ଆସି କୈଳାସଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିଥିଲେ। କୈଳାସ ଖସି ଆସି ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଟେକି ନେଇ ଯାଇଥିଲେ। ଗଳା କାଟି ହତ୍ୟା କରି ଗ୍ରାମ ନିକଟ ଭଲିବଲ୍ ପଡ଼ିଆରେ ଫିଙ୍ଗି ଚାଲିଯିବା ଘଟଣା ସକାଳୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଲାଇ ଦେଇଛି।

ଖବର ପାଇ ଘଟଣା ସ୍ଥଳରେ ଗୋପାଳପୁର ଥାନାଧିକାରୀ ସୁଶାନ୍ତ କୁମାର ସାହୁ, ସଦର ଏସଡିପିଓ ଅଶୋକ କୁମାର ମହାନ୍ତି ପହଞ୍ଚି ସାଇଣ୍ଟି‌ଫିକ୍ ଟିମ୍ ଏବଂ ସନ୍ଧା‌ନୀ କୁକୁର ସହାୟତାରେ ଛାନଭିନ୍ ଆରମ୍ଭ କରିଥି‌େଲା। ଅଦ୍ୟାବଧି ପୁଲିସକୁ ସେମିତି କିଛି ଖାସ୍ ସଫଳତା ମିଳିନାହିଁ। ଗତକାଲି କୈଳାସଙ୍କୁ ଘରୁ ଡାକି ନେଇଥିବା ବ୍ୟକ୍ତିଙ୍କ ଉପରେ ପୁଲିସ ନଜର ରଖିଛି। ଘଟଣା ପଛର ସବିଶେଷ କାରଣ ଅଦ୍ୟାବଧି ପୁଲିସ ସ୍ପଷ୍ଟ କରି ନଥିଲେ ସୁଦ୍ଧା ଦୁଇ ଜଣଙ୍କୁ ସନ୍ଦେହରେ ଅଟକ ରଖି ଜେରା କରୁଛି। ପତ୍ନୀ ଶାନ୍ତି ପ୍ରଧାନଙ୍କ ଅଭିଯୋଗ କ୍ରମେ ଗୋପାଳପୁର ଥାନାରେ କେସ୍ ନଂ ୧୨୮/୧୮ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର