ଆସିକା: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କରଞ୍ଜାଇ ଛକ ନିକଟରେ ୨୦୧୭ ନଭେମ୍ବର ୬ରେ ପ୍ରତାପ ପଲେଇ ହତ୍ୟାକାଣ୍ଡର ପ୍ରାୟ ୨ ମାସ ପରେ ବୁଧବାର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁନମ୍ବା ସାହି ନିକଟରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ଏକ ନିଦ୍ଧିଷ୍ଟ ଗୋଷ୍ଠୀର ଯୁବକମାନେ ହତ୍ୟା କରିଛନ୍ତି। ପୂର୍ବାହ୍ନ ୧୧ଟା ହୋଇଥିବା ସଂଘବଦ୍ଧ ଆକ୍ରମଣକୁ ଯେଉଁମାନେ ଦେଖୁଥିଲେ, ସେମାନଙ୍କର ଲୋମ ଟାଙ୍କୁରି ଉଠିଥିଲା। ଘଟଣାକୁ ଶହ ଶହ ଲୋକ ଦେଖୁଥିଲେ ମଧ୍ୟ ବିରୋଧ କରିବା ପାଇଁ କାହାର ସାହାସ ନଥିଲା।
ମିଳିଥିବା ସୂଚନା ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମିଟୁ ଦାସ(୨୮)ଙ୍କୁ ଆଇନଜୀବୀ ଅଜିତ ନାୟକଙ୍କ ସହଯୋଗୀମାନେ ମରାଣନ୍ତକ ଆକ୍ରମଣ କରିଥିଲେ। ସେମାନେ ମିଟୁଙ୍କୁ ପେଟ, ଛାତିରେ ନିସ୍ତୁକ ମାଡ଼ ମାରିଥିଲେ। ହାତକୁ ପିଟିପିଟି ଭାଙ୍ଗି ଦେଇଥିଲେ।
ସୂଚନାଯୋଗ୍ୟ ମିଟୁ ଦାସ ଓ ଅଜିତ ନାୟକଙ୍କ ମଧ୍ୟରେ ଗତ କିଛି ମାସ ତଳେ ଗଣ୍ଡଗୋଳ ହୋଇଥିଲା। ଅଜିତ ନାୟକଙ୍କ ପଡ଼ୋଶୀର ଘର ନିର୍ମାଣକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଥିଲା। ମିଟୁଙ୍କ ମାଡ଼ରେ ଅଜିତ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାର ପ୍ରତିଶୋଧ ନେବାକୁ ଯାଇ ମିଟୁଙ୍କୁ ଅଜିତଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଟିମ୍ ଗଠନ କରାଯାଇଛି ବୋଲି ଆଇଆଇସି ସନ୍ତୋଷ କୁମାର ଜେନା କହିଛନ୍ତି। ସେ କହିଛନ୍ତି, ହତ୍ୟାକାରୀମାନେ ଖୁବ୍ ଶୀଘ୍ର ଗିରଫ ହେବେ।
ନଭେମ୍ବର ୬ର ଘଟଣା
ଗତ ବର୍ଷ ନଭେମ୍ବର ୬ରେ ଏକ ଘରୋଇ ବସ୍ ମାଲିକଙ୍କୁ ଗୁଳିମାଡ଼ ହୋଇଥିଲା। ସନ୍ଧ୍ୟା ୮ଟା ୩୦ରେ ଫୁଲବାଣୀରୁ ବ୍ରହ୍ମପୁର ଆସୁଥିବା ଘରୋଇ ବସ୍(ଆକବରୀ)ର ମାଲିକ ପ୍ରତାପ ଚନ୍ଦ୍ର ପଲେଇଙ୍କୁ ଏହି ଆକ୍ରମଣ ହୋଇଥିଲା। ଆସିକା ଠାରୁ ୮ କିଲୋମିଟର ଦୂରରେ ବସ୍ଟି ଥିବା ବେଳେ ଦୁର୍ବୃତ୍ତମାନେ ୪ ରାଉଣ୍ଡ ଗୁଳି କରିଥିଲେ। ୨ଜଣ ଦୁର୍ବୃତ୍ତ ବସ୍ ଭିତରକୁ ପ୍ରବେଶ କରି ଗୁଳିମାଡ଼ କରିଥିଲେ। ପ୍ରତାପଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁରସ୍ଥିତ ମହରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Knife-with-hand.jpg)