ଯୁବକକୁ ନିର୍ମମ ହତ୍ୟା; ଦୁଇ ଶଳା ନେଲେ ଭଉଣୀ ହତ୍ୟାର ପ୍ରତିଶୋଧ !

ଶେରଗଡ଼ :  ଶେରଗଡ଼ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ବି .ଚିକିଲି ଗ୍ରାମରେ ସନ୍ୟାସୀ ସେଠୀ ନାମକ ଜଣେ ଯୁବକଙ୍କୁ ଆଜି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଯୁବକଙ୍କ ଘର ଶେରଗଡ଼ ହୋଇଥିବା ବେଳେ ସେ ବି.ଚିକିଲି ଗ୍ରାମରେ ବିବାହ କରିଥିଲେ ।

ସୂଚନା ଅନୁସାରେ, ବି. ଚିକିଲି ଗ୍ରାମର କାଳଞ୍ଜୀ କୋଠଘରକୁ ଚୂନ ଦେବା ନିମନ୍ତେ ଆସିଥିବା ବେଳେ ସନ୍ଧ୍ୟାରେ ଘରକୁ ଫେରିବା ରାସ୍ତାରେ ସନ୍ୟାସୀକୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ସନ୍ୟାସୀର ମୃତ୍ୟୁ ଘଟିଥିଲା  । ଖବର ପାଇ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସନ୍ୟାସୀ ବି.ଚିକିଲି ଗ୍ରାମର ପଞ୍ଚୁ ସେଠୀଙ୍କ ଝିଅକୁ  ବିବାହ କରିଥିବା ବେଳେ ଯୌତୁକ ଦାବି କରି ହତ୍ୟା କରିଦେଇ ଥିଲା। ସ୍ତ୍ରୀ ହତ୍ୟା ମାମଲାରେ ସନ୍ୟାସୀ ଏବଂ ତାଙ୍କ ପରିବାର ପୂର୍ବରୁ ଜେଲ ଯାଇଥିଲେ। ସେହିଦିନ ଠାରୁ ସନ୍ୟାସୀ ଶଶୁର ଘର ଟାର୍ଗେଟରେ ଥିବା ବେଳେ ଆଜି ପଞ୍ଚୁଙ୍କ ଦୁଇ ପୁଅ ତଥା ସନ୍ୟାସୀର ଦୁଇ ଶଳା କୈଳାସ ଏବଂ ବାବୁ ଭଉଣୀ ହତ୍ୟାର ପ୍ରତିଶୋଧ ନିମନ୍ତେ ଭିଣୋଇକୁ ହତ୍ୟା କରିଥିବା ପୁଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣି ପାରିଛି । ତେବେ ହତ୍ୟାକାଣ୍ଡ ପରେ ଉଭୟ ଫେରାର ହୋଇ ଯାଇଥିବା ଜଣାପଡିଛି । ଘଟଣାର ତଦନ୍ତ ଚାଲିଥିବା ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର