ସମ୍ପତ୍ତିକୁ କେନ୍ଦ୍ରକରି ଭଉଣୀ ସମ୍ମୁଖରେ ଜ୍ବାଇଁଙ୍କୁ ହତ୍ୟା କଲେ ଦୁଇ ଶଳା 

ଗୋଳନ୍ଥରା/ଚିକିଟି : ଗୋଳନ୍ଥରା ଥାନା ଅର୍ନ୍ତଗତ ଗଞ୍ଜାମ ଜିଲ୍ଲା ସୀମାନ୍ତ ଗିରସୋଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ବାକି ଟଙ୍କା ଓ ସମ୍ପତ୍ତିକୁ କେନ୍ଦ୍ର କରି ନିଜ ଜ୍ବାଇଙ୍କୁ ଦୁଇଶଳା ମିଶି ଧାରୁଆ ଅସ୍ତ୍ର(କାତି)ରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଗିରିସୋଲା ଗ୍ରାମ ଆରୁଆ ସାହି ଡ଼ି.ଧର୍ମା ରାଓ (୪୨)। ଏହି ମାନଙ୍କ ଆକ୍ରମଣରେ ଧର୍ମାଙ୍କ ପତ୍ନୀ ରାବଣ ଆମ୍ମା(୩୫) ଏବଂ ଭାଇ ଡି.ଜେଜା ରାଓ (୩୭) ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ପୁଲିସ ପହଞ୍ଚି ଖୋଳତଡ଼ା ଆରମ୍ଭ କରି ଦୁଇ ଶଳାଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଗୋଳନ୍ଥରା ଥାନାରେ କୌଣସି ଅଭିଯୋଗ ହୋଇନାହିଁ।
 ମିଳିଥିବା  ସୂଚନା ଅନୁଯାୟୀ, ଡି.ଧର୍ମା ଘର ଗିରି‌ସୋଲା ଗାଁର ଆରୁଆ ସାହିରେ। ଧର୍ମା‌ ସେହି ଗ୍ରାମରେ ସାଇନ୍‌ପେଟା ସାହିରେ ବିବାହ କରିଛନ୍ତି। ଧର୍ମାଙ୍କ ପତ୍ନୀ ରାବଣମ୍ମା ଆଜି ତାଙ୍କ ବାପଙ୍କ ଘରୁକୁ ଯାଇଥିଲେ। ସେଠାର ଟଙ୍କା ଦେଣନେଣ ଓ ସମ୍ପତ୍ତିକୁ କେନ୍ଦ୍ର କରି ତାଙ୍କର ଦୁଇ ଭାଇ ବି.ନାଗେଶ୍ବର ଓ ବି. ତିରୁପତିଙ୍କ ମଧ୍ୟରେ ବଚସା ହୋଇଥିଲା। ଦୁଇ ଭାଇ ମିଶି ରାବଣମ୍ମାଙ୍କୁ ମାଡ଼ ମାରିବା ସହ ଗାଳି ଗୁଲଜ କରିଥିଲେ। ଏହାପରେ ରାବଣାମ୍ମା ସଙ୍ଗେ ସଙ୍ଗେ ସେଠାକୁ  ସ୍ବାମୀ ଧର୍ମାଙ୍କୁ ଫୋନ କରି ଡାକିଥିଲେ। ଖବର ପାଇ ଧର୍ମା ଏବଂ ତାଙ୍କ ସାନ ଭାଇ ଡ଼ି. ଜେଜେ ରାଓ ସେଠାକୁ ଯାଇଥିଲେ। ଗଣ୍ଡୋଗୋଳ ଉଗ୍ର ରୂପ ନେଇଥିଲା। ସେଠାରେ ଦୁଇ ଶଳାମିଶି ଜ୍ବାଇଁ ଧର୍ମାକୁ ଡେଙ୍ଗା ଓ ଧାରୁଆ ଅସ୍ତ୍ରରେ  ଆକ୍ରମଣ କରିଥିଲେ। ପ୍ରତିରୋଧ କରିବାର ଜେଜେ ଓ ଭଉଣୀ ରାବଣାମ୍ମାକୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଲରେ ଧର୍ମାଙ୍କ ମୃତ୍ୟୁ ଘଟିଥିଲା। ଧର୍ମାଙ୍କ ବେକ, ମୁଣ୍ଡ ଓ ପେଟରେ ଗଭୀର କ୍ଷତ ଚିହ୍ନ ରହିଛି। ଜେ‌ଜେଙ୍କ ମୁଣ୍ଡ ଓ ଶରୀର ବିଭିନ୍ନ ସ୍ଥାନ ଆଘାତ ଲାଗିଥିବା ସେ ଗୁରୁତର ରହିଛନ୍ତି। ସେହିପରି ଏଥିରେ ରାବଣାମ୍ମା ବି ଆହତ ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସମ୍ବନ୍ଧିତ ଖବର