ଗଞ୍ଜାମରେ ମାନୁନାହାନ୍ତି ସାମାଜିକ ଦୂରତା: ମନ୍ଦିର ପ୍ରତିଷ୍ଠାରେ ସାମିଲ୍‌ ହେଲେ ଶହ ଶହ ଲୋକ, ଦେଖନ୍ତୁ ଭିଡିଓ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲେ ମଧ୍ୟ କେତେକ ସ୍ଥାନରେ ଏ ନେଇ ସାଧାରଣ ଲୋକେ ସତର୍କ ହେଉ ନାହାନ୍ତି। ସାମାଜିକ ଦୂରତା ଭାଙ୍ଗି ସାମାଜିକ ଓ ଧାର୍ମିକ ଉତ୍ସବରେ ସାମିଲ ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା।  ଜିଲ୍ଲାର ପୋଲସରା ବ୍ଲକ୍‌ ଅନ୍ତର୍ଗତ ମର୍ଦ୍ଦରାଜପୁର ଗାଁରେ ଏକ ମନ୍ଦିର ପ୍ରତି‌ଷ୍ଠା ଉତ୍ସବରେ ଶହ ଶହ ଲୋକ ଏକତ୍ରିତ ହୋଇଥିବା ଘଟଣା ସମସ୍ତଙ୍କୁ ସ୍ତମ୍ଭୀଭୂତ କରି ଦେଇଛି। ସମସ୍ତ ଆଇନଗତ କଟକଣାକୁ ନ ମାନି ଲୋକେ ଦୀର୍ଘ ୫ ଦିନ ଧରି ଚାଲିଥିବା ପୂଜାଉତ୍ସବରେ ଏକତ୍ରିତ ହୋଇଛନ୍ତି।  

ମିଳିଥିବା ସୂଚନା ମୁତାବକ, ଜେ.ଡେଙ୍ଗାପଦର ପଞ୍ଚାୟତ ଅନ୍ତର୍ଗତ ମର୍ଦ୍ଦରାଜପୁର ଗାଁରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଗାଁର ଶହ ଶହ ପୁରୁଷ ମହିଳା ସାମିଲ୍‌ ହୋଇଛନ୍ତି। ମହିଳାମାନେ ସମୂହ କଳସ ଶୋଭାଯାତ୍ରା କରିଥିବା ବେଳେ ପୁରୁଷମାନେ ଯଜ୍ଞ ଇତ୍ୟାଦି ଅନୁଷ୍ଠାନରେ ଅଂଶ ଗ୍ରହଣ କରିଛନ୍ତି।

କେବଳ ସେତିକି ନୁହେଁ, ଛୋଟ ଛୋଟ ପିଲାମାନେ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ଫଳରେ ସାମାଜିକ ଦୂରତା ଆଇନ୍‌ର ଉଲ୍ଲଂଘନ ହୋଇଛି। ଗାଁର ଜଣେ ଯୁବକ ଏହାର ବିରୋଧ କରିବାରୁ ନାଏବ ସରପଞ୍ଚ ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି।  ଯୁବକ ଜଣକ କୋଭିଡ୍‌ ପରିସ୍ଥିତିରେ ଏତେ ସଂଖ୍ୟକ ଲୋକଙ୍କ ସମାଗମକୁ ବିରୋଧ କରିଥିଲେ। ଏହାପରେ ସେ ପୋଲସରା ଥାନାରେ ଗାଁର ମନ୍ଦିର ପ୍ରତିଷ୍ଠା ସମୟରେ ସାମାଜିକ ଦୂରତାକୁ ଉଲ୍ଲଂଘନ ଓ ତାଙ୍କୁ ଆକ୍ରମଣ ନେଇ ଏଫ୍‌ଆଇଆର୍‌ ଦେଇଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାର ଭିଡିଓ ଗଞ୍ଜାମ ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ସେ ମର୍ଦ୍ଦରାଜପୁରରେ ଘଟିଥିବା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ‌ତେଣେ ପୁଲିସ ଏହି ମାମଲାରେ ୧୧ ଜଣଙ୍କୁ ଅଟକ ରଖିଥିବା ସୂଚନା ରହିଛି।  ସ୍ଥାନୀୟ ବିଡିଓ ମଧ୍ୟ ଏହି ଘଟଣାକୁ ନେଇ ପୋଲସରା ଥାନାରେ ମାମଲା ଦାୟର କରିଛନ୍ତି।

ସମ୍ବନ୍ଧିତ ଖବର