ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାକୁ ଅଧିକା ମାତ୍ରାରେ ପ୍ରୟୋଗ କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଜାରି କରିଛି। ଏହାଛଡ଼ା ମେ ପହିଲାରୁ ଯେଭଳି ସମସ୍ତ ଅନୁଷ୍ଠାନର ସାଇନ୍‌ ବୋର୍ଡ଼ ଓଡ଼ିଆରେ ଲେଖା ହେବ ସେ ଦିଗରେ ଯତ୍ନବାନ ହେବାକୁ ଚେତାବନୀ ଦିଆଯାଇଛି। ଏଥିପାଇଁ ମାଇକ୍‌ ପ୍ରଚାର ଯୋଗେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି। ଯେଉଁମାନେ ଏହାର ଖିଲାପ କରିଥିବେ, ସେମାନଙ୍କୁ ଆଗାମୀ ୨୨ ତାରିଖରେ ନୋଟିସ୍‌ ଜାରି ହେବ। ଏହା ସତ୍ୱେ ନିର୍ଦେଶର ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ପକ୍ଷରୁ ଚେତାଇ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଗତ ୧୬ ତାରିଖରେ ଆୟୋଜିତ ଓଡ଼ିଶା ଭାଷା କାର୍ଯ୍ୟକାରିତା ବୈଠକରେ କାର୍ଯ୍ୟାଳୟରେ କୌଣସି ଏକ ଉପ- ବିଭାଗ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଓଡ଼ିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଛତ୍ରପୁର ସ୍ଥିତ ଜିଲ୍ଲା ଯୋଗାଣ ଓ କ୍ଷୁଦ୍ର ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କର୍ଣ୍ଣପାତ କରି ନାହନ୍ତି। କାର୍ଯ୍ୟାଳୟ ପରିସରରେ କେଉଁଠାରେ ମଧ୍ୟ ଓଡ଼ିଆ ଭାଷାରେ ଲେଖାଯାଇ ନାହିଁ।

Advertisment

ସେହିପରି ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଆସନ୍ତା ମଇ ୧୦ ତାରିଖ ସୁଦ୍ଧା ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀମାନେ ମାଇକ ଯୋଗେ ପ୍ରଚାର କରିବାକୁ କହିଥିଲେ। କିଛିଦିନ ତଳେ ଛତ୍ରପୁର ଏନ୍‌ଏସି ଅଞ୍ଚଳରେ ମାଇକ୍‌ ଯୋଗେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାପାଇଁ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି।