ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ପୋଲସରା ସାହିତ୍ୟ ଘର ସଭାପତିଙ୍କ କବିତାଗ୍ରନ୍ଥ ‘ଅକ୍ଷରା’

ପୋଲସରା: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନ ପାଇଛି ଗଞ୍ଜାମ ଜିଲ୍ଲା ପୋଲସରା ସମ୍ବାଦ ସାହିତ୍ୟ ଘରର ସଭାପତି କୁଳମଣି ସାହୁଙ୍କ ନାମ। ସ୍ବରଚିତ ଅନୁପ୍ରାସ କବିତାମାଳା ‘ଅକ୍ଷରା’ ପାଇଁ ଶ୍ରୀ ସାହୁ ଏହି କୃତିତ୍ବ ହାସଲ କରିଛନ୍ତି। ଏହି ଅବସରରେ ହାତୀଓଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଗତକାଲି ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ  ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ ପ୍ରମାଣପତ୍ର ସହ ସ୍ବର୍ଣ୍ଣପଦକ ପ୍ରଦାନ କରି ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏକ ଅନନ୍ୟ ଓଡ଼ିଆ କବିତା ପୁସ୍ତକ ଭାବେ ‘ଅକ୍ଷରା’ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍‌ରେ ସ୍ଥାନିତ ହୋଇ ଗଞ୍ଜାମ ଜିଲ୍ଲାର ସୁନାମ ବୃଦ୍ଧି କରିଥିବା ବେଳେ ଓଡ଼ିଆ ସାହିତ୍ୟକୁ ସର୍ବଭାରତୀୟ ସାରସ୍ଵତ ଦରବାରରେ ନୂତନ ପରିଚୟ ଦେଇଛି। ଏଭଳି ବିରଳ ପୁସ୍ତକ ରଚନା କରିଥିବା ଶ୍ରୀ ସାହୁଙ୍କୁ ଜିଲ୍ଲାପାଳ ଓ ବିଧାୟକ ଅଭିନନ୍ଦନ ଜଣାଇଥିଲେ। ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦି, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଗୋଷ୍ଠୀ ଶିକ୍ଷାଧିକାରୀ ତ୍ରିଲୋଚନ ତ୍ରିପାଠୀ ଓ ସରପଞ୍ଚ ନାରାୟଣ ସେଠୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ଅଧ୍ୟକ୍ଷା ସ୍ମିତା ନାୟକ, କଳମ୍ବ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଭାକର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ପର୍ଶୁରାମ ପ୍ରଧାନ, ସାହିତ୍ୟ ଘର ସମ୍ପାଦିକା କେ.ସୁମିତା ପାତ୍ର, ସଂଯୋଜକ କେ.ସନ୍ତୋଷ କୁମାର ପାତ୍ର, ଶିକ୍ଷାପ୍ରେମୀ ରଶ୍ମିତା କୁମାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

‘ଅକ୍ଷରା’ ହେଉଛି ଶ୍ରୀ ସାହୁଙ୍କ ପ୍ରଥମ ପ୍ରକାଶିତ ପୁସ୍ତକ। ୪୧ଟି ପାରମ୍ପରିକ ଛନ୍ଦୋବଦ୍ଧ କବିତାକୁ ନେଇ ଏହା ସମୃଦ୍ଧ। ଓଡ଼ିଆ ବର୍ଣ୍ଣମାଳାର ଶବ୍ଦ ଆରମ୍ଭରେ ବ୍ୟବହାର ହେଉ ନଥିବା ଆଠଟି ଅକ୍ଷରକୁ ବାଦ୍ ଦେଇ ଅନ୍ୟ ୪୧ଟି ଅକ୍ଷରକୁ ନେଇ କବିତା ରଚନା କରାଯାଇଛି। ପ୍ରତି ଅକ୍ଷରରେ ଗୋଟିଏ କବିତା ରଚିତ ହୋଇଛି। କବିତାର ଶୀର୍ଷକ ଏବଂ ପ୍ରତ୍ୟେକ ଧାଡ଼ିର ଆରମ୍ଭରେ ସେହି ଗୋଟିଏ ଅକ୍ଷର ବିନା ମାତ୍ରାରେ ବ୍ୟବହୃତ। ପୁରାଣ, ଇତିହାସ, ପ୍ରକୃତି ଓ ସାମାଜିକ ମୂଲ୍ୟବୋଧ ଆଦିକୁ କବିତାର ପ୍ରସଙ୍ଗ ଭାବରେ ନିଆଯାଇଛି। ଶ୍ରୀ ସାହୁ ବର୍ତ୍ତମାନ ହାତୀଓଟ ନୋଡ଼ାଲ୍ ହାଇସ୍କୁଲରେ ଜଣେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟରତ। ଓଡ଼ିଆ କଳା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ଦିଗରେ ସେ ଉଦ୍ୟମ ଜାରି ରଖିଥିବା ବେଳେ କବିତାକୁ ନେଇ ବିଶ୍ବ ରେକର୍ଡ଼ ପ୍ରତିଷ୍ଠା ତାଙ୍କର ଆଗାମୀ ଲକ୍ଷ୍ୟ ବୋଲି କହିଛନ୍ତି। ଏଥିପାଇଁ ତାଙ୍କୁ ବହୁ ଶିକ୍ଷାବିତ୍ ଓ ସାହିତ୍ୟିକଙ୍କ ସମେତ ସମ୍ବାଦ ସାହିତ୍ୟ ଘରର ସମସ୍ତ ସଭ୍ୟସଭ୍ୟା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର