ଭଞ୍ଜନଗର: ନଦୀରେ ଗାଧୋଇବା ବେଳେ ଭାସି ଯାଇଥିଲେ। ଦିନକ ପରେ ଉଦ୍ଧାର ହେଲା ମୃତଦେହ। ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ହରିଗଡ ପଞ୍ଚାୟତ ବଦାଙ୍ଗୀ ଗ୍ରାମର ବିଜୟ କୁମାର ସାହୁ(୫୦) ସୋମବାର ସନ୍ଧ୍ୟାରେ ବାରନାଳିଆ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ। ଆଜି ସକାଳୁ ଭଞ୍ଜନଗର ଦମକଳ ବାହିନୀ ତାଙ୍କ ମୃତଦେହ ନଦୀରୁ ଉଦ୍ଧାର କରିଛି। ତାରାସିଂ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି।
ଗତକାଲି ସନ୍ଧ୍ୟାରେ ସେ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଇବା ବେଳେ ଅସାବଧାନତାବଶତଃ ନଦୀରେ ଭାସି ଯାଇଥିଲେ। ବିଜୟଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ନଦୀ କୂଳରେ ଖୋଜାଖୋଜି କରିଥିଲେ। ପରେ ଏନେଇ ଭଞ୍ଜନଗର ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିଜୟଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ।
ଆଜି ସକାଳୁ ପୁଣି ଖୋଜାଖୋଜି କରିବା ସମୟରେ ଗ୍ରାମ ଠାରୁ ଏକ କିମି ଦୂର ନିମସାହି ବାରି ମାଳରେ ନଦୀ ଭିତରେ ଏକ ବାଉଁଶ ବୁଦାରେ ଶବ ଲାଗିଥିବା ଦେଖି ସେଠାରୁ ଉଦ୍ଧାର କରିଥିଲେ। ଖବର ପାଇ ତାରସିଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।
dead | ganjam