ତାଗିଦ୍‌ କରିବାରୁ କୁପରିଣାମ:ବୃଦ୍ଧଙ୍କୁ ଟାଙ୍ଗିଆରେ ହତ୍ୟା

ଜଗନ୍ନାଥପ୍ରସାଦ: ତାସ୍‌ ଖେଳରୁ ପାଟିତୁଣ୍ଡ ଏବଂ ତାଗିଦ୍‌ କରିବାରୁ ଗଂଜାମ ଜିଲ୍ଳା ଜଗନ୍ନାଥପ୍ରସାଦ ଥାନା ଅଲାଡ଼ି ପଞ୍ଚାୟତ ଥୋଲଣ୍ଡା ଗ୍ରାମ ଖଦାଳ ସାହିରେ ଦେବ ନାଇକ (୬୦) ନାମକ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ମିଥୁନ୍‌ ନାଇକ ନାମକ ଜଣେ ଯୁବକ ଦେବଙ୍କୁ ହତ୍ୟା କରି ଫେରାର୍‌ ହୋଇଯାଇଛି। ଏନେଇ ଜଗନ୍ନାଥପ୍ରସାଦ ଥାନାରେ କେସ୍‌.ନଂ ୧୫୭ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ପରେ ଭଂଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ ଓ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଥୋଲଣ୍ଡା ଗ୍ରାମକୁ ଯାଇ ତଦନ୍ତ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ଗତ ପାଞ୍ଚ ଦିନ ତଳେ ମିଥୁନ୍‌ କିଛି ଯୁବକଙ୍କୁ ଧରି ଗାଁ ଦାଣ୍ଡରେ ତାସ୍‌ ଖେଳୁଥିଲା। ତାସ୍‌ ଖେଳରେ ହାର୍‌ଜିତକୁ କେନ୍ଦ୍ର କରି ସେଠାରେ ହଠାତ୍‌ ପାଟିତୁଣ୍ଡ ହୋଇଥିଲା। ଅଶ୍ଳୀଳ ଭାଷାରେ କିଛି ଯୁବକ ପରସ୍ପରକୁ ଗାଳିଗୁଲଜ କରୁଥିଲେ। ଫଳରେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଦେବ ସେଠାକୁ ଯାଇ ସଭିଙ୍କୁ ତାଗିଦ୍‌ କରିବା ସହ ଏଥିପାଇଁ ମିଥୁନ୍‌କୁ ଦାୟୀ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଯୁକ୍ତିତର୍କ ଚାଲିବା ପରେ ଦେବ ଘରକୁ ଫେରି ଆସିଥିଲେ। ଏହାପରଠୁ ଦେବଙ୍କୁ ହତ୍ୟା କରିବାକୁ ମିଥୁନ୍‌ ଯୋଜନା ଆରମ୍ଭ କରି ସୁଯୋଗ ଖୋଜୁଥିଲା।
ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଦେବ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ମିଥୁନ୍‌ ଯୋଜନାମୁତାବକ ସେଠାରେ ଏକ ଟାଙ୍ଗିଆ ଧରି ଜଗି ରହିଥିଲା। ଦେବଙ୍କ ମୁଣ୍ଡକୁ ପ୍ରଥମେ ସେ ଚୋଟ ପକାଇବାରୁ ସେ ପଡ଼ି ଯାଇଥିଲେ। ଏତିକିରେ ମିଥୁନ୍‌ର କ୍ରୋଧ ଥମି ନଥିଲା। ଦେବଙ୍କୁ ପେଟ, ପିଠି ଓ ଛାତିରେ ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ ପୋଖରୀରେ ଉପସ୍ଥିତ ଅନ୍ୟ ଗ୍ରାମବାସୀ ମିଥୁନ୍‌କୁ ପ୍ରତିରୋଧ କରିବାକୁ ସାହସ କରି ପାରି ନଥିଲେ। ଦେବଙ୍କ ମୃତ୍ୟୁ ପରେ ସଭିଏଁ ଘରକୁ ପଳାଇ ଥିଲେ। ପରେ ପତ୍ନୀ ଶଶି ନାଇକ ପୋଖରୀ ନିକଟରେ ପହଞ୍ଚି ଥିଲେ। ପାଞ୍ଚ ଘଣ୍ଟା ଧରି ପୋଖରୀ ପାଖରେ ଶବ ପଡ଼ି ରହିଥିଲା। ରାତି ପ୍ରାୟ ୧୦ଟା ବେଳେ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ସୁଶାନ୍ତ ସେଠୀ ଗାଁରେ ପହଞ୍ଚିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାର ତଦନ୍ତ ଜାରି ରହିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର