ଅଲିଭ୍‌ ରିଡ଼୍‌ଲେ ଋତୁ: ୭ ହଜାର ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ୭ ମାସ ଜୀବିକା ଯିବ

୪ ହଜାର ୮ଶହ ଜଣଙ୍କୁ ୭ହଜାର ୫ଶହ ଲେଖାଏଁ କ୍ଷତିପୂରଣ ; ସରକାରୀ ପ୍ରୋତ୍ସାହନ ସମୁଦ୍ରକୁ ଶଙ୍ଖେ: ମତ୍ସ୍ୟକର୍ମୀ ସଂଘ

ବ୍ରହ୍ମପୁର : ନଭେମ୍ବର ୧ରୁ ଆରମ୍ଭ ହୋଇଗଲା ବିରଳ ଅଲିଭ୍‌ରିଡ଼୍‌ଲେ କଇଁଛଙ୍କ ପ୍ରଜନନ ଋତୁ। ମେ ୩୧ ପର୍ଯ୍ୟୟ ପ୍ରାୟାଗୀ ଠାରୁ ସୋନପୁର ପର୍ଯ୍ୟନ୍ତ ୫୨ କିମି ଉପକୂଳକୁ ନୋ ଫିସିଂ ଜୋନ୍‌ ଘୋଷଣା କରାଯାଇଛି। ମତ୍ସ୍ୟଜୀବୀ ମାଛ ମାରିବାକୁ କେବଳ ପାରମ୍ପରିକ ଡଙ୍ଗା ବ୍ୟବହାର କରିପାରିବେ। ଫଳରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୭ ହଜାର ସାମୁଦ୍ରିକ ମତ୍ସ୍ୟଜୀବୀ ୭ ମାସ ଜୀବିକା ହରାଇବେ। କିନ୍ତୁ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ୫ଟି ବ୍ଲକର ସମୁଦାୟ ୪ହଜାର ୮ଶହ ମତ୍ସ୍ୟଜୀବୀଙ୍କୁ ୭ ହଜାର ୫ଶହ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାକୁ ଚିହ୍ନଟ କରିଥିବା ବିଭାଗୀୟ ଉପ ନିର୍ଦ୍ଦେଶକ ଶିବ ପ୍ରସାଦ ଭୋଇ ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଖଲ୍ଲିକୋଟ, ରଙ୍ଗେଇଲୁଣ୍ଡା, ଚିକିଟି ଓ ଗଞ୍ଜାମ ୫ଟି ଉପକୂଳବର୍ତ୍ତୀ ବ୍ଲକ୍‌ ରହିଛି। ଏଠାକାରର ମତ୍ସ୍ୟଜୀବୀ ବ‌ର୍ଷ ସାରା ସମୁଦ୍ରରୁ ମାଛ ମାରି ପରିବାର ପୋଷନ୍ତି। ୨୦୦୪ ପର ଠାରୁ ଗଞ୍ଜାମ ଉପକୂଳକୁ ଅଲିଭ୍‌ ରିଡ଼୍‌ଲେ କଇଁଛ ଅଣ୍ଡାଦାନ ଲାଗି ଆସିବା ଆରମ୍ଭ କଲେ। ତେଣୁ ପ୍ରତିବର୍ଷ ନଭେମ୍ବର ୧ରୁ ମେ ୩୧ ପର୍ଯ୍ୟନ୍ତ ଗଞ୍ଜାମ ଉପକୂଳ ଇଲାକାକୁ ନୋ ଫିସିଂ ଜୋନ୍‌ ଘୋଷଣା କରାଯାଇଛି। ଯନ୍ତ୍ରଚାଳିତ ଡଙ୍ଗା ଓ ଟ୍ରଲର ବ୍ୟବହାର କରି ମାଛମରା ନିଷିଦ୍ଧ। ଏହି ୭ମାସ ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କୁ ୭ହଜାର ୫ଶହ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦେଉଛନ୍ତି, ଯାହାକି ସମୁଦ୍ରକୁ ଶଙ୍ଖେ ବୋଲି ମତ୍ସ୍ୟଜୀବୀ ଅଭିଯୋଗ କରିଛନ୍ତି।

ଓଡ଼ିଶା ପାରମ୍ପରିକ ମତ୍ସକର୍ମୀ ସଂଘ ସାଧାରଣ ସମ୍ପାଦକ କେ.ଏଲେୟା କହିଛନ୍ତି, ମତ୍ସ୍ୟଜୀବୀଙ୍କ ଜୀବନଜୀବିକାକୁ ସୁନିଶ୍ଚିତ ନ କରିବା ପର୍ଯ୍ୟନ୍ତ ମାଛ ମାରିବାକୁ ନିଷେଧ କରା ଯାଇପାରିବ ନାହିଁ ବୋଲି କେନ୍ଦ୍ରୀୟ ଏମ୍ପାୱାର କମିଟି କହିଛି। କିନ୍ତୁ ଗଞ୍ଜାମ ଜିଲ୍ଲାର ମତ୍ସ୍ୟଜୀବୀଙ୍କ ଜୀବନଜୀବିକାକୁ ଏ ଯାବତ୍‌ ସୁରକ୍ଷିତ କରାଯାଇ ନାହିଁ। ନିଷେଧା‌ଦେଶ ସମୟରେ ମାଛ ମାରିବାରୁ ବଞ୍ଚିତ ହେଉଥିବା ପ୍ରତି ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରଙ୍କୁ ମାସକୁ ୨୫କେଜି ଲେଖାଏଁ ଚାଉଳ ୭ମାସ ଯାଏ ଦେଉଥିଲେ। ଏହି ଧାରା ୨୦୧୦ ରୁ ୨୦୧୪ ଯାଏ ଚାଲିଥିଲା। କିନ୍ତୁ ୨୦୧୪, ୨୦୧୫ ଏବଂ ୨୦୧୬ରେ କିଛି ସହାୟତା ଦିଆଗଲା ନାହିଁ। ୨୦୧୭-୧୮ ଠାରୁ ପ୍ରତି ପରିବାରକୁ ୭ହଜାର ୫ଶହ ଟଙ୍କା ଦିଆଯାଉଛି। କିନ୍ତୁ ଗତ ବର୍ଷ ମାତ୍ର ୧୫ଶହ ପରିବାର କ୍ଷତିପୂରଣ ପାଇଥିଲେ। ତେଣୁ ଜିଲ୍ଲାରେ ପୁଙ୍ଖାନୁପୁଙ୍ଖ ସର୍ଭେ କରି ସମସ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ଲାଗି ଗତ ୨୧ତାରିଖରେ ବନ ବିଭାଗ ପକ୍ଷରୁ ଅନୁଷ୍ଠିତ ଅଲିଭ୍‌ ରିଡ଼୍‌ଲେ ସୁରକ୍ଷା ବୈଠକରେ ଆମେ ଦାବି କରିଛୁ। ଜିଲ୍ଲାର ୫୨ କିମି ଉପକୂଳକୁ ନୋ ଫିସିଂ ଜୋନ୍‌ ଘ‌ୋଷଣା ହେଉଥିବା ବେଳେ ବାସ୍ତବରେ ୭ରୁ ୮ କିମି ଇଲାକାରେ ଅଲିଭ୍‌ ରିଡ଼୍‌ଲେ ଅଣ୍ଡାଦାନ କରିଥାନ୍ତି। ତେଣୁ ନୋ ଫିସିଂ ଜୋନ୍‌‌ ଇଲକାକୁ ମଧ୍ୟ ହ୍ରାସ କରିବା ଲାଗି ଦାବି ରହିଛି ବୋଲି ସେ କହିଛନ୍ତି।

ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗାରେ ମାଛ ମାରିବା ଦ୍ବାରା ଅଲିଭ୍‌ରିଡ଼୍‌ଲେ କଇଁଛ ପ୍ରଭାବିତ ହେବାର ଆଶଙ୍କା ରହୁଛି। ଏହାକୁ ଦୃଷ୍ଟିରେ ରଖି ମାଛ ମାରିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଉଛି। କିନ୍ତୁ ଉପଯୁକ୍ତ ପାଟ୍ରୋଲିଂର ଅଭାବରୁ ଆନ୍ଧ୍ର ଟ୍ରଲର ପଶି ମାଛ ମାରୁଛନ୍ତି। ଏଥିପାଇଁ ବ୍ରହ୍ମପୁୂର ବନମଣ୍ଡଳ ପକ୍ଷରୁ ଚଳିତ ବର୍ଷ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବାକୁ ସ୍ଥିର ହୋଇଛି। ଅଲିଭରିଡ଼୍‌ଲେଙ୍କ ପ୍ରଜନନ ଋତୁ ଆରମ୍ଭ ହେଲା ବେଳକୁ ବନ ବିଭାଗର ଅତ୍ୟାଧୁନିକ ୨ ସ୍ପିଡ୍‌ ବୋଟ ଅଚଳ ହୋଇପଡ଼ିଛି। ବିଦେଶୀ ମେସିନ୍‌ ବ୍ୟବହାର ଯୋଗୁଁ ତାହାକୁ ସଜଡ଼ା ଯାଇପାରୁ ନାହିଁ। ତାହାକୁ କଟକ ପଠା ଯାଇଥିବା ଜଣାପଡ଼ିଛି। ବ୍ରହ୍ମପୁର ବନମଣ୍ଡଳର ଡିଏଫ୍‌ଓ ଅମ୍ଲାନ କୁମାର ନାୟକ କହିଛନ୍ତି, ପାଟ୍ରୋଲିଂ ଟିମ୍‌ ଗଠନ ପରେ ବିକଳ୍ପ ଭାବେ ବନ ବିଭାଗର ଗୋଟିଏ ଓ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଦେଇଥିବା ଟ୍ରଲର୍‌ ଦ୍ବାରା ବିଦ୍ଧିବଦ୍ଧ ପାଟ୍ରୋଲିଂ ଆରମ୍ଭ ହେବ। ଏଥିସହ ଏକ ଡଙ୍ଗା ରହିଛି।ବର୍ତ୍ତମାନ ବେଳାଭୂମି ସଫେଇ କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର