ରକ୍ତରଞ୍ଜିତ ହେଉଛି ଗଞ୍ଜାମ ରାଜନୀତି; ୪ ମାସରେ ଗଡ଼ିଲାଣି ୭ ମୁଣ୍ଡ

ବ୍ରହ୍ମପୁର : ଗାଁ ଗାଁରେ ରାଜନୈତିକ ପ୍ରତିଶୋଧ, ହିଂସା ବଢ଼ିଚାଲିଛି। ପଞ୍ଚାୟତ ନିର୍ବାଚନରେ ହାରଜିତ, ସମର୍ଥନ ଓ ବିରୋଧକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଛି। ଜିଲ୍ଲାର ଆଇନଶୃଂଖଳା ବିଗିଡ଼ିବାରେ ଲାଗିଛି। ପ୍ରତିଦିନ ରକ୍ତର ହୋଲି ଖେଳୁଛନ୍ତି। କଥା କଥାରେ ଗାଁରେ ଖଣ୍ଡା ବୁଲୁଛି, ମୁଣ୍ଡ ଗଡ଼ୁଛି। କ୍ଷମତା ଦଖଲ ସାଙ୍ଗକୁ ପୁରୁଣା ବିବାଦକୁ କେନ୍ଦ୍ର କରି ହିଂସା ଘଟି ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି। ଅନେକ ଚିକିତ୍ସାଧୀନ। ଗତ ପାଖାପାଖି ୪ ମାସରେ ୭ଜଣଙ୍କ ଜୀବନ ଗଲାଣି। ନିକଟରେ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ଦୁଇ ଦୁଇଟି ଡବଲ୍‌ ମର୍ଡ଼ର ଓ ଦିନକ ତଳେ ସେହି ନିର୍ବାଚନମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ୍‌ରେ ପୂର୍ବତନ ସରପଞ୍ଚଙ୍କୁ ହତୃା ଉଦ୍ୟମ ପରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନି ଗାଁରେ ଘଟିଛି ପୁଣି ଏକ ରାଜନୈତିକ ହତ୍ୟା। ମୃତ ଯୁବକଙ୍କ ନାମ ହେଉଛି ଯୋଗେଶ ବେହେରା ଓ ସେ ବର୍ତ୍ତମାନ ସରପଞ୍ଚଙ୍କ ସମର୍ଥକ। ଏହି ଘଟଣାରେ ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି। ରାଜନୈତିକ ଶତ୍ରୁତାରୁ ପୂର୍ବ ସରପଞ୍ଚଙ୍କ ସମର୍ଥିତ ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମ ନିକଟ ସଉରା ପାହାଡ଼ ମୁଖ୍ୟରାସ୍ତାରେ ଗତ ଏପ୍ରିଲ୍‌ ୨୩ତାରିଖ ରାତିରେ ଦୁଇଜଣ ଯୁବ ବିଜେଡି ନେତା ପାଳଝାଡ଼ି ଗ୍ରାମର ସୁଧୀରକାନ୍ତ ପାତ୍ର ଓ ସୁଦର୍ଶନ ସୁଆରଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ପଞ୍ଚାୟତ ନିର୍ବାଚନ ଫଳାଫଳ ଓ ମାତ୍ର ୪ଟି ଭୋଟ କମିବାକୁ ନେଇ ପ୍ରତିଶୋଧପରାୟଣ ହୋଇ ହତ୍ୟାକାଣ୍ଡ ଘଟିଥିବା ନେଇ ପୁଲିସ ପ୍ରମାଣ ପାଇଥିଲା। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ୯ଜଣଙ୍କୁ ଗିରଫ କରିଥିଲା ପୁଲିସ। ହତ୍ୟାକାଣ୍ଡ ପଛରେ ୫୦ହଜାର ଟଙ୍କାର ସୁପାରି କାରବାର ହୋଇଥିବା ପୁଲିସ ସ୍ପଷ୍ଟ କରିଥିଲା। ଏହାପରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନବରଙ୍ଗପୁର ଗ୍ରାମରେ ଗତ ମେ ୨୯ତାରିଖରେ ରାଜନେଅତିକ ପ୍ରତିଶୋଧ ନେବାକୁ ବାବୁ ଗୌଡ଼ ଓ ପ୍ରଦୀପ ସାହୁ ନାମକ ଦୁଇ ଜଣଙ୍କୁ ଘାତକ ଆକ୍ରମଣ କରାଗଲା। ବାବୁଗୌଡ଼ ଘଟଣାସ୍ଥଳରେ ଓ ପ୍ରଦୀପଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଲା। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହା ପୂର୍ବରୁ ଫେବ୍ରୁଆରି ୧୮ ତାରିଖରେ ପୋଲସରା ଏବଂ ମାର୍ଚ୍ଚ ୧୨ତାରିଖରେ ଆସିକା ଥାନା ଇଲାକାରେ ଦୁଇଟି ରାଜନୈତିକ ହତ୍ୟାକାଣ୍ଡ ଘଟିଥିଲା। ଏହି ସମସ୍ତ ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଓ ଦୀର୍ଘଦିନର ପୁଞ୍ଜିଭୂତ ଅଶାନ୍ତି ରହିଥିବା ଜଣାପଡ଼ିଥିଲା। ନିର୍ବାଚନ ପରଠାରୁ ବିଭିନ୍ନ ଗାଁରେ ଏବେ ବି ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଗତ ୬ତାରିଖ ରାତିରେ କୁକୁଡ଼ାଖଣ୍ଡି ବ୍ଲକ୍‌ର ମସିହାଖାଲି ଗ୍ରାମରେ ଶୀତଳଷଷ୍ଠୀ ଯାତ୍ରା ଚାଲିଥିବା ବେଳେ ସରପଞ୍ଚ ଓ ପୂର୍ବତନ ସରପଞ୍ଚ ଗୋଷ୍ଠୀ ମଧ୍ୟରେ ହଣାକଟା ହୋଇଥିଲା। ଏହି ଘଟଣାରେ ପୂର୍ବତନ ସରପଞ୍ଚଙ୍କ ସମେତ ତାଙ୍କର ଦୁଇ ସମର୍ଥକ ଗୁରୁତର ହୋଇଥିଲେ। ଏଭଳି କନ୍ଦଳକୁ ନିୟନ୍ତ୍ରଣ କରାନଗଲେ ଆଗକୁ ଆହୁରି ମୁଣ୍ଡ ଗଡ଼ିବ ବୋଲି ଆଶଙ୍କା ଦେଖା ଦେଇଛି।

ସମ୍ବନ୍ଧିତ ଖବର