ପ୍ରତାପୁର: ଭତ୍ତା ବାଣ୍ଟିବାକୁ ଯାଉଥିବା ବେଳେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବନ୍ଧୁକ ଦେଖାଇ ୨ ଲକ୍ଷ ଟଙ୍କା ଲୁଟ୍‌। ଗଂଜାମ ଜିଲ୍ଲା ତାରସିଂ ଥାନା ଅଧୀନ ଜଗନ୍ନାଥପ୍ରସାଦ ବ୍ଲକ ସମରବନ୍ଧ ଗ୍ରାମରେ ଏହି ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗେରେଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ବସନ୍ତ କୁମାର ସାହୁ ଆଜି ସକାଳ ୯ଟା ବେଳେ ଭତ୍ତା ବାଣ୍ଟିବାକୁ ଟଙ୍କା ନେଇ ବାଇକ୍‌ରେ ଆସୁଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି। ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଓ ତାରସିଂ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏନେଇ ତାରସିଂ ଥାନାରେ କେସ୍‌.ନଂ ୭୨ ଅନୁସାରେ ଏକ ମାମଲା ରୁଜୁ ହୋଇଛି। ଏନେଇ ନିର୍ବାହୀ ଅଧିକାରୀ ବସନ୍ତ ଥାନାରେ ଏତଲା ଦେଇ ଥିଲେ। ଫଳରେ କିଛି ଦିନର ବିରତ ପରେ ପୁଣି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇ ଉଠିଥିବା ଏଥିରୁ ପ୍ରମାଣିତ ହୋଇଛି ।

Advertisment

ମିଳିଥିବା ସୂଚନାନୁସାରେ, ଆଜି ସକାଳ ପ୍ରାୟ ୯ଟା ବେଳେ ବସନ୍ତ ଭତ୍ତା ବଣ୍ଟନ ପାଇଁ ଏକ୍ସିସ୍‌ ବ୍ୟାଙ୍କ୍‌ରୁ ଉଠାଇଥିବା ୨ ଲକ୍ଷ ୧୦ହଜାର ଟଙ୍କା ନେଇ ବାଇକ୍‌ରେ ଜଗନ୍ନାଥପ୍ରସାଦରୁ ଗେରେଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଅଭିମୁଖେ ଆସୁଥିଲେ। ଏହି ସମୟରେ ସମରବନ୍ଧ ଗ୍ରାମ ପୂର୍ବରୁ ଏକ ନାଳ ପାଖରେ ତାଙ୍କ ପଛରୁ ଦ୍ରୁତ ବେଗରେ କଳାରଙ୍ଗର ନମ୍ବରବିହୀନ ଆପାଚି ବାଇକ୍‌ ଆସି ଅଟକି ଥିଲା। ମୁହଁରେ ଗାମୁଛା ବାନ୍ଧିଥିବା ଦୁଇ ଯୁବକ ବସନ୍ତଙ୍କୁ ଅଟକାଇ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଥିଲେ ଏବଂ ବାଇକ୍‌ରେ ହ୍ୟାଣ୍ଡଲରେ ଲାଗିଥିବା ଜରି ବ୍ୟାଗ୍‌ରୁ ୨ଲକ୍ଷ ୧୦ହଜାର ଟଙ୍କା, ବାଇକ୍‌ ଚାବି ଓ ମୋବାଇଲ୍‌ ଫୋନ୍‌ ନେଇ ପୁଣି ସେହି ଦିଗରେ ଚମ୍ପଟ୍‌ ମାରିଥିଲେ। ପରେ ପୁଲିସ ଆସି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଏଭଳି ଏକ ଲୁଟ ଘଟଣା ଅଂଚଳବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ନିର୍ବାହୀ ଅଧିକାରୀଜଣକ ଜଙ୍ଗଲିଆ ରାସ୍ତାରେ ଏତେ ଗୁଡିଏ ଟଙ୍କା ଧରି ଏକୁଟିଆ ଆସୁଥିବାରୁ ସୁରକ୍ଷା ଦୃଷ୍ଟିରୁ ପୁଲିସକୁ ସୂଚନା ଦେବା ଆବଶ୍ୟକ ଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଗତ ୮ ବର୍ଷ ଧରି ଏଭଳି ପ୍ରତିମାସରେ ଏହି ବାଟରେ ଟଙ୍କା ନିଆଯାଉଥିବା ନିର୍ବାହୀ ଅଧିକାରୀ ବସନ୍ତ କହିଛନ୍ତି। ଲୁଟେରାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୁଲିସର ତନାଘନା ଚାଲିଥିବା ନେଇ ଭଂଜନଗର ଏସ୍‌ଡିପିଓ ଉତ୍କଳ କେଶରୀ ଦାଶ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗେରେଡ଼ା ପଞ୍ଚାୟତରେ ଆଜି ଭତ୍ତା ବଣ୍ଟନ ନହୋଇପାରିବାରୁ ବୃଦ୍ଧବୃଦ୍ଧା,ଦିବ୍ୟାଙ୍ଗ ଆଦି ହିତାଧିକାରୀ ମାନେ ନିରାଶରେ ଫେରିଛନ୍ତି ।