ପଞ୍ଚାୟତ ନିର୍ବାଚନ: ନିର୍ଣ୍ଣାୟକ ଭୂମିକାରେ ୪୧ ହଜାର ଏସ୍‌ଏଚ୍‌ଜି

ଜିଲ୍ଲାର ୪ ଲକ୍ଷ ସଦସ୍ୟା ଶାସକ ଦଳ ଆଡ଼କୁ ଢଳିବେ!

ବ୍ରହ୍ମପୁର,  (ସୁଦୀପ୍ତ ଷଡ଼ଙ୍ଗୀ): ପଞ୍ଚାୟତ ନିର୍ବାଚନ ମଇଦାନରେ ଓହ୍ଲାଇ ସାରିଛନ୍ତି ପ୍ରାର୍ଥୀ। ଏବେ ନିଜ ନିଜର ଭୋଟ୍‌ ବ୍ୟାଙ୍କ ଭର୍ତ୍ତି କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ପ୍ରତ୍ୟେକ ବର୍ଗକୁ ନିଜ ଆଡ଼କୁ ଟାଣିବା ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ। ଶାସକ ଦଳ ପଞ୍ଚାୟତ ନିର୍ବାଚନ ପୂର୍ବରୁ ‌ଲୋକଙ୍କ ପାଇଁ ଜନହିତକର ଯୋଜନାର ବର୍ଷା କରିଥିଲା। ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍‌ ଟାଣିବାରେ କୌଣସି ସୁଯୋଗ ହାତଛଡ଼ା କରିବ ନାହିଁ ଶାସକ ବିଜେଡି। ଚଳିତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ମିସନ୍‌ ଶକ୍ତି ଅଧୀନରେ ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ଗୁଡ଼ିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।

ଗଞ୍ଜାମ ଜିଲ୍ଲାରେ ୪୧ହଜାର ୨୧୧ ମହିଳା ଏସ୍‌ଏଚ୍‌ଜି ରହିଛନ୍ତି। ଏହି ସବୁ ଗ୍ରୁପ୍‌ରେ ପ୍ରାୟ ୪ଲକ୍ଷରୁ ଅଧିକ ମହିଳା ସଦସ୍ୟା ଅଛନ୍ତି। ମହିଳା ସଶକ୍ତୀକରଣ ପାଇଁ ସରକାର ଏସ୍‌ଏଚ୍‌ଜିଗୁଡ଼ିକ ପାଇଁ ବହୁ ଯୋଜନା କରିଛନ୍ତି। ଏଣୁ ନିର୍ବାଚନ ସମୟରେ ଏସ୍‌ଏଚ୍‌ଜି ସଦସ୍ୟାମାନେ ନିଶ୍ଚିତ ଭାବେ ଶାସକ ବିଜେଡି ଆଡ଼କୁ ଢଳିବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଯାହାର ସିଧାସଳଖ ଅନୁକୂଳ ପ୍ରଭାବ ବିଜେଡିର ଭୋଟ୍‌ ବ୍ୟାଙ୍କରେ ପ୍ରତିଫଳିତ ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି।

ଗଞ୍ଜାମ ଜିଲ୍ଲାରେ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀର ନିର୍ବାଚନୀ ପ୍ରଚାର ମଙ୍ଗ ଧରିଛନ୍ତି। ପଞ୍ଚାୟତ ନିର୍ବାଚନ ଘୋଷଣା ପୂର୍ବରୁ ସାଧାରଣ ଲୋକଙ୍କ ପାଇଁ ସ୍ବାସ୍ଥ୍ୟକାର୍ଡ଼ ଠାରୁ ଆରମ୍ଭ କରି କୋଭିଡ୍‌ ସହାୟତା ଭଳି ବିଭିନ୍ନ ଯୋଜନାରେ ପ୍ରଚୁର ଅର୍ଥ ବରାଦ କରିଥିଲେ ରାଜ୍ୟ ସରକାର। ଏବେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ପର୍ବ ଜୋର୍‌ ଧରିଛି। ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିର୍ବାଚନୀ ମଇଦାନରେ ସେମାନଙ୍କ ପ୍ରାର୍ଥୀଙ୍କୁ ଛିଡ଼ା କରି ସାରିଛନ୍ତି। ବର୍ତ୍ତମାନ ଭୋଟର୍‌ଙ୍କୁ ଆକର୍ଷିତ କରିବା ପାଇଁ ଚାଲିଛି ଅଙ୍କକଷା। ବିଜେଡି ବିଭିନ୍ନ ଲୋକାଭିମୁଖୀ ଯୋଜନା ଜରିଆରେ ଭୋଟ୍‌ ହାତେଇବା ପାଇଁ ଉଦ୍ୟମ ଚଳାଇଛି। ଗ୍ରାମାଞ୍ଚଳରେ ମହିଳା ଏସ୍‌ଏଚ୍‌ଜିଗୁଡ଼ିକ ବିଜେଡିର ଏହି ପ୍ରଚାରକୁ କିଛିଟା ସହଜ କରି ଦେଇଥିବା ଅନୁଭବ ହେଉଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ଗ୍ରାମରେ ଏକାଧିକ ଏସ୍‌ଏଚ୍‌ଜି କାର୍ଯ୍ୟକ୍ଷମ ଅଛି। ପଞ୍ଚାୟତଗୁଡ଼ିକରେ ବିଜେଡି ଲବିରେ ଛିଡ଼ା ହୋଇଥିବା ମହିଳା ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଏହି ଏସ୍‌ଏଚ୍‌ଜିଗୁଡ଼ିକ ଏକ ବଡ଼ ଅସ୍ତ୍ର ସାଜିଛନ୍ତି। ଗାଁର ଏସ୍‌ଏଚ୍‌ଜିରେ ସ୍ଥାନୀୟ ସକ୍ରିୟ ମହିଳାମାନେ ସାମିଲ ରହୁଥିବାରୁ ସେମାନେ ଅନ୍ୟମାନଙ୍କୁ ମଧ୍ୟ ନିଜ ଆଡ଼କୁ ଟାଣି ପାରୁଛନ୍ତି। ଏଣୁ ପଞ୍ଚାୟତ ନିର୍ବାଚନୀ ପ୍ରଚାରରେ ଶାସନ କ୍ଷମତାରେ ଥିବା ବିଜେଡି ଆଗୁଆ ରହିଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଗଞ୍ଜାମ ଜିଲ୍ଲାରେ ଥିବା ୪୧ହଜାର ୨୧୧ ମହିଳା ଏସ୍‌ଏଚ୍‌ଜି ମଧ୍ୟରୁ ୧୮ହଜାର ୮୪୬ଟି ଗ୍ରୁପ୍‌କୁ ବିଭିନ୍ନ ବ୍ୟାଙ୍କ ଜରିଆରେ ୩ଶହ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇ ସାରିଛି।

ସେହିପରି ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ, ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କ ପୋଷାକ ତିଆରି, ଧାନ ସଂଗ୍ରହ ପ୍ରକ୍ରିୟା ଭଳି ବିଭିନ୍ନ କାର୍ଯ୍ୟରେ ଏସ୍‌ଏଚ୍‌ଜିଗୁଡ଼ିକୁ ସାମିଲ କରାଯାଇଛି। ଯେଉଁମାନେ କି ପରୋକ୍ଷରେ ରାଜ୍ୟ ସରକାର ଅଧୀନରେ କାମ କରୁଛନ୍ତି। ଏଣୁ ପଞ୍ଚାୟତ ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ୪ଲକ୍ଷରୁ ଅଧିକ ମହିଳା ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଭୋଟ୍‌ ନିଶ୍ଚିତ ଭାବେ ନିର୍ଣ୍ଣାୟକ ଭୂମିକା ନେବ, ଏଥିରେ ଦ୍ବିମତ ନାହିଁ। ତେବେ ଏହାକୁ ବିରୋଧୀ ବିଜେପି ଓ କଂଗ୍ରେସ କିପରି ଚେକ୍‌ ଦେଉଛି ତାହା ଦେଖିବାକୁ ରହିଲା।

ସମ୍ବନ୍ଧିତ ଖବର