ପିଜି ଡାକ୍ତରଙ୍କୁ ରୋଗୀ ସଂପର୍କୀୟଙ୍କ ଦୁର୍ବ୍ୟବହାର

ରାତିରେ ବଡ଼ ମେଡିକାଲ ଅଶାନ୍ତ,ପିଜି ଡାକ୍ତଙ୍କ ଧାରଣା, ୩ ଅଟକ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲ  ରାତିରେ ପୁଣି ଅଶାନ୍ତ ହୋଇ ଉଠିଛି।  ରାତିରେ କାଜୁଆଲଟିରେ ଡ୍ୟୁଟିରେ ଥିବା ପିଜି ଡାକ୍ତରଙ୍କୁ ଜଣେ ରୋଗୀଙ୍କ ସଂପର୍କୀୟ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ରାତି ପ୍ରାୟ ସାଢ଼େ ୧୧ଟାରେ ଶତାଧିକ ପିଜି ଡାକ୍ତର କାଜୁଆଲଟି ସାମ୍ନାରେ ପହଞ୍ଚି ମେଡିକାଲ ଫାଣ୍ଡି ‌ଘେରାଉ କରି ରଖିଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଫାଣ୍ଡି ଆଗରେ ଧାରଣା ଦେବା ସହ ନାରାବାଜି ଦେଇଥିଲେ। ଘଟଣାସ୍ଥଳରେ ବୈଦ୍ୟନାଥପୁର ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଚଳାଇଛନ୍ତି। ପୁଲିସ ରୋଗୀଙ୍କ ସଂପର୍କୀୟଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ମିଳିଥିବା ସୂଚନାନସାରେ, ଆଜି ରାତି ୮ଟାରେ ସାପକାମୁଡ଼ାରେ ଗୁରୁତର ଜଣେ ରୋଗୀଙ୍କୁ ବଡ଼ ମେଡିକାଲ କାଜୁଆଲଟିକୁ ଅଣା ଯାଇଥିଲା। ଏ ସମୟରେ କାର୍ଯ୍ୟରତ ପିଜି ଡାକ୍ତର ଓ ରୋଗୀ ସଂପର୍କୀୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ଓ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏ ସମୟରେ ରୋଗୀଙ୍କ ସଂପର୍କୀୟ ଜଣକ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣା ପ୍ରଚାର ହେବା କ୍ଷଣି ହଷ୍ଟେଲ୍‌ରୁ ଶତାଧିକ ପିଜି ଡାକ୍ତର କାଜୁଆଲଟି ନିକଟରେ ପହଞ୍ଚି ଯାଇଥିଲେ। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଫାଣ୍ଡି ଘେରାଉ କରିଥିଲେ। ରାତି ୧୨ଟା ସୁଦ୍ଧା ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଫାଣ୍ଡିକୁ ପିଜି ଡାକ୍ତର ମାନେ ଘେରାଉ କରି ରଖିଛନ୍ତି।

ସମ୍ବନ୍ଧିତ ଖବର