ବ୍ରହ୍ମପୁରରେ ଥମୁନାହିଁ ଘୁଷୁରି ମଡ଼କ, ପୁଣି ୩ ଘୁଷୁରି ମୃତ

ଦୁଇ ସପ୍ତାହରେ ଶହେ ମୃତ

ବ୍ରହ୍ମପୁର: ଦିନକୁ ଦିନ ବ୍ରହ୍ମପୁର ସହରରେ ଘୁଷୁରି ମଡ଼କ ବଢ଼ି ବଢ଼ି ଚାଲିଛି। ପ୍ରତିଦିନ କେଉଁଠି ନା କେଉଁଠି ଘୁଷୁରି ମରି ପଡ଼ିଥିବା ଦେଖିବାକୁ ମିଳୁଛି। ହେଲେ ଦୁଇ ସପ୍ତାହ ହେଲା ଘୁଷୁରି ମଡ଼କ ଚାଲିଥିଲେ ହେଁ ପ୍ରତିକାର ଦିଗରେ ପ୍ରଶାସନ ଅଚିନ୍ତା। ଆଜି ଶ୍ରୀରାମନଗର ଅଞ୍ଚଳରେ ପୁଣିଥରେ ୩ଟି ଘୁଷୁରି ମରି ପଡ଼ିଥିବା ଦେଖିବାକୁ ମିଳିଛି। ଗତ ୧୮ତାରିଖରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ମୃତ ଘୁଷୁରିର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିଲେ ବି ଏଯାଏ ରିପୋର୍ଟ ଆସି ନାହିଁ। ରି‌ପୋର୍ଟ ଆସୁ ନଥିବାରୁ ଘୁଷୁରି ମଡ଼କର ପ୍ରକୃତ କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରୁ ନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୁସ୍ଥ ସବଳ ଜଣାପଡ଼ୁଥିବା ଘୁଷୁରି ହଠାତ୍‌ ମରି ଯାଉଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ତୁରନ୍ତ ଏଦିଗରେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ବ୍ରହ୍ମପୁର ସହରରେ ଗତ ପ୍ରାୟ ଦୁଇ ସପ୍ତାହ ହେଲା ବିଭିନ୍ନ ଅଞ୍ଚଳରେ ଘୁଷୁରି ମରିବା ଘଟଣା ନଜରକୁ ଆସୁଛି। ସହରର ବିଭିନ୍ନ ଅଳିଆ ଗଦା ନିକଟରେ ଘୁଷୁରିର ମୃତଦେହ ପଡ଼ି ରହୁଥିବା ଦେଖିବାକୁ ମିଳୁଛି। କାହିଁକି ଓ କିପରି ଘୁଷୁରିଙ୍କ ମୃତ୍ୟୁ ଘଟୁଛି ସେ ନେଇ କେହି କିଛି ସ୍ପ‌ଷ୍ଟ କରିପାରୁ ନାହାନ୍ତି। ସହରର ୱାର୍ଡ଼ ନମ୍ବର ୪, ୫, ୬, ୧୯, ୨୦, ୨୧ ଓ ୨୨ର ବିଭିନ୍ନ ଅଞ୍ଚଳରୁ ଏଭଳି ଘଟଣା ନଜରକୁ ଆସୁଛି। ପ୍ରଥମେ ଆସିକା ରୋଡ଼ ଶ୍ରୀରାମନଗର, ପାଣିଗ୍ରାହୀପେଣ୍ଠ, ନେଳିଆବନ୍ଧ ହୁଡ଼ା ସାହି, ଗେଟ୍‌ ବଜାର ଅଞ୍ଚଳରେ ଏଭଳି ଘଟଣା ଲୋକଲୋଚନାକୁ ଆସିଥିଲା। ବର୍ତ୍ତମାନ ସୁଦ୍ଧା ଶହେ ପାଖାପାଖି ଘୁଷୁରିର ମୃତ୍ୟୁ ହୋଇଥିବା ଜଣାଯାଇଛି। ପ୍ରାଣୀ ଚିକିତ୍ସା ବିଭାଗର ଏକ ଟିମ୍‌ ଶ୍ରୀରାମନଗର ଅଞ୍ଚଳରୁ ମୃତ ଘୁଷୁରିର ନମୁନା ସଂଗ୍ରହ କରିଛନ୍ତି। ନମୁନା ରିପୋର୍ଟ ଆସି ନଥିବାରୁ ସେମାନେ ମଧ୍ୟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରୁ ନାହାନ୍ତି। ଏପଟେ ଘୁଷୁରି ମଡ଼କ ଥମୁ ନଥିବାରୁ ପାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଦେବରାଜ ବେହେରା ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।
ସମ୍ବନ୍ଧିତ ଖବର