ଜେଲ୍‌ରେ ପିଣ୍ଟୁ, ମଇଦାନରେ ପତ୍ନୀ ବହୁ ଆଶା ନେଇ ରାଜନୀତିକୁ ଆସିଛି: ଆଶା

ବ୍ରହ୍ମପୁର: ଏପଟେ ରାଜନୀତି ଚଳଚଞ୍ଚଳ। ସେପଟେ ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ତଥା ପୂର୍ବତନ ମେୟର ଶିବ ଶଙ୍କର ଦାଶ(ପିଣ୍ଟୁ) ଜେଲ୍‌ରୁ ବାହାରିବାରେ ବିଳମ୍ବ ହେଉଛି। ୨୦୧୪ ସାଧାରଣ ନିର୍ବାଚନରେ ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ଟିକେଟ୍ ଆଶାୟୀ ଥିଲେ ପିଣ୍ଟୁ। କିନ୍ତୁ ଟି‌କେଟରୁ ବଞ୍ଚିତ ହେବାରୁ ପ୍ରାର୍ଥୀପତ୍ର ଦାଖଲର ଦିନକ ପୂର୍ବରୁ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ। ବ୍ରହ୍ମପୁର ଆସନରୁ ଭାଜପା ଦଳରୁ ପ୍ରାର୍ଥୀ ହୋଇ ୨୫ ହଜାରରୁ ଅଧିକ ଭୋଟ ପାଇ ପ୍ରତିପକ୍ଷଙ୍କ ନିଦ ହଜାଇ ଦେଇଥିବା ପିଣ୍ଟୁ ଏବେ ଜେଲ୍‌ ଚାରିକାନ୍ଥ ଭିତରେ ଦିନ ବିତାଉଛନ୍ତି। ଶାସକ ଦଳ ବିଭିନ୍ନ ମିଥ୍ୟା କେସ୍‌ରେ ଫସାଇ ଜେଲ୍‌ରେ ପୂରାଇଥିବା ତାଙ୍କ ସମର୍ଥକ ଓ ଭାଜପା ଅଭିଯୋଗ କରୁଛି। ପିଣ୍ଟୁଙ୍କ ଅନୁପସ୍ଥିତିରେ ତାଙ୍କ ରାଜନୀତି ମଇଦାନକୁ ଓହ୍ଲାଇ ତାଙ୍କ ସପକ୍ଷରେ ମଙ୍ଗ ଧରିଛନ୍ତି ପିଣ୍ଟୁଙ୍କ ପତ୍ନୀ ଆଶା କୁମାରୀ ଦାଶ। ଯଦି ନିର୍ବାଚନ ପୂର୍ବରୁ ପିଣ୍ଟୁ ଜେଲରୁ ନ ବାହାରନ୍ତି ତେବେ ଆଶାଙ୍କୁ ଭାଜପା ବ୍ରହ୍ମପୁର ଆସନରୁ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଆଶାଙ୍କ ସହ ଆମ ପ୍ରତିନିଧି ଆଲୋଚନା କରିବା ବେଳେ ସେ କହିଛନ୍ତି, ମୋ ସ୍ବାମୀଙ୍କ ଲୋକପ୍ରିୟତାରେ ଅତିଷ୍ଠ ହୋଇ ଶାସକ ଦଳ ବିଭିନ୍ନ ମିଥ୍ୟା କେସ୍‌ରେ ଛନ୍ଦି ତାଙ୍କୁ ଜେଲ୍‌ରେ ପୂରାଇଛି। ମୋ ସ୍ବାମୀଙ୍କ ଲୋକପ୍ରିୟତାକୁ ଓ ଜନସେବା କାର୍ଯ୍ୟକୁ ଆଗେଇ ନେବାକୁ ଏବଂ ଜନସାଧାରଣଙ୍କ ନିକଟତର ହେବାକୁ ଯୋଜନା ରଖି ବହୁ ଆଶା ନେଇ ରାଜନୀତିକୁ ଆସିଛି। ସ୍ବାମୀଙ୍କ ପ୍ରତି ଶାସକ ଦଳ କରିଥିବା ଅନ୍ୟାୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ତାଙ୍କର ପ୍ରଥମ ଲକ୍ଷ୍ୟ। ଗଣତନ୍ତ୍ରର ପ୍ରଥମ କାର୍ଯ୍ୟ ଜନସେବା।

ଏଥିପାଇଁ ମୁଁ ରାଜନୀତିକୁ ଆସିଛି। ଆଗାମୀ ଦିନରେ ଦଳ ଯେଉଁ ଦାୟିତ୍ବ ଦେବ ତାହାକୁ ନିର୍ବାହ କରିବି ବୋଲି ସେ କହିଛନ୍ତି। ଏହାଛଡା ଆଗାମୀ ଦିନରେ ବିଜେପିର ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରଚାର ଓ ପ୍ରସାରରେ ସହଯୋଗ କରିବି ବୋଲି ଶ୍ରୀମତି ଦାଶ ସୂଚନା ଦେଇଛନ୍ତି। ବ୍ରହ୍ମପୁର ବିଧାନସଭା ଆସନରୁ କେଉଁ ଦଳରୁ କିଏ ଏଥର ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ବ୍ରହ୍ମପୁର ବିଧାନସଭା ‌କ୍ଷେତ୍ରରୁ ଆଗାମୀ ନିର୍ବାଚନରେ ଭାଜପାରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ବେଶ୍‌ ଆଲୋଚନା। ଏଭଳି ସ୍ଥିତିରେ ଭାଜପାର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଗତ ଦୁଇ ଦିନ ହେଲା ପୂର୍ବତନ ମେୟର ପିଣ୍ଟୁଙ୍କ ପତ୍ନୀ ଆଶାଙ୍କୁ ଦେଖିବାକୁ ମିଳିଛି। ପିଣ୍ଟୁ ମେୟର ଥିବା ସମୟରେ ଏବଂ ବିଧାୟକ ପ୍ରାର୍ଥୀ ହୋଇ ପ୍ରଚାର କରୁଥିବା ବେଳେ ଦିନେ ମଧ୍ୟ କୌଣସି ସଭାସମିତି ଯାଇ ନ ଥିବା ଆଶା ପିଣ୍ଟୁଙ୍କ ଅନୁପସ୍ଥିତିରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ ଏବେ ଚର୍ଚ୍ଚାକୁ ଆହୁରି ରୋଚକ କରିଛି। ଗତ ଦୁଇ ଦିନ ତଳେ ଆଶା ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ପୁଣି ଉଜ୍ଜ୍ବଳା ସ୍ବାଭିମାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସ୍ଥାନୀୟ ଗୋସାଇଁ ନୂଆଗାଁ ମୁଖ୍ୟରାସ୍ତା ଠାରେ କେନ୍ଦ୍ର ସରକାରଙ୍କ ଉଜ୍ବଳା ସ୍ବାଭିମାନ ଉତ୍ସବରେ ପିଣ୍ଟୁଙ୍କ ପତ୍ନୀ ଆଶା ଥିଲେ ମୁଖ୍ୟ ଅତିଥି। ବିଜେପିରେ ବହୁ ତୁଙ୍ଗ ନେତା ରହିଥିବା ସ୍ଥଳେ ତାଙ୍କୁ ମୁଖ୍ୟ ଅତିଥି କରାଯିବା ଘଟଣାରୁ ଦଳ ତାଙ୍କୁ କେତେ ଗୁରୁତ୍ବ ଦେଉଛି ତାହା ଏଥିରୁ ସ୍ପଷ୍ଟ ହୋଇଥିଲା। ସେ ତାଙ୍କ ବକ୍ତବ୍ୟରେ ବିଜେପି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ଉଜ୍ବଳାର ସଫଳତା ସମ୍ପର୍କରେ କହିଥିଲେ।

ସମ୍ବନ୍ଧିତ ଖବର