ପୁଲିସ୍‌ ମାଡ଼ରେ ଗର୍ଭନଷ୍ଟ ଘଟଣା: ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ ଅବମାନନା!

ପାତ୍ରପୁର: ଗଞ୍ଜାମ ଜିଲ୍ଲାର ଜରଡ଼ା ଥାନା ଅର୍ନ୍ତଗତ ପାତ୍ରପୁର ଗ୍ରାମର ମାମି ଅଧିକାରୀଙ୍କୁ ପୁଲିସ୍‌ ବାବୁଙ୍କ ମାଡ଼ ଫଳରେ ଗର୍ଭନଷ୍ଟ ହେବା ଘଟଣାରେ ବିଚାର କରି ପୀଡ଼ିତାଙ୍କୁ ୮ ସପ୍ତାହ ମଧ୍ୟରେ ୨ ଲକ୍ଷ ଟଙ୍କା କ୍ଷତି ପୁରଣ ଦେବାକୁ ଜାତୀୟ ମାନବାଧିକାର କମିଶନ ରାଜ୍ୟ ସରକାର, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଗତ ବର୍ଷ ନିର୍ଦ୍ଦେଶ ଦେଇଥିଲେ। ଇତି ମଧ୍ୟରେ ୧ ବର୍ଷ ପୂରି ଯାଇଥିଲେ ହେଁ ସହାୟତା ରାଶି ମିଳିନାହିଁ। ଜରଡ଼ା ଥାନା ମାମଲା (୮୮/୧୪) ଆଧାରରେ ଜରଡ଼ା ପୁଲିସ୍‌ ମାମିଙ୍କ ସ୍ବାମୀଙ୍କୁ ଧରିବା ପାଇଁ ତତ୍କାଳୀନ ଜରଡ଼ା ଥାନା ପୁଲିସ୍‌ ଅଧିକାରୀ କେ.ପି.ଦାସ ରାତି ଅଧରେ ଚଡ଼ାଉ କରିଥିଲେ। ଏଥିରେ ମାମି ବାଧା ସୃଷ୍ଟି କରିବାରୁ ପୁଲିସ କର୍ମଚାରୀ ଗର୍ଭବତୀ ମାମିଙ୍କୁ ଧକ୍କା ଦେଇ ଘରେ ପଶିବାକୁ ଉଦ୍ୟମ କରିଥିଲେ। ଏଥିରେ ମାମିଙ୍କ ପେଟକୁ ଗଭୀର ଆଘାତ ଲାଗିଥିଲା। ଯଦ୍ବାରା ନଭେମ୍ବର ୧୫ ତାରିଖରେ ମାମି ଏକ ମୃତ ଶିଶୁ ଜନ୍ମ ଦେଇଥିଲେ। ପୁଲିସ ଅତ୍ୟାଚାର ବିରୋଧରେ ମାମିଙ୍କ ତରଫରୁ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଏନ୍ଏଚ୍ଆସିରେ ଅଭିଯୋଗ କରିଥିଲେ। କମିଶନଙ୍କ ନିର୍ଦ୍ଦେଶରେ ଏସ୍‌ଡ଼ିପିଓ ଏବଂ ଆଇଜି ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ ରିପୋର୍ଟକୁ ଆଧାର କରି କମିଶନ କ୍ଷତିପୂରଣ ବାବଦକୁ ୨ ଲକ୍ଷ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏକ ବର୍ଷ ବିତି ଯାଇଥିଲେ ହେଁ ପୀଡ଼ିତା ମାମିଙ୍କୁ ସହାୟତା ରାଶି ମିଳି ନଥିବା ସ୍ବାମୀ କୁଞ୍ଜ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର